Unknown

 

 

 

 

 

 

 

 

 

 

ଅଭିଯୁକ୍ତା ଓ ଅନ୍ୟାନ୍ୟ ଗଳ୍ପ

 

ଅନୁବାଦକ ଦ୍ୱୟ

ଶ୍ରୀ ଦିବ୍ୟସିଂହ ବେହେରା, ଶ୍ରୀ ଈଶ୍ୱରଚନ୍ଦ୍ର ମହାପାତ୍ର

 

ଅଭିଯୁକ୍ତ

 

ମାଜିଷ୍ଟ୍ରେଟ୍ ମିଷ୍ଟର ମିଶ୍ରାଙ୍କ କୋର୍ଟରେ ପଡ଼ିଥିଲା ଗୋଟିଏ ଚମକପ୍ରଦ ମକଦମା । କୋର୍ଟ ଦର୍ଶକ ଗହଳିରେ ଥିଲା ସରଗରମ । ଘଟଣାଟି ହେଉଛି ଗୋଟିଏ କୋଡ଼ିଏ ବର୍ଷ ବୟସ୍କା ଯୁବତୀ ବିଷୟରେ । ଯେ କି ବାରିଷ୍ଟର ଗୁପ୍ତାଙ୍କ ପିଲାର ବେକରୁ ଏକ ସୁନା ଚେନ୍ ଚୋରାଇବାର ଅପରାଧରେ ଅଭିଯୁକ୍ତା । ଦର୍ଶକ ଗହଳିର ଏ ତ ଗୋଟେ କାରଣ । ଆଉ ଗୋଟିଏ ହେଉଛି କୌଣସି ସ୍ତ୍ରୀଲୋକ ଅଦାଲତକୁ ଆସିଗଲେ ଜଣାଯାଏ ନାଁ କେଉଁଠାରୁ ଏତେ ଲୋକ ଆସି ଅଦାଲତର ଆଖପାଖରେ ସୃଷ୍ଟି କରିଦିଅନ୍ତି ଜନ-ସମୁଦ୍ର । ଆଉ ଯଦି ଅଦାଲତକୁ ଆସିଥିବା ସ୍ତ୍ରୀ-ଲୋକଟି ସୁନ୍ଦରୀ ହୋଇଥାଏ, ତେବେ ଲୋକ ଭିଡ଼ ବିଷୟରେ ଅଧିକ କହିବା ଆବଶ୍ୟକତା କଅଣ-? ଲୋକମାନେ କୋର୍ଟ ଆଡ଼କୁ ଏପରି ଉଦବିଗ୍ନ ହୋଇ ଦୌଡ଼ୁଥାନ୍ତି ଜଣାଯାଏ, ସତେଯେପରି ସେମାନେ କେବେ ସ୍ତ୍ରୀଲୋକ ଦେଖିନାହାନ୍ତି । ଏହାଠାରୁ ବଳି ଆହୁରି ମଜାକଥା ଥିଲା, ବାରିଷ୍ଟର ଗୁପ୍ତା ନିଜେ ଅଦାଲତରେ ସାକ୍ଷ୍ୟ ଦେବାକୁ ହାଜର ।

 

ବାରିଷ୍ଟର ଗୁପ୍ତା ସହରର ଖ୍ୟାତନାମା ବାରିଷ୍ଟର । ସହରର ଆବାଳ-ବୃଦ୍ଧ-ବନିତା ତାହାଙ୍କୁ ଜାଣନ୍ତି । ସରକାରୀ କର୍ମଚାରୀମାନେ ତାଙ୍କ ଘରେ ପଶା ଖେଳନ୍ତି । ସହରର କୌଣସିଠାରେ ନାଚ-ତାମସା ହେଲେ ବାରିଷ୍ଟର ସାହେବଙ୍କ ଉପରେ ତା’ର ଦାୟିତ୍ୱ ଲଦି ଦିଆଯାଏ । ମଦ ଖାଇବାର ସଉକ ହେଲେ ମଧ୍ୟ ସେ ମଦ ଖଟିକୁ ଯାଉନଥିଲେ । ମଦ ଆପେ ଆପେ ତାଙ୍କ ଘରେ ପହଞ୍ଚିଯାଏ । ସରକାରୀ କଚେରିରେ ଆଉ ଖାତିର ଅମାପ । ପବ୍ଲିକରେ ମଧ୍ୟ-। ସେ ଲୋକଙ୍କ ସହିତ ମିଶି ପାରନ୍ତି । ସାଧାରଣ ଲୋକଙ୍କ କାମକୁ ଖୁବ୍ ଆଦର କରନ୍ତି-। ଲୋକଙ୍କ କାମରେ ସେ ସର୍ବଦା ବ୍ୟସ୍ତ ରହନ୍ତି । କାମ ପ୍ରତି ନ ଥାଏ ତାଙ୍କର ଫୁରୁସତ୍ ।

 

ମକଦମା ଆରମ୍ଭ ହେଲା । ଅଭିଯୁକ୍ତା ତରଫରୁ କେହି ଓକିଲ ନ ଥିଲେ । କାରଣ ସେ ଗରିବ । ଅସହାୟା ମଧ୍ୟ ସରକାରଙ୍କ ରତଫରୁ ମାସିକ ତିନିଶତ ଟଙ୍କା ବେତନ ପାଉଥିଲେ କୋର୍ଟ ସାହେବ ଛିଡ଼ା ହୋଇ ମକଦମା ଶୁଣୁଥିଲେ ।

 

ବାରିଷ୍ଟର ଗୁପ୍ତା ନିଜ ବକ୍ତୃତାରେ କହିଲେ– ମୁଁ ଅଭିଯୁକ୍ତାକୁ ଭଲଭାବରେ ଜାଣେ । ସେ ସହରରେ ଭିକ ମାଗୁଥିଲା । ପ୍ରାୟ ମାସେ ହେବ, ଦିନେ ମୁଁ ମୋର ବାସଭବନ ପାଖରେ ଏହାକୁ କେତେକ ଦୁର୍ବୃତ୍ତ ଅନୁଧାବନ କରୁଥିବାର ଦେଖିଲି ଏହା ପ୍ରତି ମୋର ଦୟାଭାବ ଆସିଲା । ସେହି ଦୁର୍ବୃତ୍ତମାନଙ୍କୁ ତଡ଼ି ମୁଁ ଏହାକୁ ମୋର ଘରେ ରଖିଲି । ଯେତେବେଳେ ମୁଁ ଜାଣିଲି ଯେ, ଏହାର କେହି ଆତ୍ମୀୟ ନାହାଁନ୍ତି, ତାକୁ ଖାଇବା ପିନ୍ଧିବା ଦେଇ ମୋ ପିଲାମାନଙ୍କର ତତ୍ତ୍ୱ ନେବାପାଇଁ ଘରେ ରଖାଇଲି ।

 

ପନ୍ଦର ଦିନ କାମ କରିବା ପରେ ସେ ହଠାତ୍ ଘରୁ ହେଲା ଅଦୃଶ୍ୟ । ତା’ ପରଦିନ ଦେଖିଲି ଯେ, ମୋ ପିଲାର ବେକରେ ଥିବା ସୁନାଚେନଟି ନାହିଁ । ତେଣୁ ମୁଁ ପୋଲିସରେ ଏତେଲା ଦେଲି । ପରେ ସୁନା ଚୋରି ଅପରାଧରେ ପୋଲିସ୍ ଏହାକୁ ଗିରଫ କଲା ଏବଂ ମୋତେ ସୁନା ଚିହ୍ନଟ କରାଇଲା । ମୁଁ ପାଞ୍ଚଟା ଚେନ୍ ମଧ୍ୟରୁ ଗୋଟାକୁ ଚିହ୍ନିଲି । (ଅଦାଲତର ମେଜ ଉପରେ ରଖାହୋଇଥିବା ଚେନକୁ ହାତରେ ଧରି ବାରିଷ୍ଟର ଗୁପ୍ତା କହିଲେ) ସେହି ଚେନ୍ ମୋର । ମୁଁ ନିଜେ ଏହାକୁ ତିଆରି କରାଇଥିଲି । ବାରିଷ୍ଟର ଗୁପ୍ତାଙ୍କ ବକ୍ତବ୍ୟ ଶେଷ ହେଲା । ମାଜିଷ୍ଟ୍ରେଟ୍ ଅଭିଯୁକ୍ତା ଆଡ଼କୁ ଚାହିଁ ଗମ୍ଭୀର ସ୍ୱରରେ ପଚାରିଲେ–ତୁମ୍ଭେ ବାରିଷ୍ଟର ସାହେବଙ୍କୁ କ’ଣ ପଚାରିବ କି ?

 

ଅଭିଯୁକ୍ତାର ଚେହେରା ରାଗରେ ଜଳିଉଠିଲା । ସେ ତିରସ୍କାର ସୂଚକ ସ୍ୱରରେ କହିଲା– ‘‘ନାହିଁ ଆଜ୍ଞା’’ । ପ୍ରଶ୍ନ ତ ପଚାରିବା ଦୂରର କଥା । ମୁଁ ଏହାର ମୁହଁ ଦେଖିବାକୁ ଚାହେଁନା ।

 

ଅଭିଯୁକ୍ତାର ଏହି ନିର୍ଭୀକତାରେ ଦର୍ଶକଙ୍କ ଉପରେ ଖେଳିଗଲା ଆଶ୍ଚର୍ଯ୍ୟର ଲହରୀ । ସମସ୍ତଙ୍କର ଦୃଷ୍ଟି ତା’ ଆଡ଼କୁ ପତିତ ହେଲା । ବାରିଷ୍ଟର ଗୁପ୍ତାଙ୍କ ଆଡ଼କୁ ଲୋକଙ୍କର ଧ୍ୟାନ ବିଶେଷ ରୂପରେ ଆକର୍ଷିତ ହେଲା । ତାଙ୍କ ମୁଖରୁ ବାହାରିପଡ଼ିଲା ଏକ ପ୍ରକାର ଅସ୍ପଷ୍ଟ ସ୍ୱର ।

 

ମକଦମା ଆହୁରି କୌତୂହଳୀ ହୋଇଗଲା । ଏଣିକି ଲୋକେ ଅଧିକ ଉଦବେଗ ସହକାରେ ମାମଲା ଶୁଣିବାକୁ ଲାଗିଲେ ।

 

ବାରିଷ୍ଟର ଗୁପ୍ତାଙ୍କ କଥାକୁ ସମର୍ଥନ କଲା ପୋଲିସର ଅନ୍ୟଜଣେ ସାକ୍ଷୀ । ଜଣେ ସୁନାରୀ ଆସି କହିଲା–ମୋ ଦୋକାନରୁ ବାରିଷ୍ଟର ସାହେବ ସୁନା ନେଇ ମୋ ସାମନାରେ ଜଣେ ବଣିଆକୁ ଗଢ଼ିବାକୁ ଦେଲେ ।

 

ଜଣେ ବଣିଆ ଆସି କହିଲା– ଏହି ଚେନ୍ ମୁଁ ବାରିଷ୍ଟର ସାହେବଙ୍କ ପାଇଁ ତିଆରି କରି ଦେଇଥିଲି ।

 

ଥାନା ସାହେବ କିପରି ଅଭିଯୁକ୍ତାକୁ ଧରିଲେ, ତାହା ବତାଇଲେ ଏବଂ କିପରି ସେ ଚେନ୍ ମାଗିବା ମାତ୍ରେ ଅଭିଯୁକ୍ତା ଅଣ୍ଟାରୁ ବାହାର କରିଦେଇ ଦେଲା, ତାହା ବି କହିଲେ । ଥାନା ସାହେବ କହିଲେ ଅଭିଯୁକ୍ତା ଭାରି ଚତୁରୀ ।

 

ସରକାରଙ୍କ ସାକ୍ଷ୍ୟ ଶେଷ ହେବା ପରେ ମାଜିଷ୍ଟ୍ରେଟ୍ ଅଭିଯୁକ୍ତାକୁ ପଚାରିବା ଆରମ୍ଭ କଲେ ।

 

ତୁମର ନାମ ?

 

–ଚୁନ୍ନୀ ।

 

–ପତିଙ୍କ ନାମ ?

 

–ମୁଁ କୁମାରୀ ।

 

–ଆଚ୍ଛା, ପିତାଙ୍କ ନାମ ?

 

–ମୁଁ ଜାଣେନାହିଁ । ମୁଁ ଯେତେବେଳେ ଖୁବ୍ ଛୋଟଥିଲି, ସେତେବେଳେ ମୋ ବାପା ମରିଗଲେ କିମ୍ୱା କେଉଁଆଡ଼େ ଚାଲିଗଲେ । ମୁଁ ତାଙ୍କୁ ଦେଖିନାହିଁ । ମୋ ମା’ କେବେ ତାଙ୍କ ନାମ ମୋତେ କହିନାହିଁ । କେତେଦିନ ଯିବାପରେ ମୋ ମା’ ମଧ୍ୟ ମରିଗଲା । କହୁ କହୁ ଅଭିଯୁକ୍ତାର ଚକ୍ଷୁ ଲୁହରେ ଛଳ ଛଳ ହୋଇଗଲା । ଦୁଇହାତରେ ନିଜର ମୁହଁ ଘୋଡ଼େଇ ସେ କାନ୍ଦିଲା । ଦର୍ଶକମାନେ ସହାନୁଭୂତିପୂର୍ବକ ଅଭିଯୁକ୍ତା ଆଡ଼କୁ ଚାହିଁଲେ । କିନ୍ତୁ କୋର୍ଟ ଇନିସପେକ୍ଟର ରୁକ୍ଷ ସ୍ୱରରେ କହିଲେ, ଏପରି ଛଳନା ଏଠାରେ କରନା । ସାହେବ ଯାହା ପଚାରୁଛନ୍ତି, ତା’ର ଠିକ୍ ଠିକ୍ ଉତ୍ତର ଦିଅ ।

 

ଅଭିଯୁକ୍ତା ନିଜକୁ ସମ୍ଭାଳିନେଲା ଏବଂ ଆଖି ପୋଛି ମାଜିଷ୍ଟ୍ରେଟଙ୍କ ଆଡ଼କୁ ଚାହିଁଲା ।

 

ମାଜିଷ୍ଟ୍ରେଟ୍ ପୁଣି ପଚାରିଲେ–ତୁମର ପେଷା କ’ଣ ?

 

ମୁଁ ମୂଲ କରେ । ଯେତେବେଳେ କାମ ମିଳେନାହିଁ, ସେତେବେଳେ ମୁଁ ଭିକମାଗେ, ଅଭିଯୁକ୍ତା କହିଲା । ମାଜିଷ୍ଟ୍ରେଟ୍ ପଚାରିଲେ–ରହୁଛ କେଉଁଠାରେ ?

 

–ଯେଉଁଠାରେ ଟିକିଏ ଯାଗା ମିଳେ ।

 

ତୁମେ ବାରିଷ୍ଟର ସାହେବଙ୍କ ଘରେ ଚାକେରି କରୁଥିଲ କି ?

 

–ହଁ, ଆଜ୍ଞା ।

 

ତୁମେ ଏହି ଚେନ୍ ତାଙ୍କ ପିଲାବେକରୁ ଚୋରାଇଛ ? ଚେନକୁ ହାତରେ ଧରି ମାଜିଷ୍ଟ୍ରେଟ୍ ପଚାରିଲେ । ଅଭିଯୁକ୍ତା ମାଜିଷ୍ଟ୍ରେଟଙ୍କ ଆଡ଼କୁ ଚାହିଁଲା । ତାହାର ଏହି ଚାହାଣୀରେ ଘୃଣା ଓ କ୍ରୋଧ ଉକୁଟି ଉଠୁଥିଲା । ପୁଣି ସେ ମାଜିଷ୍ଟ୍ରେଟଙ୍କ ଆଡ଼କୁ ଚାହିଁ ଦୃଢ଼ତା ସହକାରେ କହିଲା–ମୁଁ ଚେନ୍ ଚୋରାଇ ନାହିଁ, ସେହିଟା ମୋର ।

 

ଏହା ଶୁଣୁ ଶୁଣୁ ବାରିଷ୍ଟର ଗୁପ୍ତାଙ୍କ ମୁହଁରୁ ବାହାରିପଡ଼ିଲା ବ୍ୟଙ୍ଗପୂର୍ଣ୍ଣ ଅଟ୍ଟହାସ୍ୟ । ଏହି ହସରେ ଅଭିଯୁକ୍ତାର ଚେହେରା କ୍ଷୋଭ ଆଉ ରାଗରେ ହୋଇଗଲା ଲାଲ୍ । ସେ କିଞ୍ଚିତ୍ କ୍ରୋଧିତ ସ୍ୱରରେ କହିଲା– ମୁଁ ପୁନର୍ବାର କହୁଛି ଚେନଟା ମୋର । ମୋର ମା’ ମରିବା ସମୟରେ ମୋତେ ଏହା ଦେଇଥିଲା । ଆଉ କହିଲା ଏହିଟି ତୋ ବାପାଙ୍କର ସ୍ମୃତି । ଏହାକୁ ସାବଧାନରେ ରଖିଥିବୁ ।

 

ମାଜିଷ୍ଟ୍ରେଟ୍ ପଚାରିଲେ– ତୁମେ ବାରିଷ୍ଟର ସାହେବଙ୍କ ଘରୁ ରାତିରେ ପଳେଇଥିଲ କି-?

 

କିଛିକ୍ଷଣ ପାଇଁ ଅଭିଯୁକ୍ତା ସ୍ତବ୍ଧ ହୋଇଗଲା । ଆହତ ଅପମାନରେ ତା’ର ଚେହେରା ହୋଇଯାଇଥିଲା ନିଷ୍ପ୍ରଭ । ପୁଣି କିଛି ଭାବି ସେ ଗମ୍ଭୀର ସ୍ୱରରେ କହିଲା– ଆଜ୍ଞା, ହଁ । ମୁଁ ବାରିଷ୍ଟର ସାହେବଙ୍କ ଘରୁ ପଳେଇଗଲି । ପ୍ରଥମେ ଯେତେବେଳେ ସେ ଦୁଷ୍ଟ ଲୋକଙ୍କଠାରୁ ମୋତେ ବଞ୍ଚେଇ ନିଜ ଘରେ ଆଶ୍ରୟ ଦେଇଥିଲେ, ସେତେବେଳେ ତାଙ୍କ ପ୍ରତି ମୋ ହୃଦୟ ଗଭୀର ଶ୍ରଦ୍ଧା ଓ କୃତଜ୍ଞତାରେ ପୂର୍ଣ୍ଣଥିଲା । କିନ୍ତୁ ସେ ଧୀରେ ଧୀରେ ଘୃଣା ଓ ତିରସ୍କାରର ପାତ୍ର ହେଲେ । ମୁଁ ଅନୁମାନ କଲି, ବାରିଷ୍ଟର ସାହେବ୍ ନିଜ ଆୟତ୍ତର ବାହାରେ । ସେ ମୋତେ ନିଜ ବାସନାର ଶିକାର କରିବାକୁ ହେଲେ ବ୍ୟାକୁଳ । କ୍ରମେ କ୍ରମେ ସେ ମୋତେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବାକୁ ଲାଗିଲେ । ଆଉ ଧମକ ମଧ୍ୟ ଦେଲେ । ନିଜେ ସେ ଏହିପରି ଆଚରଣ ଦେଖାଇବା ସମୟରେ ମୋର ଚେନ୍ ଦେଖିପାରିଲେ । ଏହି ଅବସରରେ ମୋତେ ଚୋରଣୀରୂପେ ସାବ୍ୟସ୍ତ କରିବାର ସୁଯୋଗ ପାଇଲେ । ମୁଁ ଚୋରି ଭୟରେ କେବେ ଚେନକୁ ବେକରେ ପିନ୍ଧେ ନାହିଁ । ସବୁବେଳେ ଅଣ୍ଟାରେ ଖୋସିଥାଏ ।

 

ଅଭିଯୁକ୍ତାର ବକ୍ତବ୍ୟ ଶୁଣି କୋର୍ଟରେ ଖେଳିଗଲା ନୀରବତାର ଛାୟା । ତାହାର ବକ୍ତବ୍ୟ କାହାକୁ ମିଥ୍ୟା ଜଣାଯାଉନଥିଲା । ବାରିଷ୍ଟର ସାହେବଙ୍କ ପ୍ରତି ଘୃଣା ଓ ଅଭିଯୁକ୍ତା ପ୍ରତି ସହାନୁଭୂତିରେ ଦର୍ଶକ ସମାଜର ହୃଦୟ ଭରପୂର ହୋଇଗଲା । ସମସ୍ତେ କାମନା କରୁଥିଲେ ସେ ନିର୍ଦ୍ଦୋଷ ହେଉ । ମାତ୍ର ଆଇନ୍ କାନୁନର କଠୋରତା ବିଷୟ ଭାବି ସମସ୍ତେ ହେଲେ ନିରାଶ । ଚେନ୍ ତାହାର ହେଲେହେଁ ବିଚାରୀ କିପରି ପ୍ରମାଣ ଦେବ ଯେ, ଚେନ୍‍ଟା ତା’ ନିଜର !

 

ମକଦମାର ରାୟ ଶୁଣାଣି ଦିନ ଆସିଲା । ଆଜି ଦର୍ଶକଙ୍କ ଭିଡ଼ରେ ଅଦାଲତରେ ସୋରିଷ ପକାଇବାକୁ ସ୍ଥାନ ନାହିଁ । ପ୍ରତ୍ୟେକଙ୍କ ଚେହେରାରେ ବିରାଜୁଥିଲା ଉତ୍ସୁକତା । କିଏ କହିପାରିବ–ପରିସ୍ଥିତି କ’ଣ ହେବ ? ବିଚାରୀର ଚେନ୍ ଯାଇ ବି ସେ ଯିବ ଜେଲ୍ । ଏହି ନ୍ୟାୟାଳୟ ତ ନ୍ୟାୟର ଅପଳାପରେ ଚାଳିତ । ନ୍ୟାୟ ନାମରେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଅନ୍ୟାୟର ବହ୍ନି । ଅଦାଲତ ତ ଧନୀଙ୍କର । ଗରିବଙ୍କର ନୁହେଁ । ଏହିପରି ଅନେକ ଆଲୋଚନା ପରସ୍ପର ମଧ୍ୟରେ ଚାଲିଲା । ଶେଷରେ ମାଜିଷ୍ଟ୍ରେଟଙ୍କ ପଦଶବ୍ଦରେ ଅଦାଲତରେ ଖେଳିଗଲା–ନୀରବତା । ସେ ଅଭିଯୁକ୍ତାକୁ ପଚାରିଲେ– ତୁମେ କ’ଣ ଏହାର ପ୍ରମାଣ ଦେଇପାରିବ ଯେ, ଏହିଟା ହେଉଛି ତୁମର ଚେନ୍ ?

 

–ହଁ, ଆଜ୍ଞା ।

 

–ପ୍ରମାଣ କ’ଣ ? ତୁମର କେହି ସାକ୍ଷୀ ଅଛନ୍ତି ।

 

–ମୋର ପ୍ରମାଣ ଓ ସାକ୍ଷୀ ସେହି ଚେନ୍...... । ଅଭିଯୁକ୍ତା ଚେନ୍ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା ।

 

ମାଜିଷ୍ଟ୍ରେଟ୍ କହିଲେ–କିପରି ? ଏବେ ତାଙ୍କର କୌତୂହଳ ବଢ଼ିଗଲା । –ଚେନ୍ ମୋ ହାତକୁ ଦିଅନ୍ତୁ । ମୁଁ ବତାଇଦେବି ।

 

ମାଜିଷ୍ଟ୍ରେଟଙ୍କ ଇଙ୍ଗିତରେ କୋର୍ଟ ସାହେବ ଚେନ୍ ଉଠାଇ ଅଭିଯୁକ୍ତାର ହାତରେ ଦେଲେ-। ଚେନ୍‍ଟି ଦୁଇଗୁଣିଆ ତାରରେ ଗୁନ୍ଥା । ଏହାର ମଝିରେ ଥିଲା ହୃତପିଣ୍ଡ ଆକାରର ଗୋଟିଏ ଲକେଟ୍ । ଉପରୁ ଦେଖିଲେ ତାହା ନିଦା ଜଣାଯାଉଥିଲା । କିନ୍ତୁ ଅଭିଯୁକ୍ତା ଏହାକୁ ଏପରି ଭାବେ ଚାପିଦେଲା ଯେ, ତାହା ଖୋଲିଗଲା । ତାକୁ ଖୋଲି କରି ସେ ମାଜିଷ୍ଟ୍ରେଟ୍ ସାହେବଙ୍କୁ ଦେଖାଇ କହିଲା–ଏହା ହେଉଛି ମୋହର ପ୍ରମାଣ । ଏ ମୋ ପିତାଙ୍କର ଫଟୋ ।

 

ମାଜିଷ୍ଟ୍ରେଟ୍ ଉତ୍ସୁକତା ସହକାରେ ଲକେଟଟିକୁ ନିଜ ହାତକୁ ନେଇ ଦେଖିଲେ ଏବଂ ଦେଖିକରି ନୀରବ ହୋଇଗଲେ । ଲକେଟ୍ ଭିତରେ ଥିଲା ଜଣେ କୋଡ଼ିଏ ବର୍ଷ ବୟସ୍କ ଯୁବକର ଫଟୋ । ମାଜିଷ୍ଟ୍ରେଟ୍ ତାକୁ ଦେଖିଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଘୂରିବୁଲିଲା ଅତୀତର ଚିତ୍ରପଟ । କୋଡ଼ିଏ ବର୍ଷ ପୂର୍ବେ ସେ ପଢ଼ୁଥିଲେ ବି.ଏର ଶେଷ ବର୍ଷରେ । ବସାର ଚାକରାଣୀଟି ବୁଢ଼ୀ । ଏଣୁ କେବେ କେବେ ତା’ର ନାତୁଣୀ ରୁଟି ତିଆରି କରିବାକୁ ଯିବାଆସିବା କରେ । ତାହାର ପାକ ଖୁବ୍ ମଧୁର । ସେ ଦେଖିବାକୁ ଖୁବ୍ ସୁନ୍ଦରୀ । ଆଉ ହସକୁଡ଼ୀ ମଧ୍ୟ । ତା’ର ଓଠରେ ସର୍ବଦା ଉକୁଟିଉଠୁଥିଲା ଚିତ୍ତ-ହରଣକାରୀ ହସ । ଧୀରେ ଧୀରେ ସେ ତାକୁ ଖୁବ୍ ଭଲ ଭଲ ଜିନିଷ ଦେବାକୁ ଲାଗିଲେ । ଲୁଚି ଲୁଚି ମିଳାମିଶା ହେଲା ଆରମ୍ଭ । ରାତି ହେଲେ ସେ ବୁଢ଼ୀ ଓ ତା’ ନାତୁଣୀକୁ ଘର ପର୍ଯ୍ୟନ୍ତ ପହଞ୍ଚେଇ ଦେବାକୁ ଯାଆନ୍ତି ।

 

ଦିନେ ରାତିରେ ସେ ଝିଅଟି ଥିଲା ଏକୁଟିଆ । ସେଦିନ ଚନ୍ଦ୍ର-ବିଧୌତ-ରଜନୀ । ଧୀରେ ଧୀରେ ପ୍ରବାହିତ ହେଉଥିଲା ବସନ୍ତ ପବନ । ଗହଳିଆ ବୃକ୍ଷତଳେ ଅନ୍ଧକାର ଓ ଚନ୍ଦ୍ରରଶ୍ମି ଆଖିମିଟିକା ମାରି ଖେଳୁଥିଲେ ଲୁଚକାଳି । ସେହିଠାରେ କେଉଁ ନିର୍ଜନ ସ୍ଥାନରେ ପରସ୍ପର ହେଲେ ବିଛିନ୍ନ ।

 

କଲେଜ୍ ହେଲା ବନ୍ଦ । ଆସିଗଲା ବିଦାୟ ସମୟ । ହେବ ବିଚ୍ଛେଦ । ଆଜିଠାରୁ ମିଳନ ତାଙ୍କର ସାତସପନ । ନିଜର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ସେ ନିଜର ଫଟୋ ଥିବା ସୁବର୍ଣ୍ଣ ଲକେଟଟିଏ ଦେଲେ ଅଶ୍ରସିକ୍ତା ପ୍ରେୟସୀକୁ । ହୃଦୟ-ବିଦାରକ କ୍ରନ୍ଦନ ଆଉ ଅଭିମାନ-ଭରା ଉତ୍କଣ୍ଠିତ–ବ୍ୟାକୁଳିତ ଚାହାଣୀରେ ପରସ୍ପର ନେଲେ ବିଦାୟ । ସେ ଥିଲା ସେହି ପ୍ରେମିକ-ପ୍ରେମିକାଙ୍କ ଅନ୍ତିମ ମିଳନ । ତାପରେ ସେ କଲେଜକୁ ପଢ଼ିବାକୁ ଗଲେ ନାହିଁ । କାରଣ ସେଠାରେ ନଥିଲା ‘ଲ–ବାଲାସ’ । ସେମାନେ ଧୀରେ ଧୀରେ ଭୁଲିଗଲେ ଅତୀତର ସେହି, ମିଳନ–ବିଚ୍ଛେଦର ଆନନ୍ଦ, ବିଷାଦ ।

 

କିନ୍ତୁ ଆଜି ଏହି ଲକେଟ୍ ତାଙ୍କ ପ୍ରଣୟର ପରିଣାମକୁ ସାମନାରେ ଛିଡ଼ା କରାଇଦେଲା-। ସେ ଭାବିଲେ ସତେ କ’ଣ ଏହା ମୋର...... । ଇତ୍ୟବସରରେ ହାତରୁ ତାଙ୍କର ଖସିପଡ଼ିଲା ସେହି ଲକେଟଟା ଟେବୁଲ ଉପରେ । ଚମକିପଡ଼ିଲେ ସେ ଫଟୋର ଶବ୍ଦରେ । ଆଉ ମଧ୍ୟ ଚମକିପଡ଼ିଳେ ଦର୍ଶକଗଣ । ମାଜିଷ୍ଟ୍ରେଟ୍ ମୁଣ୍ଡ ପୋତି କହିଲେ–‘‘ଅଭିଯୁକ୍ତା ନିର୍ଦ୍ଦୋଷ’’ । ତାହାକୁ ଛାଡ଼ିଦିଅ । ଏହା କହି ସେ ଶୀଘ୍ର ଛିଡ଼ା ହୋଇପଡ଼ିଲେ । ଜଣାଗଲା, ସତେଯେପରି ବିଚାରକର ଆସନ ତାଙ୍କୁ ଆଉ ଗ୍ରହଣ କରିବାକୁ ଚାହେଁନା ।

★★★

 

ଦେଣା ପାଉଣା

 

ପାଞ୍ଚପୁତ୍ର ପରେ ଯେତେବେଳେ ଏକ କନ୍ୟା ଜାତ ହେଲା ପିତାମାତା ଅତି ଆଦରରେ ତା’ର ନାମ ଦେଲେ ନିରୁପମା । ଏ ଗୋଷ୍ଠୀର ଏଭଳି ସୌଖୀନ ନାମ ଏହା ପୂର୍ବରୁ ଶୁଣାଯାଇନାହିଁ-। ପ୍ରାୟ ଠାକୁର ଦେବତାର ନାମ ପ୍ରଚଳିତ ଥିଲା–ଗଣେଶ, କାର୍ତ୍ତିକ, ପାର୍ବତୀ ଇତ୍ୟାଦି ଏହାର ଉଦାହରଣ ।

 

ବର୍ତ୍ତମାନ ନିରୁପମାର ବିବାହ ପ୍ରସ୍ତାବ ଆଗତ । ଅନେକ ଖୋଜିଲା ପରେ ମଧ୍ୟ ତା’ର ପିତା ରାମସୁନ୍ଦର ମିତ୍ରର ମନକୁ ପାଇଲାଭଳି କୌଣସି ପାତ୍ର ଜୁଟୁନି । ଅବଶେଷରେ ବିରାଟ ଏକ ରାୟବାହାଦୁର ଗୃହର ଏକମାତ୍ର ସନ୍ତାନକୁ ସନ୍ଧାନ କରି ନଜରରେ ଅଣାଯାଇଛି । ଉକ୍ତ ରାୟବାହାଦୁରଙ୍କର ଯଦିଓ ପୈତୃକ ଧନସଂପତ୍ତି ଅନେକ ପରିମାଣରେ ହ୍ରାସପ୍ରାପ୍ତ ହୋଇଛି–କିନ୍ତୁ ଆଭିଜାତ୍ୟର ଦୀପ୍ତି ଲିଭିନାହିଁ ।

 

ବର ପକ୍ଷରୁ ଦଶହଜାର ଟଙ୍କାର ପଣ ଏବଂ ବହୁଳ ଦାନ ସାମଗ୍ରୀ ପାଇଁ ଦାଦୀ, ରାମସୁନ୍ଦର ତିଳେମାତ୍ର ବିବେଚନା ନ କରି ସେଥିରେ ସମ୍ମତ–ଏଭଳି ପାତ୍ର କୌଣସି ମତେ ହାତରୁ ଛାଡ଼ି ଦେବାର ନୁହେଁ ।

 

କିଛି ଟଙ୍କାର ଯୋଗାଡ଼ ହୋଇପାରିଲାନି । ବନ୍ଧାଦେଇ ବିକ୍ରିକରି ମଧ୍ୟ ଅନେକ ଚେଷ୍ଟାରେ ଛଅ ସାତ ହଜାର ବାକି ରହିଲା । ଏଣେ ବିବାହର ଦିନ ନିକଟ ହୋଇଆସୁଛି ।

 

ବିବାହର ଦିନ ଉପସ୍ଥିତ । ନିତାନ୍ତ ଅତିରିକ୍ତ ସୁଧରେ ଜଣେ ବାକିଟଙ୍କା କରଜ ଦେବାକୁ ରାଜି ହେଲା, କିନ୍ତୁ ଉପଯୁକ୍ତ ସମୟରେ ତା’ର ଦେଖାଦର୍ଶନ ମିଳିଲା ନାହିଁ । ବିବାହ ସଭାରେ ଏକ ତୁମୂଳ ଗଣ୍ଡଗୋଳର ସୂତ୍ରପାତ ହେଲା । ରାମସୁନ୍ଦର, ଆମର ରାୟବାହାଦୁରଙ୍କର ଗୋଡ଼ ହାତ ଧରି କହିଲେ, ‘‘ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଯାଉ, ମୁଁ ନିଶ୍ଚୟ ଟଙ୍କାଟା ପରିଶୋଧ କରିଦେବି ।’’

 

ରାୟବାହାଦୁର ଉତ୍ତରଦେଲେ, ‘‘ଟଙ୍କା ହାତକୁ ନ ଆସିଲେ ବର ସଭାସ୍ଥଳକୁ ଆସିପାରିବ ନାହିଁ । ଏଇ ଦୁର୍ଘଟଣାରେ ଅନ୍ତଃପୁର କ୍ରନ୍ଦନରୋଳରେ ମୁଖରିତ ହେଲା । ଏଇ ଗୁରୁତର ବିପଦର ଯେ, ମୂଳ କାରଣ ସେ କେଶବିନ୍ୟାସ କରି, ଅଳଙ୍କାର ପରିଧାନ କରି, କପାଳେ ଚନ୍ଦନ-ଚର୍ଚ୍ଚିତ କରି ମୌନଭାବେ ବସିଅଛି । ଭାବୀ ଶ୍ୱଶୁର କୁଳ ପ୍ରତି ଯେ ତା’ର ଅତ୍ୟନ୍ତ ଭକ୍ତି କିମ୍ୱା ଅନୁରାଗ ଜନ୍ମିଛି, ତାହା କୁହାଯାଇପାରିବ ନାହିଁ ।

 

ଏହା ମଧ୍ୟରେ ଏକପ୍ରକାର ସୁବିଧା ଉପଗତ ହେଲା । ବଡ଼ ସହସା ତାହାର ପିତୃଦେବଙ୍କର ଅବାଧ୍ୟ ହୋଇଉଠିଲା । ସେ ପିତାକୁ କହିବାକୁ ଲାଗିଲା, ‘‘କିଣାବିକା ଦରଦାମର କଥା ମୁଁ ବୁଝିବାକୁ ଚାହେଁନା, ବିବାହ କରିବାକୁ ଆସିଛି, ବିବାହ କରି ଯିବି ।’’

 

ପିତା ଯାହାକୁ ଦେଖିଲେ ତାକୁ କହିବାକୁ ଲାଗିଲେ, ‘‘ଦେଖିଲେଣି, ମହାଶୟ, ଆଜିକାଲିର ପିଲାମାନଙ୍କର ବ୍ୟବହାର ?’’ ଜଣେ ଦୁଇଜଣ ପ୍ରବୀଣ ଲୋକ ଥିଲେ, ତାଙ୍କୁ କହିଲେ, ‘‘ଶାସ୍ତ୍ରଶିକ୍ଷା, ନୀତିଶିକ୍ଷା ପ୍ରାୟ ନାହିଁ–କାର୍ଯ୍ୟରେ ମଧ୍ୟ– ।’’ ବର୍ତ୍ତମାନ ଶିକ୍ଷାର ବିଷମୟ ଫଳ ସ୍ୱୀୟ ସନ୍ତାନ ମଧ୍ୟରେ ପ୍ରଦର୍ଶନ କରି ରାୟବାହାଦୁର ହତୋଦ୍ୟମ ହୋଇ ବସିରହିଲେ । ବିବାହ ଏକପ୍ରକାର ବିଷନ୍ନ ନିରାନନ୍ଦ ଭାବେ ସମ୍ପନ୍ନ ହୋଇଗଲା ।

 

ଶ୍ୱଶୁର ଗୃହକୁ ଯିବା ସମୟରେ ନିରୁପମାକୁ କୋଳକୁ ଟାଣିଆଣି ପିତା ଚକ୍ଷୁର ଅବାରିତ ଲେତକଧାରା ବନ୍ଦ କରିପାରିଲେ ନାହିଁ । ନିରୁ ପଚାରିଲା’ ‘‘ତାଙ୍କର ମୋତେ ଛାଡ଼ିଦେବେ କି ନାହିଁ ବାପା ?

 

ରାମସୁନ୍ଦର କହିଲେ, ‘‘କାହିଁକି ଛାଡ଼ିବେ ନାହିଁ ମା’ ? ମୁଁ ତୋତେ ନେଇଆସିବି ।’’

 

ରାମସୁନ୍ଦର ଝିଅକୁ ଦେଖିବାକୁ ଯାଏ, କିନ୍ତୁ ସମୁଦି ଘରେ ତା’ର କୌଣସି ପ୍ରତିପତ୍ତି ନାହିଁ । ଚାକରବାକର ପର୍ଯ୍ୟନ୍ତ ସମସ୍ତେ ତାକୁ ଛୋଟ ନଜରରେ ଦେଖନ୍ତି । ଅନ୍ତଃପୁରର ବାହାରେ ଏକ ସ୍ୱତନ୍ତ୍ର ଗୃହରେ ପାଞ୍ଚ ମିନିଟ୍ ପାଇଁ କୌଣସି ଦିନ ବା ଝିଅକୁ ଦେଖିବାକୁ ପାଏ, କୌଣସି ଦିନ ଅବା ଦେଖିବାର ସୌଭାଗ୍ୟ ଜୁଟେନା ।

 

ବନ୍ଧୁ ଘରେ ଏଭଳି ଅପମାନ ତ ସହ୍ୟ କରାଯାଇନପାରେ । ରାମସୁନ୍ଦର ସ୍ଥିର କଲେ, ଯେକୌଣସି ପ୍ରକାରେ ହେଉ, ଟଙ୍କା ପରିଶୋଧ କରିଦେବାକୁ ହେବ ।

 

କିନ୍ତୁ କାନ୍ଧରେ ପଡ଼ିଥିବା ଋଣ ଭାର ଦୁଃସାଧ୍ୟ । ଖରଚପତ୍ରରେ ଅତ୍ୟନ୍ତ ଟାଣଟୁଣ ଏବଂ ପାଉଣାଦାରର ଦୃଷ୍ଟିପଥ ଏଡ଼ାଇବା ପାଇଁ ସର୍ବଦା ନାନାପ୍ରକାରର ହୀନକୌଶଳ ଅବଲମ୍ୱନ କରିବାକୁ ପଡ଼ିଛି ।

 

ଏଆଡ଼େ ଶ୍ୱଶୁର ଘରେ ଝିଅକୁ ଉଠିବା, ବସିବାରେ ସବୁଥିରେ ଗାଳିମନ୍ଦ ଦିଆଯାଉଛି । ପିତୃ ଗୃହର ନିନ୍ଦା ଶୁଣି ଘରେ କବାଟ କିଳି ଅଶ୍ରୁ ବିସର୍ଜନ କରିବା ତା’ର ନିତ୍ୟ-ନୈମିତ୍ତିକ କ୍ରିୟା ହୋଇପଡ଼ିଛି ।

ବିଶେଷତଃ ଶାଶୁର ଆକ୍ରୋଶ କୌଣସି ପ୍ରକାରେ ମେଣ୍ଟେନାହିଁ । ଯଦି କେହି କହେ, ‘‘ଆହା କି ରୂପ ! ବୋହୂର ମୁହଁଟି ଦେଖିଲେ ଆଖିରେ ପଲକ ପଡ଼େନି ।’’ ଶାଶୁ ତର୍ଜନ କରି କହେ, ‘‘ରୂପ ତ ଅଧିକ ! ଯେଭଳି ଘରର ଝିଅ ସେଭଳି ରୂପ ।’’

ଏପରିକି ବୋହୂର ଖାଇବା ପିଇବାର ଯତ୍ନ ନିଆଯାଏନି । ଯଦି କୌଣସି ଦୟାପରତନ୍ତ୍ର ପ୍ରତିବେଶିନୀ, କୌଣସି ତ୍ରୁଟିର ଉଲ୍ଲେଖ କରେ, ଶାଶୁ କହେ, ‘‘ଏଇ ଢେର ହୋଇଛି ।’’ ଅର୍ଥାତ୍ ବାପ ଯଦି ପୂରା ଦାମ୍ ଦେଇଥାନ୍ତା, ତେବେ ଝିଅ ପୂରା ଯତ୍ନ ପାଇଥାନ୍ତା । ସମସ୍ତେ ଏଭଳି ବ୍ୟବହାର ଦେଖାନ୍ତି ଯେପରି ବୋହୂର ଏଠାରେ କୌଣସି ଅଧିକାର ନାହିଁ, ବଳେବଳେ ଘରକୁ ଆସିଛି ।

ବୋଧହୁଏ କନ୍ୟାର ଏଇ ସକଳ ଅନାଦର ଏବଂ ଅପମାନର କାହାଣୀ ପିତାର କର୍ଣ୍ଣଗୋଚର ହୋଇଛି । ତେଣୁ ରାମସୁନ୍ଦର ଘରବାଡ଼ି ବିକ୍ରି କରିବାର ଚେଷ୍ଟାରେ ଲାଗିଲେ ।

କିନ୍ତୁ ଯେଉଁ ପିଲାମାନଙ୍କୁ ଗୃହହୀନ କରିବାକୁ ଯାଉଛି ସେ କଥା ସେମାନଙ୍କ ନିକଟରେ ଗୋପନ ରଖି ସ୍ଥିର କରିଛି, ସେ ଘର ବିକ୍ରୟ କରି ସେଇ ଘରକୁ ଭଡ଼ାରେ ଆଣି ବାସ କରିବ । ଏଭଳି କୌଶଳରେ ଚଳିବ ଯେ, ତା’ର ମୃତ୍ୟୁ ପୂର୍ବରୁ ପିଲାମାନେ ଜାଣିପାରିବେ ନାହିଁ ।

କିନ୍ତୁ ପୁଅମାନେ ଜାଣିପାରିଲେ । ସମସ୍ତେ ଆସି କାନ୍ଦିବାକୁ ଲାଗିଲେ । ବିଶେଷତଃ ବଡ଼ ତିନୋଟି ପୁଅ ବିବାହିତ ଏବଂ ସେମାନଙ୍କର କାହାରି କାହାରି ସନ୍ତାନ ମଧ୍ୟ ଅଛନ୍ତି । ସେମାନଙ୍କର ଆପତ୍ତି ଅତ୍ୟନ୍ତ ଗୁରୁତର ଅବସ୍ଥା ଧାରଣ କଲା । ଗୃହ ବିକ୍ରୟ ସ୍ଥଗିତ ହେଲା ।

ତାପରେ ନାନା ସ୍ଥାନରୁ ଅତିରିକ୍ତ ସୁଧରେ ଅଳ୍ପ ଅଳ୍ପ କରି ଟଙ୍କା ଧାର କରିବାକୁ ଲାଗିଲେ । ଏଭଳି ହେଲା ଯେ ଘରର ଖର୍ଚ୍ଚ ମଧ୍ୟ ଅଚଳ ।

ନିରୁ, ବାପାର ମୁଖ ଦେଖି ସବୁ ବୁଝିପାରିଲା । ବୃଦ୍ଧର ପକ୍ୱ କେଶ, ଶୁଷ୍କ ମୁଖ ଏବଂ ସଦା ସଂକୁଚିତ ଭାବରାଜିରେ ଦୈନ୍ୟ ଏବଂ ଦୁଶ୍ଚିନ୍ତା ପ୍ରକାଶିତ ହେଲା । କନ୍ୟାର ପାଶରେ ପିତା ଯେତେବେଳେ ଅପରାଧୀ ସେତେବେଳେ ସେ ଅନୁତାପର ଅପରାଧ ଆଉ ଗୋପନ ରଖାଯାଇପାରେ ? ରାମସୁନ୍ଦର ଯେତେବେଳେ ସମୁଦି ଘରର ଅନୁମତି କ୍ରମେ କ୍ଷଣକାଳ ପାଇଁ କନ୍ୟାର ସାକ୍ଷାତଲାଭ କରେ, ତେତେବେଳେ ପିତାର ହୃଦୟ କିପରି ଉତଫୁଲ୍ଲିତ ହୁଏ, ତାହାର ହସ ଦେଖିଲେ ସନ୍ଧାନ ମିଳିଯାଇଥାଏ ।

ସେଇ ବ୍ୟଥିତ ପିତୃହୃଦୟକୁ ସାନ୍ତ୍ୱନା ଦେବା ସକାଶେ କିଛିଦିନ ପାଇଁ ପିତୃ ଗୃହକୁ ଯିବାଲାଗି ନିରୁ ନିତାନ୍ତ ଅଧୀର ହୋଇଉଠିଛି । ପିତାର ମ୍ଲାନ ମୁଖ ଦେଖି ସେ ଆଉ ଦୂରରେ ରହିପାରିବ ନାହିଁ । ଦିନେ ରାମସୁନ୍ଦରକୁ କହିଲା, ‘‘ବାପା, ମୋତେ ଥରେ ଘରକୁ ଡାକି ନେଇଯାଅ-।’’

ରାମସୁନ୍ଦର କହିଲେ, ‘‘ଆଚ୍ଛା ।’’

କିନ୍ତୁ ତାଙ୍କର କୌଣସି ଜୋର ନାହିଁ–ନିଜର କନ୍ୟାଉପରେ ପିତାର ଯେଉଁ ସ୍ୱାଭାବିକ ଅଧିକାର ଅଛି, ତାହା ଯେପରି ପଣ ଟଙ୍କାର ପରିବର୍ତ୍ତେ ବନ୍ଧକ ରଖା ହୋଇଅଛି । ଏପରିକି କନ୍ୟା ଦର୍ଶନ ପାଇଁ ସେ ଅତି ସଂକୋଚେ ଭିକ୍ଷାପ୍ରାର୍ଥୀ ହୁଅନ୍ତି ଏବଂ ସମୟ ବିଶେଷେ ନିରାଶ ହେଲେ ଦ୍ୱିତୀୟ କଥାଟି କହିବାକୁ ପାଟି ଫିଟେନାହିଁ ।

 

କିନ୍ତୁ କନ୍ୟା ନିଜର ଘରକୁ ଆସିବାକୁ ଚାହିଁଲେ ପିତା ତାକୁ ନ ଆଣି କିମିତି ରହିବ ? ତେଣୁ ସମୁଦି ପାଖରେ ସେ ସମ୍ୱନ୍ଧେ ଦରଖାସ୍ତ ପେଶ୍ କରିବାର ପୂର୍ବେ ରାମସୁନ୍ଦର କେତେ ହୀନତା, କେତେ ଅପମାନ, କେତେ କ୍ଷତି ସ୍ୱୀକାର କରି ଯେଉଁ ତିନୋଟି ହଜାର ଟଙ୍କା ସଂଗ୍ରହ କରିଛନ୍ତି, ସେ ଇତିହାସ ଗୋପନ ରଖିବା ଭଲ ।

 

ନୋଟଗୁଡ଼ିକ ରୁମାଲରେ ସାଇତି, ଚାଦରରେ ବାନ୍ଧି ରାମସୁନ୍ଦର ସମୁଦିର ନିକଟକୁ ଯିବାପାଇଁ ବସିଲେ । ପ୍ରଥମେ ହସ ହସ ମୁହଁରେ ଗାଁର ହାଲଚାଲ ଚର୍ଚ୍ଚା ହେଲା । ହରେକୃଷ୍ଣର ଘରେ ମସ୍ତବଡ଼ ହୋଇଥିବା ଚୋରି ବିଷୟର ଆଦ୍ୟପ୍ରାନ୍ତ ବିବରଣ କହିଲେ । ନବୀନମାଧବ ଓ ରାଧାମାଧବ ଦୁଇଭାଇ ମଧ୍ୟରେ ତୁଳନା କରି ବିଦ୍ୟାବୁଦ୍ଧି ଓ ସ୍ୱଭାବ ସମ୍ୱନ୍ଧେ ରାଧାମାଧବର ସୁଖ୍ୟାତି ଏବଂ ନବୀନମାଧବର ନିନ୍ଦା କଲେ । ସହରକୁ ଗୋଟିଏ ନୂତନ ବ୍ୟୋମଯାନ ଆସିଛି, ସେ ସମ୍ୱନ୍ଧରେ ଅଜବ ଆଲୋଚନା କଲେ ।

 

ସର୍ବଶେଷରେ ହୁକାଟି ରଖି କଥା ପ୍ରସଙ୍ଗରେ କହିବାକୁ ଲାଗିଲେ, ‘ହଁ, ହଁ, ସମୁଦି ସେଇ ଟଙ୍କାଟା ପୂରା ବାକି ଅଛି । ସବୁଦିନେ ମନେକରେ, ଗଲାବେଳେ କିଛି ନେଇକରି ଯିବେ ବୋଲି । କିନ୍ତୁ ଯଥା ସମୟରେ ମନେପଡ଼େନି । କ’ଣ ଭାଇ, ବୁଢ଼ା ହୋଇଗଲିଣି ।’’ ଏଭଳି ଏକ ଦୀର୍ଘ ଭୂମିକା କରି ପଞ୍ଜରାର ତିନିଖଣ୍ଡି ଅସ୍ଥିର ସ୍ୱରୂପ ସେହି ତିନିଖଣ୍ଡି ନୋଟ୍ ଯେପରି ଅତି ସହଜରେ ଅତି ଅବହେଳାରେ ବାହାର କରିବାକୁ ଲାଗିଲେ । ସମୁଦାୟ ତିନି ହଜାର ଟଙ୍କା ନୋଟ୍ ଦେଖି ରାୟବାହାଦୁର ଅଟ୍ଟହାସ୍ୟ କରିଉଠିଲେ । କହିଲେ, ‘‘ଥାଉ, ସମୁଦି, ଏଥିରେ ମୋର କିଛି ଦରକାର ନାହିଁ ।’’ ଏକ ପ୍ରଚଳିତ ବଙ୍ଗଳା ପ୍ରବାଦର ଉଲ୍ଲେଖ କରି କହିଲେ; ସାମାନ୍ୟ କାରଣେ ହାତ ଦୁର୍ଗନ୍ଧ କରିବାକୁ ସେ ଚାହାନ୍ତି ନାହିଁ ।

 

ଏଇ ଘଟଣାର ପରେ ଝିଅକୁ ଘରକୁ ଆଣିବାର ପ୍ରସ୍ତାବ କାହାରି ମୁଖରେ ଶୁଣାଯାଇ ନାହିଁ । କେବଳ ରାମସୁନ୍ଦର ଭାବିଲେ ସେ ସକଳ କୁଟୁମ୍ୱିତାର ସଙ୍କୋଚ ମୋତେ ଶୋଭାପାଉନି । ମର୍ମାହତ ଭାବେ ଅନେକ କ୍ଷଣ ଚୁପ୍ ରହି ଅବଶେଷେ ମୃଦୁସ୍ୱରେ କଥାଟା ପକାଇଲେ । ରାୟ ବାହାଦୂର କୌଣସି କାରଣ ମାତ୍ର ଉଲ୍ଲେଖ ନ କରି କହିଲେ, ‘‘ସେ କଥା ବର୍ତ୍ତମାନ ହୋଇପାରିବ ନାହିଁ ।’’ ଏହା କହି କର୍ମୋପଲକ୍ଷେ ସ୍ଥାନାନ୍ତରେ ଗମନ କଲେ ।

 

ରାମସୁନ୍ଦର ଝିଅପାଖରେ ମୁଖ ନ ଦେଖାଇ କମ୍ପିତ ହସ୍ତରେ କେତେଖଣ୍ଡି ନୋଟ୍ ଚାଦରର ପ୍ରାନ୍ତ ଭାଗରେ ବାନ୍ଧି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ମନେମନେ ପ୍ରତିଜ୍ଞା କଲେ, ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଟଙ୍କା ପରିଶୋଧ ନ କରିଦେଇଛି, ଅସଙ୍କୋଚେ କନ୍ୟାର ଉପରେ ଦାବି କରିପାରିବେ ନାହିଁ କି ସେତେଦିନ ପର୍ଯ୍ୟନ୍ତ ସମୁଦି ଘରକୁ ଯିବେନାହିଁ ।

 

ବହୁଦିନ ଗଲା । ନିରୁପମା ଲୋକ ପରେ ଲୋକ ପଠାଇ ମଧ୍ୟ ବାପାର ଦେଖା ପାଇଲା ନାହିଁ । ଶେଷ ବେଳକୁ ଅଭିମାନ କରି ଲୋକ ପଠାଇବା ବନ୍ଦ କଲା । ସେତେବେଳେ ରାମସୁନ୍ଦରଙ୍କର ମନରେ ବଡ଼ ଆଘାତ ଲାଗିଲା, ତଥାପି ସେ ଗଲେ ନାହିଁ ।

 

ଆଶ୍ୱିନ ମାସ ହେଲା । ରାମସୁନ୍ଦର କହିଲେ, ‘‘ଏଥର ପୂଜା ବେଳକୁ ମା’କୁ ଘରକୁ ଡାକିଆଣିବି, ନଚେତ ମୁଁ– ।’’ ଖୁବ୍ ଶକ୍ତ ଶପଥ କଲେ ।

 

ପଞ୍ଚମୀ କି ଷଷ୍ଠୀ ଦିନ ପୁନର୍ବାର ଚାଦରର ପ୍ରାନ୍ତରେ କେତେ ଖଣ୍ଡି ନୋଟ୍ ବାନ୍ଧି ରାମସୁନ୍ଦର ଯାତ୍ରାରମ୍ଭ କରିବାକୁ ଲାଗିଲେ । ପାଞ୍ଚ ବରଷର ଏକ ନାତି ଆସି କହିଲା, ‘‘ଅଜା ଅଜା, ମୋ ପାଇଁ ଗାଡ଼ି କିଣି ଯାଉଛ କି ? ବହୁଦିନରୁ ତା’ର ଠେଲାଗାଡ଼ିରେ ଚଢ଼ି ହାଉଆ ଖାଇବାର ସଉକ ହୋଇଛି । କିନ୍ତୁ କୌଣସି ପ୍ରକାରରେ ତାହା ମେଣ୍ଟିବାର ଉପାୟ ହୋଇପାରୁନାହିଁ । ଛଅ ବରଷର ଏକ ନାତୁଣୀ ଆସି କାନ୍ଦି କାନ୍ଦି କହିଲା–ପୂଜା-ନିମନ୍ତ୍ରଣରେ ଯିବା ଭଳି ତା’ର ଖଣ୍ଡିଏ ହେଲେ ଭଲ ଲୁଗା ନାହିଁ । ରାମସୁନ୍ଦର ଏହା ଜାଣିଲେ ଏବଂ ସେ ସମ୍ୱନ୍ଧେ ତମାଖୁ ଖାଇ ଖାଇ ବୃଦ୍ଧ ଅନେକ ଚିନ୍ତା କଲେ । ରାୟବାହାଦୁରଙ୍କ ଘରୁ ଯେତେବେଳେ ପୂଜା-ନିମନ୍ତ୍ରଣ ଆସିବ, ସେତେବେଳେ ତାହାର ବୋହୂମାନେ ଅତି ଯତକିଞ୍ଚିତ୍ ଅଳଙ୍କାରରେ ଭୂଷିତା ହୋଇ ଅନୁଗ୍ରହ-ପାତ୍ର ଦରିଦ୍ର ଭଳି ଯିବେ, ଏ କଥା ସ୍ମରଣ କରି ସେ ଅନେକ ଦୀର୍ଘଶ୍ୱାସ ପକାଇଲେ । କିନ୍ତୁ ତାଙ୍କ ଲଲାଟର ବାର୍ଦ୍ଧକ୍ୟ ରେଖା ଗଭୀରତର ଅଙ୍କିତ ହେବା ବ୍ୟତୀତ ଅନ୍ୟ କୌଣସି ଫଳ ହୋଇନାହିଁ ।

 

ଦୈନ୍ୟ-ପୀଡ଼ିତ ଗୃହର କ୍ରନ୍ଦନ ଧ୍ୱନି ଶ୍ରବଣ କରି ବୃଦ୍ଧ ତାଙ୍କର ସମୁଦି ଘରକୁ ପ୍ରବେଶ କଲେ । ଆଜି ସେ ସଙ୍କୋଚ ଭାବ ନାହିଁ । ଦ୍ୱାରରକ୍ଷୀ ଏବଂ ଭୃତ୍ୟବର୍ଗଙ୍କର ମୁଖପ୍ରତି ସେ ଚକିତ ସଲ୍ଲଜ ଦୃଷ୍ଟିପାତ ଦୂର ହୋଇଯାଇଛି, ଯେପରି ନିଜର ଗୃହରେ ପ୍ରବେଶ କରିଛନ୍ତି । ଶୁଣିବାକୁ ପାଇଲେ, ରାୟବାହାଦୁର ଘରେ ନାହାନ୍ତି । କିଛି ସମୟ ଅପେକ୍ଷା କରିବାକୁ ହେବ । ମନର ଉଚ୍ଛ୍ୱାସ ସମ୍ୱରଣ କରିନପାରି ରାମସୁନ୍ଦର କନ୍ୟାର ସହିତ ସାକ୍ଷାତ କଲେ । ଆନନ୍ଦରେ ଚକ୍ଷୁଦ୍ୱୟରୁ ଅଶ୍ରୁବିନ୍ଦୁ ପତିତ ହେଲା । ପିତା-କନ୍ୟା ଉଭୟେ କାନ୍ଦୁଛନ୍ତି, କେହି କାହାରିକୁ କଥା କହିପାରୁନି । ଏଭଳି କିଛି ସମୟ ଅତୀତ ହେଲା । ତାପରେ ରାମସୁନ୍ଦର କହିଲେ, ‘‘ମା’, ଏଥର ତୋତେ ନେଇଯାଉଛି । ଆଉ କୌଣସି ପ୍ରକାର ଗଣ୍ଡଗୋଳ ନାହିଁ ।’’

 

ଏହି ସମୟରେ ରାମସୁନ୍ଦର ଜ୍ୟେଷ୍ଠପୁତ୍ର ହରମୋହନ ନିଜର ଦୁଇଟି ଛୋଟପୁଅଙ୍କୁ ସଙ୍ଗରେ ଆଣି ସହସା ଘରେ ପ୍ରବେଶ କଲେ । ବାପାକୁ କହିଲେ, ‘‘ବାପା, ତେବେ ଆମ୍ଭମାନଙ୍କୁ ଏଥର ପଥର ଭିକାରି କଲ’’ ? ରାମସୁନ୍ଦର ସହସା ଅଗ୍ନିମୂର୍ତ୍ତି ହୋଇ କହିଲେ, ‘‘ତୋଲାଗି କ’ଣ ମୁଁ ନର୍କଗାମୀ ହେବି ? ମୋତେ ମୋର ସତ୍ୟପାଳନ କରିବାକୁ କ’ଣ ଦେବନାହିଁ’’ ?

 

ରାମସୁନ୍ଦର ଗୃହ ବିକ୍ରୟ କରିଥିଲେ । ପୁଅମାନେ କିଛି ଜାଣିନପାରିଲା ଭଳି ଅନେକ ବ୍ୟବସ୍ଥା କରିଥିଲେ, କିନ୍ତୁ ତଥାପି ଜାଣିବାର ଦେଖି ତାହାପ୍ରତି ହଠାତ୍ ଅତ୍ୟନ୍ତ ରୁଷ୍ଟ ଓ ବିରକ୍ତ ହୋଇଉଠିଲେ ।

 

ତାହାର ନାତି ତା’ର ଆଣ୍ଠୁ ଦୁଇଟିକୁ ଜୋରରେ ଜାବୁଡ଼ିଧରି ମୁଖ ଟେକି କହିଲା, ‘‘ଅଜା, ମୋ ପାଇଁ ଗାଡ଼ି କିଣି ଦେଲନାହିଁ ?

 

ନତଶିର ରାମସୁନ୍ଦରଠାରୁ ବାଳକ କୌଣସି ଉତ୍ତର ନପାଇ ନିରୁପାଖକୁ ଯାଇ କହିଲା, ‘‘ପିଉସୀ, ମୋ ପାଇଁ ଖଣ୍ଡିଏ ଗାଡ଼ି କିଣିଦେବ କି ?’’

 

ନିରୁପମା ସମସ୍ତ ଘଟଣା ବୁଝିପାରି କହିଲା, ‘‘ବାପା; ତୁମେ ଯଦି ଆଉ ଗୋଟିଏ ହେଲେ ପଇସା ମୋର ଶ୍ୱଶୁରକୁ ଦିଅ ତାହେଲେ ତୁମେ ତୁମର ଝିଅକୁ ଜୀବନରେ ଦେଖିବାକୁ ପାଇବ ନାହିଁ । ଏଇ ତୁମ ଦେହଛୁଇଁ କହୁଛି ।’’

 

ରାମସୁନ୍ଦର କହିଲେ, ‘‘ଛି ମା’, ଏମିତି କଥା କହିଲେ ହେବନାହିଁ । ଯଦି ଏ ଟଙ୍କାଟା ମୁଁ ନଦେଇପାରେ ତାହେଲେ ତୋର ବାପର ଅପମାନ, ତୋର ବି ଅପମାନ ।’’

 

ନିରୁ କହିଲା, ‘‘ଟଙ୍କା ଯଦି ଦିଅ ତେବେ ବି ଅପମାନ । ତୁମ କନ୍ୟାର କ’ଣ କୌଣସି ମର୍ଯ୍ୟାଦା ନାହିଁ ? ମୁଁ କ’ଣ କେବଳ ଗୋଟାଏ ଟଙ୍କାର ଥଳି–ଯେତେବେଳଯାଏ ଟଙ୍କା ଅଛି ତେତେବେଳ ପର୍ଯ୍ୟନ୍ତ ମୋର ମୂଲ୍ୟ ? ନା, ବାପା, ଏ ଟଙ୍କା ଦେଇ ତୁମେ ମୋତେ ଅପମାନିତ କରନାହିଁ । ତା’ ଛଡ଼ା, ମୋ ସ୍ୱାମୀ ତ ଏ ଟଙ୍କା ଚାହୁଁନାହାନ୍ତି ।’’

 

ରାମସୁନ୍ଦର କହିଲେ, ‘‘ମା’, ତାହେଲେ ତୋତେ ଯିବାକୁ ଛାଡ଼ିବେ ନାହିଁ ।’’

 

ନିରୁପମା କହିଲା, ‘‘ନ ଛାଡ଼ିଲେ କ’ଣ କରିପାରିବ, ତୁମେ ମୋତେ ଆଉ ନେଇଯିବାକୁ ଚାହଁନାହିଁ ।’’

 

ରାମସୁନ୍ଦର କମ୍ପିତ ହସ୍ତେ ନୋଟବନ୍ଧା ଚାଦରଟି ସ୍କନ୍ଧରେ ଧାରଣକରି ଚୌର ସଦୃଶ ସମସ୍ତଙ୍କ ଦୃଷ୍ଟି ଅନ୍ତରାଳରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

 

କିନ୍ତୁ ରାମସୁନ୍ଦରଙ୍କର ଟଙ୍କା ଆଣିବା କଥା ଏବଂ କନ୍ୟାର ନିଷେଧ ଫଳରେ ଟଙ୍କା ନଦେଇ ଚାଲିଯିବା କଥା ଗୋପନ ଭାବେ ରହିଲା ନାହିଁ । କୌଣସି ସ୍ୱଭାବ-କୌତୂହଳୀ ଦ୍ୱାର ଲଗ୍ନକର୍ଣ୍ଣ ଦାସୀ ନିରୁର ଶାଶୁକୁ ଏ ଖବର ଦେଲା । ଏହା ଶୁଣି ତା’ର ଆଉ ଆକ୍ରୋଶର ସୀମା ରହିଲା ନାହିଁ । ନିରୁପମା ପକ୍ଷେ ତା’ର ଶ୍ୱଶୁର ଗୃହ ଶରଶଯ୍ୟା ସଦୃଶ । ତାହାର ସ୍ୱାମୀ ବିବାହର ଅଳ୍ପଦିନପରେ ଡେପୁଟିମାଜିଷ୍ଟ୍ରେଟ୍ ହୋଇ ଦେଶାନ୍ତର ଚାଲିଯାଇଛନ୍ତି । ସଂସର୍ଗ ଦୋଷ ହେତୁ ହୀନତା ଶିକ୍ଷା ହୁଏ, ଏଇଯୋଗୁଁ ବର୍ତ୍ତମାନ ପିତୃ ଗୃହର ଆତ୍ମୀୟମାନଙ୍କ ସହିତ ନିରୁର ସାକ୍ଷାତକାର ମଧ୍ୟ ସଂପୂର୍ଣ୍ଣ ହୋଇଅଛି ।

 

ଏଇ ସମୟରେ ନିରୁ ଗୁରୁତର ଭାବେ ପୀଡ଼ିତ ହେଲା । କିନ୍ତୁ, ସେଥିପାଇଁ ତାହାର ଶ୍ୱଶ୍ରୁଦେବୀଙ୍କୁ ସଂପୂର୍ଣ୍ଣ ଦୋଷ ଦିଆଯିବ ନାହିଁ । ଶରୀର ପ୍ରତି ସେ ଅତ୍ୟନ୍ତ ଅବହେଳା କରେ । କାର୍ତ୍ତିକ ମାସରେ ଥଣ୍ଡା ସମୟରେ ମୁଣ୍ଡ ପାଖରେ ଦ୍ୱାରଖୋଲା, ଶୀତ କାଳରେ ଶରୀରରେ ଶୀତଲୁଗା ନଥାଏ । ଖାଇବାର ନିୟମ ନାହିଁ । ଦାସୀ ଯେତେବେଳେ ମଝିରେ ମଝିରେ ଖାଇବାପାଇଁ ଆଣିବାକୁ ଭୁଲିଯାଏ, ତେତେବେଳେ ତାକୁ ସେ ଥରେ ସୁଦ୍ଧା ମୁହଁ ଖୋଲି ସ୍ମରଣ କରେଇଦିଏ ନାହିଁ । ସେ ଯେ ତା’ର ଘରର ଦାସଦାସୀ ଏବଂ କର୍ତ୍ତା, ଗୃହିଣୀର ଅନୁଗ୍ରହ ଉପରେ ନିର୍ଭର କରି ବାସ କରିଛି । ଏଇ ସଂସ୍କାର ତା’ର ମନରେ ବଦ୍ଧମୂଳ ହୋଇଥିଲା, କିନ୍ତୁ ଏଭଳି ଭାବ ଶାଶୁର ସହ୍ୟ ହୁଏନାହିଁ । ଯଦି ଆହାର ପ୍ରତି ବଧୂର କୌଣସି ଅବହେଳା କରିବାର ଦେଖନ୍ତି, ତେବେ ଶାଶୁ କହନ୍ତି, ‘‘ନବାବ ଘରର ଝିଅ କି ନା ଗରିବ ଘରର ଭାତ ୟାର ମୁଖରେ ରୁଚୁ ନାହିଁ ।’’ ରୋଗ ଯେତେବେଳେ ଗୁରୁତର ହୋଇଉଠିଲା, ସେତେବେଳେ ଶାଶୁ କହିଲେ, ‘‘ୟାର ସବୁ ଠକାମି ।’’

 

ଅବଶେଷେ ଦିନେ ନିରୁ ଶାଶୁକୁ ସବିନୟେ କହିଲା, ‘‘ବାପାକୁ ଆଉ ମୋର ଭାଇମାନଙ୍କୁ ଥରେ ଦେଖିବି–ମା’ ?’’

 

ଶାଶୁ କହିଲେ, ‘‘କେବଳ ବାପଘରକୁ ଯିବାର ଏ ଛଳନା ।’’

 

କହିଲେ କେହି ବିଶ୍ୱାସ କରିବେ ନାହିଁ, ଯେଉଁଦିନ ସନ୍ଧ୍ୟାବେଳେ ନିରୁର ଶ୍ୱାସ ଉପସ୍ଥିତ ହେଲା, ସେଇଦିନ ପ୍ରଥମ କରି ଡାକ୍ତର ଦେଖିଲେ ଏବଂ ସେଇଦିନ ଡାକ୍ତରଙ୍କର ଦେଖା ମଧ୍ୟ ଶେଷ ହେଲା ।

 

ଘରର ବଡ଼ବୋହୂ ମରିଛି । ଖୁବ୍ ଜାକଜମକରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେଲା । ପ୍ରତିମା ବିସର୍ଜନର ସମାରୋହ ସମ୍ୱନ୍ଧେ ଜିଲାର ମଧ୍ୟରେ ରାୟଚୌଧୁରୀଙ୍କର ଯେପରି ଲୋକବିଖ୍ୟାତ ପ୍ରତିପତ୍ତି ଅଛି, ବଡ଼ବୋହୂର ସତ୍କାର ସମ୍ୱନ୍ଧେ ରାୟବାହାଦୁରଙ୍କର ସେପରି ଖ୍ୟାତି ପ୍ରଚାରିତ ହେଲା–ଏପରି ଚନ୍ଦନ କାଠର ଚିତା ଏ ଅଞ୍ଚଳରେ କେହି କେବେ ଦେଖିନାହିଁ । ଏଭଳି ଶ୍ରାଦ୍ଧ କେବଳ ରାୟବାହାଦୁରଙ୍କ ଗୃହରେ ସମ୍ଭବ । ଶୁଣାଯାଏ ଏହାଦ୍ୱାରା ତାଙ୍କର କିଞ୍ଚିତ ଋଣ ହୋଇଥିଲା ।

 

ରାମସୁନ୍ଦରକୁ ସାନ୍ତ୍ୱନା ଦେବା ସମୟରେ, ତାଙ୍କର କନ୍ୟାର କେଉଁଭଳି ମହାସମାରୋହରେ ମୃତ୍ୟୁ ହୋଇଅଛି, ସମସ୍ତେ ତାହାର ବହୁଳ ବର୍ଣ୍ଣନା କଲେ ।

 

ଏଆଡ଼େ ଡେପୁଟି ମାଜିଷ୍ଟ୍ରେଟଙ୍କର ଚିଠି ଆସିଲା, ‘‘ମୁଁ ଏଠାରେ ସମସ୍ତ ବନ୍ଦୋବସ୍ତ କରି ଅଛି, ଅତଏବ ଅବିଳମ୍ୱେ ମୋର ସ୍ତ୍ରୀକୁ ଏଠାକୁ ପଠାଇବେ ।’’

 

ରାୟବାହାଦୁରଙ୍କର ମହିଷୀ ଲେଖିଲେ, ‘‘ବାପା, ତୋ ସକାଶେ ଆଉ ଗୋଟିଏ କନ୍ୟାର ସମ୍ୱନ୍ଧ କରିଅଛି । ଅତଏବ ଅବିଳମ୍ୱେ ଛୁଟି ଆଣି ଏଠାକୁ ଆସିବୁ ।’’

 

ଏଥର କୋଡ଼ିଏ ହଜାର ଟଙ୍କାର ପଣ ଏବଂ ହାତେ ହାତେ ଆଦାୟ ।

★★★

 

ଇସ୍ତଫା

 

ଅଫିସର ବାବୁ ଥିଲେ ଜଣେ ଅଦ୍ଭୁତ ପ୍ରାଣୀ । ଶ୍ରମିକକୁ ଆଖି ଦେଖାଇଲେ, ସେ ଭୃକୁଟୀ କରି ଚାଲିଯିବ । କୁଲି ଉପରେ ହାକିମ୍ ଦେଖାଇଲେ, ରାଗରେ ସେ ମୁଣ୍ଡରୁ ବୋଝ ପକେଇଦେଇ ନିଜ ରାସ୍ତାରେ ଚାଲିଯିବ । ଭିକାରିକୁ କଡ଼ା କଥା କହିଲେ, ତୁମ ଆଡ଼େ ସେ ରକ୍ତାକ୍ତ ଚକ୍ଷୁ ଦେଖାଇ ଚାଲିଯିବ । ଏପରି କି ଗଧ କେବେ କେବେ କଷ୍ଟ ପାଇଲେ, ଦୁଇଟା ନାତ ମାରିବାକୁ ଅଳସେଇବନି । ମାତ୍ର ବିଚରା ଅଫିସ୍ ବାବୁଙ୍କୁ ଆଖିଦେଖାଇଲେ, ହୁକୁମ ଦେଲେ, ଧିକ୍କାର କଲେ ବା ଠୋକର ଦେଲେ, ତାଙ୍କ ବୁଦ୍ଧି ହୁଡ଼ିଯିବ । ତାଙ୍କର ନିଜର ବିଚାର ଉପରେ ଯେପରି ଆଧିପତ୍ୟ ଥାଏ, ସେପରି କୌଣସି ସାଧୁଠାରେ ନଥିବ । ସନ୍ତୋଷର ପ୍ରତିମା ସହନଶୀଳତାର ମୂର୍ତ୍ତି, ଖାଣ୍ଟି ବୋଲକରା ଇତ୍ୟାଦି ମାନବୀୟ ଗୁଣ ତାଙ୍କଠାରେ ଥିଲା ନିହିତ ।

 

ଭଙ୍ଗାକାନ୍ଥରେ ବି ଦିନେ ଆସେ ତୁମୂଳ ପରିବର୍ତ୍ତନ । ଦୀପାଳି ଦିନ ତା’ଉପରେ ଦୀପାଳି ପାଏ ଶୋଭା । ବର୍ଷାରେ ଖେଳିଯାଏ ତା’ ଜୀର୍ଣ୍ଣ ଶରୀରରେ ହରିୟାଲୀ । ପ୍ରକୃତିର ଶୋଭା ସମ୍ଭାରରେ ବି ତା’ର ଅଛି ଭାଗ । ମାତ୍ର ଏହି ଗରିବର ବଙ୍କା ଭାଗ୍ୟ କେବେ ସଳଖ ହୁଏନି । ତା’ର ନିଷ୍ଠୁର ଚେହେରାରେ କେବେ ମୃଦୁ ହାସ୍ୟର ଆଲୋକ ରେଖା ବି ଦେଖାଯାଏନି । ଭାଗ୍ୟ ତାଙ୍କର ଶୁଷ୍କ ବୈଶାଖ । କେବେ ସବୁଜ ଭାଦ୍ରବ ନୁହେଁ । ଲାଲା ଫତହଚାନ୍ଦ ଏହିପରି ଥିଲେ ଜଣେ ଅଦ୍ଭୁତ ପ୍ରାଣୀ ।

 

କହନ୍ତି–ମନୁଷ୍ୟ ଉପରେ ତା’ର ନାମର କିଛି ପ୍ରଭାବ ପଡ଼େ । ମାତ୍ର ଫତହଚାନ୍ଦଙ୍କ ରାଶିରେ ଏହାର ତାତ୍ପର୍ଯ୍ୟ ନଥିଲା । ଯଦି ତାଙ୍କୁ ହାରଚାନ୍ଦ କୁହାଯାଆନ୍ତା, ତେବେ କେବେହେଲେ ଅଯୌକ୍ତିକ ହୁଅନ୍ତା ନାହିଁ । ଅଫିସ୍ କାମରେ ହାର୍, ଜୀବନରେ ହାର୍, ବନ୍ଧୁମହଲରେ ହାର୍ । ଜୀବନର ଚତୁଃପାର୍ଶ୍ୱରେ ତାଙ୍କର କେବଳ ଫେଲ୍ ଏବଂ ନୈରାଶ୍ୟପୂର୍ଣ୍ଣ । ପୁଅ ଗୋଟିଏ ନାହିଁ, ମାତ୍ର ଝିଅ ତିନି । ଭାଇ ଜଣେ ନାହିଁ, ମାତ୍ର ଭାଉଜ ଦୁଇ । କରମରେ ପଇସା ନାହିଁ, କିନ୍ତୁ ହୃଦୟରେ ଦୟା ଏବଂ ମୁରବିପଣିଆ । ଯେଉଁମାନଙ୍କ ସହିତ ମିତ୍ରତା ହୋଇଥିଲା, ସେମାନଙ୍କ ମଧ୍ୟରୁ ଜଣେହେଲେ ପ୍ରକୃତ ବନ୍ଧୁ ନଥିଲେ । ସେ ପାଉଥିଲେ ବିଶ୍ୱାସ-ଘାତକତା । ଏଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ନଥିଲା ସୁସ୍ଥ । ଏଣୁ ବତିଶ ବର୍ଷ ବୟସରେ କେଶ ହୋଇଯାଇଥିଲା ଖେଚୁଡ଼ି ପରି । ଅର୍ଥାତ୍ ଅଧେ କଳା ଓ ଅଧେ ଧଳା’ ଚକ୍ଷୁ ଜ୍ୟୋତିହୀନ । ହଜମଶକ୍ତି ଶୂନ୍ । ଜ୍ୟୋତିହୀନ ଚେହେରା । ଗାଲ ଯାଇଛି ପଶି । ଅଣ୍ଟା ଯାଇଛି ନଇଁ । ହୃଦୟରେ ନାହିଁ ସାହସ । କଲିଜାରେ ନାହିଁ ତାବତ୍ । ନଅଟା ବାଜିଲେ ଯାନ୍ତି ଅଫିସକୁ । ଛଅଟା ବାଜିଲେ ଆସନ୍ତି ଘରକୁ । ସେତେବେଳକୁ ହୋଇଯାଇଥାଏ ସଂଧ୍ୟା । ପୁଣି ଥରେ ପଦାକୁ ଯିବାକୁ ଦେହରେ ନ ଥାଏ ବପୁ । ଦୁନିଆଁରେ କଅଣ ହେଉଛି ତାଙ୍କୁ ଜଣାନାହିଁ । ଦୁନିଆକୁ ଦୁସ୍ପର୍ଗ କୁହ, ମର୍ତ୍ତ୍ୟ କୁହ, ସବୁ କିଛି ଥିଲା ତାଙ୍କର ଅଫିସ୍ ।

 

ଚାକିରି ପ୍ରତି ଥାଏ ନିଷ୍ଠା । ଏଥିରେ ଜୀବନର ଅଧିକାଂଶ ସମୟ ଅତିବାହିତ ହୁଏ । ଧର୍ମ ପ୍ରତି ନଥିଲା ସରାଗ । ଦୀନ ଦୁଃଖୀଙ୍କ ସହିତ ସମ୍ୱନ୍ଧ । ମନୋରଞ୍ଜନଠାରୁ ସେ ବହୁତ ଦୂରରେ । ଖେଳ ପ୍ରତି ମନରେ ନଥାଏ ମମତା ।

 

(୨)

 

ଶୀତଦିନ । ଆକାଶରେ ଢାଙ୍କିଥିଲା ବାଦଲ । ଫତହଚାନ୍ଦ ସାଢ଼େ ପାଞ୍ଚଟା ବାଜିବା ପରେ ଅଫିସରୁ ଫେରିଲେ । ଭୋକରେ ପେଟ ଆଉଟ୍ ପାଉଟ୍ । ଅଫିସରୁ ଫେରିଲେ କାହା ସହିତ କଥାବାର୍ତ୍ତା ହୁଏନା । ଚୁପ୍ କରି ତକତା ଉପରେ ଜଡ଼ ଶରୀରଟାକୁ ଗଡ଼େଇଦିଅନ୍ତି । କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ହଲଚଲ ନ ହୋଇ ପଡ଼ିରହନ୍ତି କାଠ ତକତାରେ । ତେବେ ଯାଇ ପାଟିରୁ ବାହାରେ ଶବ୍ଦ । ଆଜି ମଧ୍ୟ ଅନ୍ୟଦିନ ପରି ଚୁପଚାପ୍ ପଡ଼ି ରହିଥିଲେ । ମାତ୍ର ଠିକ୍ ଏକ ମିନିଟ୍ ପରେ ଶୁଣାଗଲା କାହାର ଶବ୍ଦ । ଛୋଟ ଝିଅଟି ଯାଇ ବୁଝିଲା ଅଫିସର ଚପରାସି ସେ । ପତିଦେବ ମୁହଁ ହାତ ଧୋଇବାପାଇଁ ଶାରଦା ଢାଳ-ଗିଲାସ ମାଜୁଥିଲା । କହିଲା-ତାଙ୍କୁ ପଚାର-କଅଣ କାମ ଅଛି ? ବର୍ତ୍ତମାନ ତ ଅଫିସରୁ ଆସିଛନ୍ତି । ପୁଣି କାହିଁକି ଡାକରା ପଡ଼ିଛି ? ଚପରାସି କହିଲା–ସାହେବଙ୍କ ହୁକୁମ ବର୍ତ୍ତମାନ ଡାକିନେବାକୁ, ଜରୁରୀ କାମ ଅଛି ।

 

ଚପରାସିର କଥାରେ ଭାଙ୍ଗିଗଲା ଫତହଚାନ୍ଦର ନୀରବତା । ସେ ମୁଣ୍ଡ ଟେକି ପଚାରିଲେ, କଥା କଅଣ ? ଶାରଦା କହିଲା–କିଛି ନାହିଁ ମ, ଅଫିସ୍‍ର ଚପରାସି । ଫତହଚାନ୍ଦ ଛେପ ଢୋକି କହିଲେ ଅଫିସ୍‍ର ଚପରାସି ? କଅଣ ସାହେବ ଡକେଇଛନ୍ତି ? ଶାରଦା କହିଲା–ହଁ ସାହେବ ଡକେଇଛନ୍ତି ପରା । ତୁମ ସାହେବ କେମିତିକା ଲୋକ ମ ? ଯେତେବେଳେ ଇଚ୍ଛା ସେତେବେଳେ ଡକେଇ ପଠଉଛନ୍ତି ? ସକାଳୁ ଯାଇ ଏଇକ୍ଷଣି ତ ଘରେ ପାଦ ପକେଇଛ । ପୁଣି ଡାକରା ? କହିଦେଇ ଆସୁନା–ଯାଇପାରିବି ନାହିଁ । ଚାକେରିଖଣ୍ଡ ନେଲେ ନେବେ ତ ଆଉ କଅଣ-?

 

ଫତହଚାନ୍ଦ ଟିକିଏ ସହିଯାଇ କହିଲେ ଟିକିଏ ବୁଝ ମ । କେଉଁଥିପାଇଁ ଡକେଇଛନ୍ତି ? ମୁଁ ତ ସବୁ କାମ ଶେଷ କରିଦେଇଥିଲି । ହେଇ ତ ମୁଁ ଏଇଲେ ଫେରିଛି । ଆଛା କଥା ତ ।

ଶାରଦା କହିଲା–ହଇହେ ! ଟିକିଏ ଜଳଖିଆ କରି ଯାଅମ । ଏଇଲେ କିଛି ଦିଟା ନ ଖାଇଲେ ତୁମେ ଯେଉଁ ଲୋକନା–ଚପରାସି ସହିତ କଥାହେଲେ ଘରକୁ ଆସିବା ତୁମର ଆଉ ମନେପଡ଼ିବ ନାହିଁ ।

ଏହା କହି ସେ ଗୋଟିଏ ପ୍ଲେଟରେ ଆଣିଲା ସୁହ୍ଲାଭଜା ଆଉ କିଛି ସେଓ । ଫତହଚାନ୍ଦ ଉଠି ଛିଡ଼ା ହୋଇଗଲେ । କିନ୍ତୁ ଖାଇବା ଜିନିଷ ଦେଖି ତକତାରେ ବସିପଡ଼ିଲେ । ସମୟ ସାଢ଼େ ପାଞ୍ଚ । ଅଫିସର ଭରା କାମ ଶେଷ କରି ଘରକୁ ଫେରିଛନ୍ତି ହାଲିଆହୋଇ । ଭୋକରେ ପେଟ ଜଳୁଛି । ଏପରି ଅବସ୍ଥାରେ ଟିଫିନ୍ ପାଇଁ ଘରଣୀରାଣୀ ସୁହ୍ଲାଭଜା ଖାଇବାର ପ୍ରେମଭରା ଅନୁରୋଧ । ଫତହଚାନ୍ଦ ପ୍ଲେଟକୁ ଦେଖିଲେ । ଡରିଯାଇ କହିଲେ ଝିଅମାନଙ୍କୁ ଦେଇଛ ନା ? ଶାରଦା ଆଖି ତରାଟି କହିଲା–ହଁ, ଦେଇଛି ତୁମେ ଖାଅ ତ । ଇତ୍ୟବସରରେ ଛୋଟ ଝିଅ ଆସି ଛିଡ଼ା ହୋଇଗଲା । ଶାରଦା ତା’ ଆଡ଼କୁ ନାଲିଆଖି ଦେଖାଇ କହିଲା–ତୁ ଆସିଛୁ କଅଣ ରାଗକୁ ବଢ଼େଇବାକୁ ? ଯାଆ–ବାହାରେ ଖେଳିବୁ । ଫତହଚାନ୍ଦ କହିଲେ ରହିବାକୁ ଦିଅ । ଡରଉଛ କଅଣ-? ଚୁନ୍ନୀ ଏଠାକୁ ଆ । ଏଇ ସୁହ୍ଲାଭଜା ନେ । ଚୁନ୍ନୀ ମା’ ଆଡ଼କୁ ଚାହିଁ ଡରି ପଳେଇଲା-। ଫତହଚାନ୍ଦ କହିଲେ–ବିଚାରୀକୁ କାହିଁକି ଡରେଇଲ ଭଲା ? ଦୁଇ ଚାରିଟା ଦାନା ତ ନେଇଥିଲେ ସେ ଖୁସି ହୋଇଥାନ୍ତା ।

ଶାରଦା କହିଲା– ଏହା କେତେ ଯେ ସମସ୍ତଙ୍କୁ ବାଣ୍ଟିବି । ତାକୁ ଦେଲେ ତ ଆର ଦୁଇଜଣ ଆସିଯିବେ । ତେବେ ଦେବ କାହାକୁ ? ଇତ୍ୟବସରରେ ଚପରାସି ପୁଣି ଡାକିଲା– ବାବୁଜୀ-! ମୋର ବହୁତ ବିଳମ୍ୱ ହେଲାଣି । ଶାରଦା–କାହିଁକି, କହିଦେଉନା ମୁଁ ଏଇଲେ ଯାଇପାରିବିନି-। ଫତହଚାନ୍ଦ କହିଲେ କହିବି କିପରି ? ଚାକେରି କଥା ପରା ? ଶାରଦା କହିଲେ–ତାହେଲେ କଅଣ ଜୀବନ ଦେଇ ଖଟୁଥିବ ? ନିଜ ଚେହେରାକୁ ଦେଖୁନା । ସତେ ଯେମିତି ଛ ମାସର ମଳୁ-

ଫତହଚାନ୍ଦ ଶୀଘ୍ର ଶ୍ରୀଘ୍ର ଦୁଇତିନିକଳ ସୁହ୍ଲାଭଜା ପାଟିରେ ପକାଇଦେଇ ଗିଲାସେ ପାଣି ପିଇଦେଲେ । ତାପରେ ବାହାରିଲେ କର୍ମ-କ୍ଷେତ୍ରକୁ । ଶାରଦା ପାନ ଭାଙ୍ଗୁଥିଲା । ଚପରାସି କହିଲା ବାବୁଜୀ ! ଆପଣ ଖୁବ୍ ଡେରି କଲେଣି । ଟିକିଏ ପାହୁଣ୍ଡେଇ ଚାଲନ୍ତୁ । ନହେଲେ ମୁସ୍କିଲ ।

ଫତହଚାନ୍ଦ ଦୁଇପାହୁଣ୍ଡ ଦୌଡ଼ିଯାଇ କହିଲେ ମଣିଷ ପରି ଚାଲିବି ତ । ମୋତେ ବାବୁ ଜେରା କରନ୍ତୁ ବା ଦାନ୍ତ ଦେଖାନ୍ତୁ, ମାତ୍ର ମୋ ଦେହି ଦୌଡ଼ିବା ହେବ ନାହିଁ । ବଙ୍ଗଳାକୁ ଯିବାକୁ ହେବନା ? ଚପରାସି କହିଲା–ଭଲା, ସେ ଅଫିସ୍‍କୁ ଆସିବେ କାହିଁକି ମ ? ବାଦସାହ କି ନା !

ଚପରାସି ଶୀଘ୍ର ଚାଲିବାରେ ଅଭ୍ୟସ୍ତ । ମାତ୍ର ଫତହଚାନ୍ଦ ଯାଉଥିଲେ ଧୀରେ ଧୀରେ । କିଛି ଦୂର ଯିବା ପରେ ସେ ଧଇଁସଇଁ ହୋଇଗଲେ । ଯେତେବେଳେ ତ ମରଦ ପୁଅ, ଆସ୍ତେ ଆସ୍ତେ ଚାଲ ବୋଲି କହିବେ ବା କିପରି ? ସାହସ କରି ପାଦ ଉଠେଇ ଯାଉଥିଲେ । ବାଟ ଚାଲୁଥିଲେ ସିନା । ମାତ୍ର ଜଙ୍ଘ ଭୀଷଣ ଦରଜ ହୋଇଗଲାଣି । ଅଧାରାସ୍ତା ଶେଷ ନ ହେଉଣୁ ପାଦ ଆଗକୁ ଯିବାକୁ ସତେଯେମିତି କେତେବେଳୁ ମନାକଲାଣି । ଦେହ ସାରା ଝାଳରେ ସରବୁଡ଼ା । ମୁଣ୍ଡ ବୁଲେଇଲା । ଆଖି ସାମନାରେ ଉଡ଼ିଲେ ଜୁଳୁଜୁଳିଆ ପୋକ ।

ଚପରାସି ଡାକିଲା ବାବୁଜୀ ! ଟିକିଏ ଶୀଘ୍ର-ପାଦ ପକାନ୍ତୁ । ଫତହଚାନ୍ଦ ବଡ଼ ମୁସ୍କିଲ୍ରେ କହିଲେ ତୁ ଯା । ମୁଁ ପଛରେ ଯାଉଛି । ସେ ସଡ଼କର ଉଚ୍ଚା ଧାରରେ ବସିପଡ଼ିଲେ ମୁଣ୍ଡକୁ ଦୁଇହାତରେ ଜାବୁଡ଼ି ଧରି । ଚପରାସି ତାଙ୍କ ଦଶା ଦେଖି ଆଗକୁ ଚାଲିଲା ।

ଫତହଚାନ୍ଦ ଡରିଗଲେ । ଭାବିଲେ, ଜାଣେନା, ସଇତାନ ଯାଇ କଅଣ କହିଦେଲେ ଅବସ୍ଥା ସାଙ୍ଘାତିକ ହୋଇଯିବ । ଭୂମିରେ ଭରାଦେଇ ବାଧ୍ୟ ହୋଇଉଠିଲେ । ଆଗକୁ ପାଦ ପକାଇ ଧୀରେ ଧୀରେ ଚାଲିଲେ । ମାତ୍ର ଦୁର୍ବଳତା ହେତୁ ଦେହ ଥରୁଥିଲା । ଏପରି ଅବସ୍ଥା ହେଲା ଯେ ଗୋଟେ ଛୋଟ ପିଲା ବି ତାକୁ ଗୋଟେ ଧକ୍କାରେ ତଳେ ପକାଇ ଦେଇପାରିବ । ବିଚରା କୌଣସି ମତେ ପଡ଼ିଉଠି ପହଞ୍ଚିଲେ ସାହେବଙ୍କ ବଙ୍ଗଳାରେ । ସେତେବେଳକୁ ବଙ୍ଗଳାର ବାରଣ୍ଡାରେ ବୁଲୁଥିଲେ ସାହେବ । ବାରମ୍ୱାର ସେ ଚାହୁଁଥିଲେ ଫାଟକ ଆଡ଼କୁ । କାହାକୁ ନ ଆସିବାର ଦେଖି ମନେମନେ ଭାବି ଯାଉଥିଲେ କେତେ କଥା ।

ଚପରାସିକୁ ଦେଖୁ ଦେଖୁ ଆଖି ତରାଟି କହିଲେ–ଏତେ ଡେରି କେଉଁଠାରେ କଲୁ ? ଚପରାସି ବାରଣ୍ଡାର ପାବଚ୍ଛରେ ଛିଡ଼ା ହୋଇ କହିଲା–ହଜୁର ! ସେ ଯେତେବେଳୁ ବାହାରିଲେ, ମୁଁ ତ ଦୌଡ଼ି ଦୌଡ଼ି ଆସୁଛି । ସାହେବ ପାଦ ଅଟକାଇ ପଚାରିଲେ–ବାବୁ ସାହେବ କଅଣ କହିଲା ?

ଚପରାସି କହିଲା–ଆସୁଛନ୍ତି ହଜୁର ! ଘଣ୍ଟେ ହେଲା ତ ଘରୁ ବାହାରିଲେଣି । ଏହି ସମୟରେ ଫତହଚାନ୍ଦ ସ୍କ୍ରିନ୍ ଟେକି ସେଠାରେ ପହଞ୍ଚିଲେ ଏବଂ ମୁଣ୍ଡ ନୁଆଁଇଁ ସାହେବଙ୍କୁ ସଲାମ ଦେଲେ ।

ସାହେବ ଚିଡ଼ିଯାଇ ପଚାରିଲେ ଏପର୍ଯ୍ୟନ୍ତ କେଉଁଠାରେ ଥିଲ ? ସାହେବଙ୍କ ତମତମ ରାଗ ଦେଖି ଫତହଚାନ୍ଦର ରକ୍ତ ଶୁଖିଗଲା । ସେ ଜବାବ ଦେଲେ–ହଜୁର ! ଟିକିଏ ହେଲା ଅଫିସରୁ ଯାଇଛି । ଯେତେବେଳେ ଚପରାସି ଡାକିଛି, ମୁଁ ଆସିଯାଇଛି । ସାହେବ କହିଲେ–ମିଥ୍ୟା-। ସଂପୂର୍ଣ୍ଣ ମିଥ୍ୟା ମୁଁ ଘଣ୍ଟେ ହେଲା ଏଠାରେ ଛିଡ଼ା ହୋଇଛି ।

ଫତହଚାନ୍ଦ କହିଲେ, ହଜୁର । ମୁଁ ମିଛ କହୁନାହିଁ । ଆସିବାରେ ଯାହା ଡେରିହୋଇଛି । ମାତ୍ର ଘରୁ ବାହାରିବାରେ ବିଲକୁଲ୍ ଡେରି ହୋଇନାହିଁ । ସାହେବ ହାତରେ ବେତ ବୁଲାଉ ବୁଲାଉ କହିଲେ–ଚୁପ୍ ରହ ଦନ୍ତାହାତୀ ! ଘଣ୍ଟେ ହେଲା ମୁଁ ଛିଡ଼ା ହୋଇଛି । ତୋ କାନ ଧର ।

ଫତହଚାନ୍ଦ ରାଗ ସମ୍ଭାଳିଦେଇ କହିଲେ ହଜୁର ! ମୁଁ ଦଶବର୍ଷ ହେଲା ଚାକେରି କଲିଣି-। କେବେ ହେଲେ...... ।

ସାହେବ କହିଲେ–ଚୁପ୍ ରହ । ମୁଁ କହୁଛି, ଆଗ ତୋ କାନ ଧର ।

ଫତହଚାନ୍ଦ କହିଲେ–ଯଦି ମୁଁ କିଛି ଦୋଷ କରିନଥାଏ ?

ସାହେବ କହିଲେ–ଚପରାସି ! ଏ ଭାଲୁର କାନଧର ।

ଚପରାସି ନମ୍ର ହୋଇ କହିଲା–ହଜୁର ! ସେ ବି ମୋ ଅଫିସର । ମୁଁ ତାଙ୍କ କାନ ଧରିବି କିପରି ?

ସାହେବ କହିଲେ–ମୁଁ କହୁଛି, ତୁ ତା’ କାନ ଧର । ନୋହିଲେ ତୋତେ ଚାବୁକ ଦେବି । ଚପରାସି କହିଲା–ହଜୁର, ମୁଁ ଏଠାକୁ ଆସିଛି ଚାକେରି ପାଇଁ । ମାଡ଼ ଖାଇବାକୁ ନୁହେଁ । ମୋର ବି ଇଜ୍ଜତ ଅଛି, ହଜୁର ! ଆପଣଙ୍କ ଚାକେରି ଫେରାଇନିଅନ୍ତୁ । ଆପଣ ଯାହା ହୁକୁମ ଦେବେ ତାହା ପାଳନ କରିବି । କିନ୍ତୁ କାହାର ଇଜ୍ଜତ ନଷ୍ଟ କରିନପାରେ । ଚାକେରି ତ ଚାରିଦିନିଆ, ଚାରିଦିନ ପାଇଁ ଜୀବନଟାକୁ କଳୁଷିତ କରିବି କାହିଁକି ?

ସାହେବ ଆଉ କ୍ରୋଧକୁ ସମ୍ଭାଳିପାରିଲେ ନାହିଁ । ଚାବୁକ ନେଇଆସିଲେ । ଚପରାସି ଦେଖିଲା ଏଠାରେ ଛିଡ଼ା ହେବା ମଙ୍ଗଳ ନୁହେଁ । ତେଣୁ ସେ ପଳେଇଗଲା । ଫତହଚାନ୍ଦ ଏ ପର୍ଯ୍ୟନ୍ତ ନୀରବରେ ଛିଡ଼ା ହୋଇଥିଲା । ସାହେବ ଚପରାସିକୁ ନପାଇବାରୁ ଫତହଚାନ୍ଦଙ୍କ ପାଖକୁ ଆସିଲେ ଏବଂ କାନମୋଡ଼ି କହିଲେ ତୁ ଧୃଷ୍ଟତା କରୁଛୁ ? ଶୀଘ୍ର ଫାଇଲ ଆଣ, ଫତହଚାନ୍ଦ କାନ ଆଉଁସୁ ଆଉଁସୁ କହିଲା–‘କେଉଁ ଫାଇଲ ଆଣିବି ସାର୍ ?’

ସାହେବ କହିଲେ–ଫାଇଲ୍ ଫାଇଲ୍ । କିପରି ଫାଇଲ୍ ? ତୁ କଅଣ କାଲା ? ଶୁଭୁ ନାହିଁ–ମୁଁ ଫାଇଲ୍ ମାଗୁଛି ?

ଫତହଚାନ୍ଦ ନମ୍ର ହୋଇ କହିଲେ–ଆପଣ କେଉଁ ଫାଇଲ ମାଗୁଛନ୍ତି ହଜୁର ! ସାହେବ କହିଲେ, ସେହି ଫାଇଲ୍ । ଯେଉଁଟା ମୁଁ ମାଗୁଛି । ବର୍ତ୍ତମାନ ସେ ଫାଇଲ୍ ଆଣ । ବିଚରା ଫତହଚାନ୍ଦକୁ ଆଉ କିଛି କହିବାକୁ ସାହସ ହେଲାନି । ସାହେବ ମହାଶୟଙ୍କର ତ କଡ଼ା ମିଜାଜ୍ । ଏଥିରେ ପୁଣି କଠୋର ଆଦେଶ, ସବୁଠାରୁ ବେଶୀ ମଦ ନିଶା । ଚାବୁକ ଧରି ଯଦି ଅବତାର ହୁଅନ୍ତି, ତେବେ ବିଚରା କରିବ କଅଣ ? ତେଣୁ ଯନ୍ତ୍ର ଚାଳିତ ମେସିନ ପରି ଅଫିସ୍ ଆଡ଼କୁ ଅଗ୍ରସର ହେଲେ ଫତହଚାନ୍ଦ ବାବୁ । ସାହେବ କହିଲେ ଦୌଡ଼ି କରି ଯାଅ । ଆରେ, ଦୌଡ଼ୁଛୁ ନା ନାହିଁ ?

ଫତହଚାନ୍ଦ କହିଲେ–ହଜୁର ! ମୋର ଦେହି ଦୌଡ଼ିବା ହେବ ନାହିଁ । ସାହେବ କହିଲେ–ଓଃ, ତାହେଲେ ସୁସ୍ଥ ହୋଇଗଲୁଣି–ନା ? ରହ–ମୁଁ ତୋତେ ଦୌଡ଼ିବା ଶିଖେିଇ ଦେଉଛି । (ପଛରୁ ଧକ୍କା ଦେଇ) କହିଲେ-ଦୌଡ଼ । ତଥାପି ଦୌଡ଼ୁ ନାହୁଁ ତ ? ଏହା କହି ସାହେବ ଚାବୁକ ଆଣିବାକୁ ଗଲେ । ଫତହଚାନ୍ଦ ଅଫିସ୍ କର୍ମଚାରୀ ହେଲେ ବି ମଣିଷ ସେ । ଯଦି ସେ ବଳବାନ ହୋଇଥାନ୍ତେ, ତେବେ ତା’ ରକ୍ତ ପିଇଯାଆନ୍ତେ । ଯଦି ତାଙ୍କ ପାଖରେ କିଛି ହତିଆର ଥାନ୍ତା, ତେବେ ସେ ଜାନୁଆର ଉପରେ ଚଳେଇ ଦିଅନ୍ତେ । ମାତ୍ର ସେହି ଅବସ୍ଥାରେ ମାଡ଼ ଖାଇବା ତ ତାଙ୍କ କପାଳରେ ଲେଖାଥିଲା । ସେ ନିରୁପାୟ ହୋଇ ସଡ଼କ ଉପରକୁ ପଳେଇଆସିଲେ ।

 

(୩)

 

ପରଦିନ ଫତହଚାନ୍ଦ ଆଉ ଅଫିସ୍‍କୁ ଗଲେନାହିଁ । ଯାଇ କରି କରନ୍ତେ ବା କଅଣ ? ସାହେବ ତ ଫାଇଲର ନାମ କହିଲେ ନାହିଁ । ଅବଶ୍ୟ ନିଶାରେ ଭୁଲିଗଲେ । ଧୀରେ ଧୀରେ ସେ ଚାଲିଲେ ଘର ଆଡ଼କୁ । ମାତ୍ର ସାହେବଙ୍କ ବେଜିତ୍ ତାଙ୍କ ଗୋଡ଼କୁ ହେଲା ଶୃଙ୍ଖଳ ସଦୃଶ । ଧରନ୍ତୁ ସେ ସାହେବଙ୍କଠାରୁ ଶାରୀରିକ ବଳରେ କମ୍ ଥିଲେ, ତାଙ୍କ ହାତରେ କିଛି ହତିଆର ନଥିଲା । କିନ୍ତୁ ସେ କଅଣ ତାଙ୍କ କଥାର ଜବାବ ଦେଇପାରିନଥାନ୍ତେ ? ତାଙ୍କ ପାଦରେ ତ ଥିଲା ଜୋତା । କଅଣ ସେ ଜୋତାରେ ଜବାବ ଦେଇପାରିନଥାନ୍ତେ ? ତାହେଲେ ସେ କାହିଁକି ଏତେ ଅପମାନ–ବେଜିତ୍, ନୀରବରେ ସହିଗଲେ ?

 

ମାତ୍ର ଦରକାର ବା ଥିଲା କଅଣ ? ଯଦି ସେ କ୍ରୋଧ ବଶତଃ ତାକୁ ଗୁଳିକରି ଦେଇଥାନ୍ତେ, ତେବେ ତା’ର ହୋଇଥାନ୍ତା କଅଣ ? କେବଳ ତାଙ୍କୁ ହୋଇଥାନ୍ତା ଏକ ଦୁଇମାସ ଜେଲ୍ । ସମ୍ଭବ ଦୁଇ ଚାରିଶହ ଟଙ୍କା ଜୋରିମାନା ।

 

ତେବେ ସଂସାରରେ କିଏ ତାଙ୍କର ଥିଲା, ଯେକି ତା’ର ସ୍ତ୍ରୀ ଓ ପିଲା-ଛୁଆଙ୍କର ତତ୍ତ୍ୱ ନେଇଥାନ୍ତା ? ସେମାନେ କା ଦୁଆରେ ଯାଇ ହାତ ପତାଇ ଥାନ୍ତେ ? ନିଜ କୁଟୁମ୍ୱର ଭରଣ-ପୋଷଣ ପାଇଁ ଯଦି ତାଙ୍କର ପ୍ରଚୁର ଅର୍ଥ ଥାନ୍ତା ତେବେ ବୋଧେ ସେ ଆଜି ଏ ଅପମାନକୁ ବରଦାସ୍ତ କରିପାରିନଥାନ୍ତେ । ନିଜେ ମରିଥାନ୍ତେ ନୋହିଲେ ଶୈତାନକୁ ସମୁଚିତ ଶିକ୍ଷା ଦେଇଥାନ୍ତେ । ନିଜ ଜୀବନ ପ୍ରତି ନଥିଲା ତାଙ୍କର ଲୋଭ । ଜୀବନରେ ଏପରି କଅଣ ସୁଖ ଥିଲା, ଯାହାପାଇଁ ସେ ଏତେ ଡରୁଥିଲେ । କେବଳ ଥିଲା ଗୋଟିଏ ପ୍ରଶ୍ନ–ପରିବାର ହୋଇଯିବ ବରବାଦ୍-

 

ଆଜି ଫତହଚାନ୍ଦଙ୍କ ନିଜର ଶାରୀରିକ ଦୁର୍ବଳତା ପାଇଁ ଯେତେ ଦୁଃଖ ହେଲା, ସେପରି ଆଉ କେବେ ହୋଇନଥିଲା । ଯଦି ସେ ମୂଳରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇଥାନ୍ତେ, କିଛି କସରତ୍ କରିଥାନ୍ତେ, ଲାଠି ଚାଳନା ଶିଖିଥାନ୍ତେ, ତେବେ କଅଣ ତାଙ୍କ କାନ ଧରିବାକୁ ସେ ଶଇତାନ ସାହସ କରିପାରିଥାନ୍ତା ? ତା’ର ଆଖି ପୂରା ସେ ବାହାର କରିଦେଇନଥାନ୍ତେ ? କିଛି ନ ହେଲେ ବି ଘରୁ ତ ଗୋଟାଏ ଛୁରା ନେଇକରି–ଯିବା-ତାଙ୍କର ଉଚିତ ଥିଲା । ନୋହିଲେ ଦୁଇଚାରି ହାତର ଠେଙ୍ଗାଟାଏ ତ ନେଇପାରିଥାନ୍ତେ ? ଯାହା ହେବାର କଥା ପଛେ ଦେଖାଯାଇଥାନ୍ତା । ହେଲେ ହୋଇଥାନ୍ତା ଜେଲ୍ ? ଆଉ କଅଣ ଅଧିକ ?

 

ସେ ଯେତିକି ଯେତିକି ଆଗକୁ ପାଦ ପକାଉଥିଲେ ତାଙ୍କର ଶରୀର ସେତିକି ସେତିକି ନିଜର ଦୁର୍ବଳତା, କାପୁରୁଷତା ଓ ବୋକାମୀ ଲାଗି ହେଉଥିଲା ଅପମାନିତ । ଯଦି ସେ ରାଗିଯାଇ ତାଙ୍କୁ ଦୁଇଚାରି ଥାପୋଡ଼ ଲଗେଇ ଦେଇଥାନ୍ତେ ତେବେ ହୋଇଥାନ୍ତା କଅଣ ? ଅତି ବଡ଼ରେ ସାହେବଙ୍କ ଖାନ୍‍ସମା, ବେହେରା ସବୁ ତା’ ଉପରକୁ ମାଡ଼ି ଆସିଥାନ୍ତେ ଏବଂ ମାରିମାରି ବେଦମ୍ କରିଦେଇଥାନ୍ତେ । ପିଲା କବିଲାଙ୍କର ଯାହା ହୋଇଥାନ୍ତା–ହୋଇଥାନ୍ତା । ସାହେବଙ୍କୁ ତ ଏହା ଜଣାପଡ଼ିଥାନ୍ତା ଯେକୌଣସି ଦରିଦ୍ରକୁ ଧୋକା ଦେବା ଭଲ ନୁହେଁ । ଯଦି ବାଇଚାନସ୍ ମୁଁ ମରିଯାଇଥାନ୍ତି ତେବେ ମୋ ପିଲାଛୁଆଙ୍କୁ ପାଳନ କରିଥାନ୍ତା କିଏ ? ତା’ହେଲେ ସେମାନେ ଯେଉଁ ଦଶା ଭୋଗିଥାନ୍ତେ, ମନେକର, ଆଜିଠୁଁ ଭୋଗିଲେ । ତେବେ ଆଉ ଭାବି ଲାଭ କଅଣ ?

 

ଏହି ଶେଷ ବିଚାର ଫତହଚାନ୍ଦଙ୍କ ମନରେ ଏପରି ପ୍ରଭାବ ପକାଇଥିଲା ଯେ ତାଙ୍କ ପାଦ ଆଉ ଆଗକୁ ଚଳିଲା ନାହିଁ । ସେ ସାହେବର ପ୍ରତିଶୋଧ ନେବାକୁ ଆଗକୁ ଦୁଇ କଦମ୍ ପକାଇଲେ । ମାତ୍ର ମନରେ ପୁଣି ଆସିଲା ଭାବନା । ଯାହାତ ଅପମାନ ହୋଇଯାଇଛି–ତାହା ସରିଗଲାଣି । ଆଚ୍ଛା ଯଦି ସାହେବ ବଙ୍ଗଳାରୁ କ୍ଲବକୁ ଯାଇଥିବେ ତେବେ ତ କାମ ହାସଲ କରିବାରେ ଫେଲ୍ ହେବ । ନା, ସେ ସବୁ ଅସମ୍ଭବ । ଏହା ଭାବୁ ଭାବୁ ହଠାତ୍ ତାଙ୍କର ଶାରଦାର ବୈଧବ୍ୟ ଓ ପିଲାମାନଙ୍କର ପିତୃହୀନତା କଥା ମନେପଡ଼ିଗଲା । ପୁଣି ସେ ଲେଉଟିଲେ ଘରକୁ ।

 

(୪)

 

ଘରେ ପାଦ ଦେଉ ଦେଉ ଶାରଦା ପଚାରିଲା–କେଉଁଥିପାଇଁ ଡକାଇଥିଲେ କି ? ଏତେ ଡେରି କାହିଁକି କଲ ? ଫତହଚାନ୍ଦ ତକତାଟାରେ ଦେହଟାକୁ ଗଡ଼େଇ ଦେଉ ଦେଉ କହିଲେ, ନିଶା ଘାରିଥିଲା ତ ଆଉ କଅଣ ? ଶଇତାନ ମୋତେ ଗାଳିଦେଲା । ଅପମାନ ଦେଲା । କାହିଁକି ଡେରି ହେଲା ବୋଲି ରହଟ ଲଗେଇଲା । ଚପରାସି ହାତରେ ମୋ କାନ ମୋଡ଼ିବାପାଇଁ କହିଲା । ଶାରଦା ରାଗରେ ତମତମ ହୋଇ କହିଲା–ତୁମେ କ’ଣ ସେହି ଘୁଷୁରିଟାକୁ ଦୁଇଜୋତା ଦେଇପାରିଲ ନାହିଁ ।

 

ଫତହଚାନ୍ଦ କହିଲେ–ଚାପରାସିଟି ଭାରି ଭଦ୍ରଲୋକ । ସେ ସିଧା କହିଦେଲା, ହଜୁର ! ମୁଁ ଏହା କରିପାରିବି ନାହିଁ । ମୁଁ ଭଦ୍ରଲୋକର ଇଜ୍ଜତ ନେବାକୁ ଚାକେରି କରିନାହିଁ । ସେଠାରୁ ସେ ସଲାମ ଦେଇ ଚାଲିଗଲା ।

 

ଶାରଦା କହିଲା–ଏହା ତାହାର ବାହାଦୁରି । ତୁମେ ସେହି ସାହେବଙ୍କୁ ଶୋଧିଲ ନାହିଁ କାହିଁକି ?

 

ଫତହଚାନ୍ଦ କହିଲେ–ମୁଁ କାହିଁକି, ମୁଁ କ’ଣ ଛାଡ଼ିଛି କି ? ମୁଁ ମଧ୍ୟ ବହୁତ ଗାଳିଦେଲି । ସେ ବେତ ନେଇଆସିଲା, ମୁଁ ମଧ୍ୟ ଜୋତା ଉଞ୍ଚେଇଲି । ସେ ମୋତେ ବେତରେ ପାହାରେ ଦେଲା-। ମୁଁ ମଧ୍ୟ ତା’ ଗାଲରେ ଏକ ଜୋତା ଦେଲି । ଶାରଦା ଖୁସିହୋଇ କହିଲା–ସତେ ? ତା’ର ଏତେ ବହପ ହେଲାଣି ? ସେତେବେଳକୁ ଫତହଚାନ୍ଦର ମୁଖରେ ଖେଳିଆସୁଥିଲା ଲଜ୍ଜାର କାଳିମା-

 

ଶାରଦା କହିଲା–ତୁମେ ଖୁବ୍ ଭଲ କରିଛ । ଆହୁରି ପିଟିବାର ଥିଲା । ମୁଁ ଯଦି ହୋଇଥାନ୍ତି, ତା’ ଜୀବନ ନନେଇ ଛାଡ଼ିନଥାନ୍ତି ।

 

ଫତହଚାନ୍ଦ କହିଲେ–ମାରିକରି ତ ଆସିଲି । ଆଉ ବେଶି କିଛି ଭାବି ଲାଭ ନାହିଁ । ଦେଖାଯାଉ ଅବସ୍ଥା କଅଣ ହେଉଛି । ଚାକେରି ତ ନିଶ୍ଚୟ ଯିବ । ଜେଲ୍ ବି ହୋଇପାରେ ।

 

ଶାରଦା କହିଲା–ଜେଲ୍ କାହିଁକି ହେବ ମ ? କ’ଣ କେହି ନ୍ୟାୟ ବିଚାରକ ନାହାନ୍ତି । ସେ ପୋଡ଼ାମୁହାଁ କାହିଁକି ଗାଳିଦେଲା କି ? କାହିଁକି ପିଟିଲା କି ? ଫତହଚାନ୍ଦ କହିଲେ–ତାଙ୍କ ଆଗରେ ମୋ କଥା ଶୁଣିବ କିଏ ? ଅଦାଲତ ତ ତାଙ୍କ ପକ୍ଷ ନେବ ।

 

ଶାରଦା କହିଲା–ହେବାର ଥିଲେ ହେବ । ମାତ୍ର ଦେଖିବ, କୌଣସି ସାହେବର ସାହସ ହେବନାହିଁ ଅନ୍ୟ କୌଣସି ବାବୁଙ୍କୁ ଗାଳିଦେବାକୁ । ତୁମର କର୍ତ୍ତବ୍ୟ ଥିଲା, ସେ ଯେତେବେଳେ ଗାଳିଦେଲା ସଙ୍ଗେ ସଙ୍ଗେ ତା’ର ଗାଲରେ ଜୋତା ଦେଇ ରସିଦ କାଟିଥାନ୍ତ ।

 

ଫତହଚାନ୍ଦ କହିଲେ–ତା’ ହେଲେ ମୋତେ ଆଉ ଜୀଅନ୍ତା ଫେରିବାକୁ ପଡ଼ିନଥାନ୍ତା । ମୋତେ ନିଶ୍ଚୟ ଗୁଳିକରି ଦେଇଥାନ୍ତା ।

 

ଶାରଦା କହିଲା, ଦେଖାଯାଇଥାନ୍ତା ।

 

ଫତହଚାନ୍ଦ ମୁରୁକି ହସି କହିଲେ, ତାହେଲେ ତୁମେ ଯାଇଥାନ୍ତ କେଉଁଠାକୁ ?

 

ଶାରଦା କହିଲା– ଈଶ୍ୱରଙ୍କ ବରାଦ । ମନୁଷ୍ୟର ସବୁଠାରୁ ବଡ଼ ହେଉଛି ଇଜ୍ଜତ । ଇଜ୍ଜତ ହରେଇ ପିଲାଛୁଆଙ୍କୁ ପୋଷଣ କରାଯାଏନା । ତୁମେ ଶଇତାନକୁ ମାରିକରି ଆସିଛ । ଏଣୁ ଗର୍ବରେ ମୋ ଛାତି କୁଣ୍ଢେମୋଟ । ମାଡ଼ଖାଇ କରି ଆସିଥିଲେ ମୁଁ ତୁମକୁ ଘୃଣା କରିଥାନ୍ତି । କିଏ ମୁହଁରେ କିଛି କହିନପାରିଲେ ବି-ହୃଦୟରେ ହୁଏ ଲଜ୍ଜିତ । ଏଣିକି ଯାହା ବିପଦ ଆସିବ, ଖୁସିରେ ତାକୁ ଜଣାଇବି ସ୍ୱାଗତ । ଏହା ଭାବି ଫତହଚାନ୍ଦ ବାହାରକୁ ଆସିବାକୁ ଉଦ୍ୟତ ହୁଅନ୍ତେ, ଶାରଦା ପଚାରିଲା–ହଇ ହେ ! ଯାଉଛ କେଉଁଆଡ଼େ ? ଶୁଣ, ଟିକିଏ ଶୁଣମ ।

 

ଫତହଚାନ୍ଦ ରାଗରେ ତମତମ ହୋଇ ଘରୁ ବାହାରିଗଲେ । ଶାରଦା ଥକିଗଲା ଡାକି ଡାକି ତା’ର ପ୍ରାଣପ୍ରିୟ ସ୍ୱାମୀଙ୍କୁ । ଫତହଚାନ୍ଦ ଯାଉଥିଲେ ସାହେବଙ୍କ ବଙ୍ଗଳାକୁ । ଭୟାଳୁ ହୃଦୟରେ ନୁହେଁ, ମାତ୍ର ଗର୍ବରେ ମୁଣ୍ଡ ଉପରକୁ ଟେକି । ଦୃଢ଼-ସଂକଳ୍ପ ଉକୁଟି ଉଠୁଥିଲା ତାଙ୍କ ମୁଖ ମଣ୍ଡଳରେ । ଗୋଡ଼ରେ ନ ଥିଲା ତାଙ୍କର ସେ ପୂର୍ବ ଦୁର୍ବଳତା । ଆଉ ଚକ୍ଷୁରେ ନ ଥିଲା ନିଷ୍ପ୍ରଭତା । ଶରୀର ହୋଇଥିଲା ପାଷାଣ, ଆଉ ନ ଥିଲା ତାଙ୍କର ନିସ୍ତେଜ ବଦନ, ନିଷ୍ପ୍ରଭ ଚକ୍ଷୁ, କ୍ଷୀଣ ଶରୀର । ଠିକ୍ ଅଫିସ ହାକିମ ପରି ଦେଖାଯାଉଥିଲେ ତେଜସ୍କ୍ରିୟ ଚେହେରାବାନ୍, ସାହସୀ, ବଳବାନ୍, ସୁସ୍ଥବାୟ ଯୁବକ । ପ୍ରଥମେ ଜଣେ ବନ୍ଧୁ ଘରକୁ ଯାଇ ଆଣିଲେ ଗୋଟିଏ ଲାଠି ଏବଂ ନିଜେ ଜଣେ ପହିଲିମାନ୍ ଭାବେ ପହଞ୍ଚିଗଲେ ସାହେବଙ୍କ ବଙ୍ଗଳାରେ ।

 

(୫)

 

ସେହି ସମୟରେ ବାଜିଥିଲା ନଅଟା । ସାହେବ ବସିଥିଲେ ଟେବୁଲ ଖାନାରେ । ଫତହଚାନ୍ଦ ଆଜି ସିଧା ସାହେବଙ୍କ ପାଖକୁ ଆସିବାକୁ ଭ୍ରୂକ୍ଷେପ କଲେନାହିଁ । ଫତହଚାନ୍ଦଙ୍କ ହାତରେ ଲାଠି ଦେଖି ଖାନସମା ଚିତ୍କାର କରିଉଠିଲା ଓ ଘର ଭିତରକୁ ପଳେଇଗଲା । ଅନ୍ଧକାର କୋଠରି ହୋଇଗଲା ଆଲୋକିତ । ଚଟାଣରେ ବିଛା ହୋଇଗଲା ସୁନ୍ଦର ଗାଲିଚା । ସେପରି ପତହଚାନ୍ଦଙ୍କ ବିଭାଘର ବେଳକୁ ମଧ୍ୟ ଘରେ ବିଛା ହୋଇନଥିଲା । ସାହେବ ବାହାଦୁର ତାଙ୍କ ଆଡ଼କୁ ନାଲିଆଖି ଦେଖାଇ କହିଲେ–ତୁ କାହିଁକି ଆସିଛୁ ? ବାହାରକୁ ପଳା । ଭିତରକୁ ଆସିଲୁ କାହିଁକି ? ଫତହଚାନ୍ଦ ସେଠି ଠିକ୍ କରି କହିଲେ ଆପଣ ପରା ମୋତେ ଫାଇଲ୍ ମାଗିଥିଲେ ? ସେହି ଫାଇଲ୍ ନେଇଆସିଛି । ଖାଇ ସାରନ୍ତୁ–ଫାଇଲ୍ ଦେଖାଇବି । ଖାଇସାରିବା ପର୍ଯ୍ୟନ୍ତ ମୁଁ ବସିଲି । ଟିକିଏ ଧୀରେ ସୁସ୍ଥେ ଖାଆନ୍ତୁ । ଏ ତ ଆପଣଙ୍କର ଶେଷ ଖାନା ହେବ । ଏଣୁ ପେଟ ଭରି ଖାଇଥାଆନ୍ତୁ ।

 

ସାହେବ ପଡ଼ିଲେ ସଂକଟରେ । ଫତହଚାନ୍ଦ ଆଡ଼କୁ ଭୟ ମିଶ୍ରିତ କ୍ରୋଧରେ ଚାହିଁ ରାଗରେ ଜଳିଉଠିଲେ । ଫତହଚାନ୍ଦଙ୍କ ଚେହେରା ଦୃଢ଼-ସଂକଳ୍ପ ବିରାଜମାନ କରୁଥିଲା । ସାହେବ ବୁଝିପାରିଲେ ଯେ, ଫତହଚାନ୍ଦ ଆଜି ମାରିବା–ମରିବାପାଇଁ ପ୍ରସ୍ତୁତ ହୋଇ ଆସିଛି । ବଳରେ ଫତହଚାନ୍ଦ ତାଙ୍କ ପାଷଙ୍ଗରେ ପଡ଼ିବ ନାହିଁ । କିନ୍ତୁ ଏହା ନିରାଟ ସତ୍ୟ ଯେ ସେ ଇଟାର ପ୍ରତିଶୋଧ ନେବ ନାହିଁ ପଥରରେ, ମାତ୍ର ଲୁହାରେ ନେବାକୁ ପ୍ରସ୍ତୁତ । ଯଦି ସେ ଫତହଚାନ୍ଦକୁ ଭଲମନ୍ଦ ଶୁଣାଇବେ, ତେବେ ସେ ଲାଠି ଚଳେଇ ଦେବାର ଆଶ୍ଚର୍ଯ୍ୟ କ’ଣ ଅଛି ? ବିଧା, ଚାପୁଡ଼ା ମରାମରି ହେବାରେ ଯଦ୍ୟପି ଫତହଚାନ୍ଦକୁ ଜିଣିବାରେ ସନ୍ଦେହ ନାହିଁ, ତାହେଲେ ବୁଝେଇ ଶୁଝେଇ ଲାଠି ମାଡ଼ ଖାଇବା ତ ବୁଦ୍ଧିମାନର କାମ ନୁହେଁ । କୁକୁରକୁ ଆପଣ ଲାଠିରେ ପିଟନ୍ତୁ–ମାରନ୍ତୁ । ଯାହା ଇଚ୍ଛା ତାହା କରନ୍ତୁ, ଯେଉଁ ସମୟ ପର୍ଯ୍ୟନ୍ତ ସେ ଭୁକେ ନାହିଁ । ଯଦି ଥରେ ସେ କାଉଁ କରି ମିଶିଆସେ ତାହେଲେ ତୁମ ସାହସ ଯିବ କୁଆଡ଼େ ? ଠିକ୍ ଏଇ ଅବସ୍ଥା ଥିଲା ସାହେବଙ୍କର । ଯେଉଁ ପର୍ଯ୍ୟନ୍ତ ଜଣାଥିଲା ଯେ, ଫତହଚାନ୍ଦ ଧଡ଼କା-ଧଡ଼କୀ, ବେତ ଚାବୁକ ଅମ୍ଲାନ ବଦନରେ ସହିନେବ, ସେ ପର୍ଯ୍ୟନ୍ତ ଆପଣ ଥିଲେ ବାଘ । ବର୍ତ୍ତମାନ ସେ ଗାଳି ଗୁଲଜର ଦେବ ଜବାବ । ଲାଠିରେ ତା’ ଲାଠି ଦେଇପାରିବ ତାଳ । ଭୁଆ ବିରାଡ଼ି ସଦୃଶ କୁଦି ପଡ଼ିବାକୁ ସେ ଦଣ୍ଡାୟମାନ । ଯଦି ସାହେବଙ୍କଠାରୁ କିଛି କଡ଼ା କଥା ବାହାରେ ତେବେ ସେ ଚଳେଇଦେବେ ଲାଠି । ଯଦି ସେ ତାଙ୍କୁ ମାରନ୍ତି, ତେବେ ମାଡ଼ ଖାଇବାକୁ ତାଙ୍କର ଅଛି ସାହସ । ତା’ ଉପରେ ଫୌଜଦାରି ମକଦମା ଦାଏର କରିବାକୁ ତାଙ୍କର ଅଛି ଯଥେଷ୍ଟ ଶକ୍ତି । ଧରନ୍ତୁ ସେ ନିଜର ପ୍ରଭାବ ଓ ଶକ୍ତି ବଳରେ ଫତହଚାନ୍ଦଙ୍କୁ ଜେଲ୍ ଦେଇପାରିବେ । ମାତ୍ର ବ୍ୟାକୁଳତା ଓ ବଦନାମରୁ ତ ମୁକ୍ତ ହୋଇପାରିବେ ନାହିଁ । ବର୍ତ୍ତମାନ ଜଣେ ବୁଦ୍ଧିମାନ ଓ ଦୂରଦର୍ଶୀ ଲୋକ ହିସାବରେ ସାହେବ ଫତହଚାନ୍ଦଙ୍କୁ କହିଲେ–ଓଃ, ଏବେ ବୁଝିଲି । ତୁମେ ମୋ କଥାରେ ରାଜି ନୁହଁ ପରା । ମୁଁ କ’ଣ ତୁମକୁ କହିଛି ? ତେବେ ତୁମେ କାହିଁକି ଏପରି ରାଗିଛ ?

 

ଫତହଚାନ୍ଦ ରାଗିଯାଇ କହିଲେ ଆପଣ ଅଧଘଣ୍ଟାଏ ପୂର୍ବରୁ ମୋ କାନ ମୋଡ଼ି ମୋତେ ଅଭଦ୍ରଭାବେ ଗାଳି ଦେଇଥିଲେ ନା ? କ’ଣ ଏତେଶୀଘ୍ର ଭୁଲିଗଲେ ?

 

ସାହେବ–ମୁଁ ତୁମ କାନ ଧରିଛି ? ହାଃ, ହାଃ, ହାଃ । ମୁଁ ତୁମ କା...ନ...ଧ...ରି...ଛି... ? ହାଃ, ହାଃ, ହାଃ ! କି ମଜା ! ଆରେ ! ମୁଁ କ’ଣ ପାଗଳ ହୋଇଗଲି ନା ଦିୱାନ ।

 

ଫତହଚାନ୍ଦ–ମୁଁ କ’ଣ ମିଛ କହୁଛି ? ଚପରାସି ପଳେଇ ଯାଇଛି । ଆପଣଙ୍କ ଚାକରବାକର ବି ଦେଖିଛନ୍ତି ।

 

ସାହେବ–କେବେକାର କଥା ?

 

ଫତହଚାନ୍ଦ–ବର୍ତ୍ତମାନ । ବର୍ତ୍ତମାନ । ମୋଟେ ଅଧ ଘଣ୍ଟାଏ ହେବ । ଆପଣ ମୋତେ ଡକାଇଥିଲେ । ବିନା କାରଣରେ ମୋ କାନ ମୋଡ଼ି ପଛପଟୁ ଦେଇଥିଲେ ଧକ୍କା ।

 

ସାହେବ–ସେତେବେଳେ ମୋତେ ନିଶା ଘାରିଥିଲା । ବେହେରା ବେଶୀ ଦେଇଦେଲା । ମୋତେ ଜଣାନାହିଁ, କ’ଣ ହେଲା । My God ! ମୋତେ କିଛି ଜଣାନଥିଲା ।

 

ଫତହଚାନ୍ଦ–ନିଶାରେ ମୋତେ ଯଦି ଗୁଳି କରିଦେଇଥାଆନ୍ତେ, ତା’ହେଲେ ମୁଁ କ’ଣ ମରିନଥାନ୍ତି ? ଯଦି ଆପଣଙ୍କୁ ଘାରିଥିଲା ନିଶା । ଆଉ ନିଶାରେ ଦୋଷ ଧରାଯାଏ ନାହିଁ । ତେବେ ମନେକରନ୍ତୁ ମୋତେ ବି ନିଶା ଘାରିଛି । ହଁ, ଶୁଣନ୍ତୁ, ମୋର ନିଷ୍ପତି । ନିଜେ ଆପଣଙ୍କର କାନ ଧରନ୍ତୁ । କହନ୍ତୁ–ଏପରି ଅସଦାଚରଣ ଆଉ କେବେ କୌଣସି ଭଦ୍ରଲୋକଙ୍କ ସହିତ କରିବେ ନାହିଁ-। ନୋହିଲେ ମୁଁ ନିଜେ କାନ ମୋଡ଼ି ଶିଖାଇଦେବି । ବୁଝିଲେ ନା–ନାହିଁ ? ଟିକିଏ ହେଲେ ହଲଚଲ ହୁଅନ୍ତୁ ନାହିଁ । ଯଦି ଟିକିଏ ଗୋଡ଼ ଟେକନ୍ତି, ତେବେ ଲଗେଇଦେବି ଲାଠି । ଖପୁରୀ ଉଡ଼ିଗଲେ ମୋର ଦୋଷ ନାହିଁ । ମୁଁ ଯାହା କହୁଛି–ସୁନା-ପିଲାପରି ତାହା ପାଳନ କରନ୍ତୁ । ବର୍ତ୍ତମାନ କାନ ଧର ।

 

ସାହେବ ନକଲି ହସ ହସି କହିଲେ ଓ୍ୱେଲ ବାବୁଜୀ ! (Well Babujee) ଆପଣ ବହୁତ କହିଲେଣି । ମୁଁ ଯଦି ଆପଣଙ୍କୁ କୁଭାଷା କହିଲି, ତେବେ ମୁଁ କ୍ଷମା ମାଗୁଛି ।

 

ଫତହଚାନ୍ଦ–(ଲାଠି ଉଠାଇ) । କାନ ଧର ।

 

ସାହେବ ଏହା ନୀରବରେ ସହିପାରିଲେ ନାହିଁ । ସିଂହ ଭଳି ଗର୍ଜିଉଠିଲେ ଏବଂ ଭାବିଲେ ଫତହଚାନ୍ଦ ହାତରୁ ଲାଠି ଛଡ଼ାଇନେବେ । ମାତ୍ର ଫତହଚାନ୍ଦ ଅପ୍ରସ୍ତୁତ ନ ଥିଲେ । ସାହେବ ମେଜ ଉପରକୁ ନ ଉଠୁଣୁ ସେ ଟେକିଥିବା ଲାଠିକୁ ଚଳାଇଦେଲେ । ସାହେବଙ୍କର ତ ଲଣ୍ଡା ମୁଣ୍ଡ । ପାହାର ପଡ଼ିଗଲା ମୁଣ୍ଡରେ । ଖପୁରୀ ଫାଟିଗଲା । ଏକ ମିନିଟ୍ ପର୍ଯ୍ୟନ୍ତ ମୁଣ୍ଡକୁ ଜାବୁଡ଼ି ଧରି ସାହେବ କହିଲେ–ମୁଁ ତୁମକୁ ବରଖାସ୍ତ କରିଦେବି ।

 

ଫତହଚାନ୍ଦ–ମୋର ପରବାୟ ନାହିଁ । ମାତ୍ର ମୁଁ ଆଜି ତୁମକୁ କାନ ନ ମୋଡ଼େଇ ଛାଡ଼ିବି ନାହିଁ । କାନ ଧରି କୁହ ଯେ, ଏପରି ଅଭଦ୍ରାମି ଆଉ କେବେ କୌଣସି ଭଦ୍ରଲୋକଙ୍କ ସହିତ କରିବ ନାହିଁ । ନୋହିଲେ ମୋର ଦ୍ୱିତୀୟ ପାହାର ପଡ଼ିବାକୁ ଚାହୁଁଛି । ଏହା କହି ଫତହଚାନ୍ଦ ପୁଣି ଲାଠି ଉଠାଇଲେ । ସାହେବ ତ ପ୍ରଥମ ପାହାରର ଦାଉ ଭୁଲିନଥିଲେ । ଯଦି ଦ୍ୱିତୀୟ ପାହାରଟା ପଡ଼ିଯାଏ, ତେବେ ଖପୁରୀଟା ନିଶ୍ଚୟ ତଳେ ପଡ଼ିଯିବ । ତେଣୁ କାନରେ ହାତ ଦେଇ କହିଲେ–ଏଥର ଆପଣ ଖୁସି ହେଲେ ତ ?

 

‘‘ପୁଣି କାହାକୁ ତ ଗାଳିଦେବ ନାହିଁ ?’’

 

‘କେବେ ନୁହେଁ ।’

 

‘ଯଦି ପୁଣି କେବେ ଶୁଣେ, ତେବେ ମନେରଖ । ମୁଁ ବେଶୀ ଦୂରରେ ନାହିଁ ।’

 

‘ନା, ଆଉ କାହାକୁ ଗାଳିଦେବି ନାହିଁ ।’

 

ଭଲ କଥା । ମୁଁ ଏବେ ଯାଉଛି । ଆଜିଠାରୁ ମୋର ଛୁଟି । ମୁଁ କାଲି ମୋର ଇସ୍ତଫାପତ୍ରରେ ଲେଖିଦେବି ଯେ, ତୁମେ ମୋତେ ଗାଳିଦେଲ । ଏଥିପାଇଁ ମୁଁ ଚାକେରି କରିବାକୁ ଚାହୁଁ ନାହିଁ । ବୁଝିଲ ?

 

ସାହେବ–ଆପଣ କାହିଁକି ଇସ୍ତଫା ଦେଉଛନ୍ତି ? ମୁଁ ତ ତଡ଼ି ଦେଉନାହିଁ ।

 

ଫତହଚାନ୍ଦ–‘ତୁମପରି ପାଜି ଲୋକର ଅଧିନରେ ମୁଁ ରହିବି ନାହିଁ ।’ ଏହା କହି ଫତହଚାନ୍ଦ କୋଠରିରୁ ପଦାକୁ ବାହାରିପଡ଼ିଲେ ଓ ଗର୍ବରେ ଛାତି ଫୁଲେଇ ଅଗ୍ରସର ହେଲେ ଗୃହ ଅଭିମୁଖେ । ଆଜି ସେ ପ୍ରକୃତ ବିଜୟ ଅନୁଭବ କରିଛନ୍ତି । ଆଜି ସେ ଯେତେ ଖୁସି, ଏପରି କେବେ ହୋଇନଥିଲେ । କାରଣ ଏହା ହେଉଛି ତାଙ୍କ ଜୀବନର ପହିଲି ବିଜୟ ।

★★★

 

ମୁକ୍ତିର ଉପାୟ

(ଏକ)

 

ଫକୀରଚାନ୍ଦର ବାଲ୍ୟକାଳରୁ ଗମ୍ଭୀର ପ୍ରକୃତି । ବୃଦ୍ଧ ସମାଜରେ ତାକୁ କେହି କେବେ ଅସମ୍ମାନ ପ୍ରଦର୍ଶନ କରେନାହିଁ । ଥଣ୍ଡା ଜଳ, ଶୈତ୍ୟ ଏବଂ ହାସ୍ୟ-ପରିହାସ ତାଙ୍କଠାରେ ଏକବାରେ ଅସହ୍ୟ । ଏକେତ ଗମ୍ଭୀର ପ୍ରକୃତି, ବର୍ଷକ ମଧ୍ୟରେ ଅଧିକାଂଶ ସମୟ ସେ ମୁଖମଣ୍ଡଳର ଚତୁର୍ଦ୍ଦିଗରେ କଳା ପଶମର ଗଳାବନ୍ଧ ଅଚ୍ଛାଦିତ କରିବାଦ୍ୱାରା ତାଙ୍କୁ ଭୟଙ୍କର ଉଚ୍ଚଦରର ବ୍ୟକ୍ତି କହିବା ସମୀଚୀନ । ଅତି ଅଳ୍ପ ବୟସରୁ ତାଙ୍କର ଓଷ୍ଠ, ଅଧର ଏବଂ ଗଣ୍ଡସ୍ଥଳ ପ୍ରଚୁର ଶ୍ମଶ୍ରୁରେ ଆଚ୍ଛନ୍ନ ହେବାଦ୍ୱାରା ମୁଖ ମଧ୍ୟରେ ହାସ୍ୟବିକାଶ ପାଇଁ ଅବଶିଷ୍ଟ ତିଳେମାତ୍ର ସ୍ଥାନ ରହିଲା ନାହିଁ ।

 

ସ୍ତ୍ରୀ ହୈମବତୀର ବୟସ ଅଳ୍ପ ଏବଂ ମନ ପାର୍ଥିବ ବିଷୟରେ ସଂପୂର୍ଣ୍ଣ ନିବିଷ୍ଟ । ସେ ବଙ୍କିମ ବାବୁଙ୍କ ଉପନ୍ୟାସ ପଢ଼ିବାକୁ ଚାହେଁ ଏବଂ ସ୍ୱାମୀକୁ ଠିକ୍ ଦେବତା ଭାବେ ପୂଜା କରି ତାହାର ତୃପ୍ତ ହୁଏନାହିଁ । ତାକୁ ହସ ଖୁସି ଭଲଲାଗେ । ବିକଚୋନ୍ମୁଖ ପୁଷ୍ପ ଯେପରି ବାୟୁର ଆନ୍ଦୋଳନ ଓ ପ୍ରଭାତର ଆଲୋକ ସକାଶେ ବ୍ୟାକୁଳ ହୁଏ, ସେ ସେହିପରି ଏଇ ନବଯୌବନ ସମୟରେ ଯଥାପରିମାଣରେ ସ୍ୱାମୀ ପାଶରୁ ଆଦର ଏବଂ ହାସ୍ୟାମୋଦ ପ୍ରତ୍ୟାଶା କରେ । କିନ୍ତୁ ଅବସର ମିଳିଲେ ସ୍ୱାମୀ ତାକୁ ଭାଗବତ ପଢ଼ାଏ, ସନ୍ଧ୍ୟା ସମୟରେ ଭଗବତ୍ ଗୀତା ଶୁଣାଏ ଏବଂ ତା’ର ଆଧ୍ୟାତ୍ମିକ ଉନ୍ନତିର ଉଦ୍ଦେଶ୍ୟ ମଝିରେ ମଝିରେ ଶାରୀରିକ ଶାସନ କରିବାକୁ ତ୍ରୁଟି କରେନାହିଁ । ଯେଉଁଦିନ ହୈମବତୀର ତକିଆ ତଳୁ ‘‘କୃଷ୍ଣକାନ୍ତର ଉଇଲ’’ ବହି ବାହାର ହୁଏ, ସେଇଦିନ ଉକ୍ତ ଲଘୁ ପ୍ରକୃତି ଯୁବତୀକୁ ସାରା ରାତ୍ରି ଅଶ୍ରୁପାପ କରେଇଲେ ତେବେ ଫକୀର କ୍ଷାନ୍ତ ହୁଏ । ଏକେ ତ ନଭେଲ ପାଠ, ତା’ ବାଦେ ପୁଣି ପତିଦେବତାଙ୍କୁ ପ୍ରତାରଣା ! ଯାହାହେଉ ଅବିଶ୍ରାନ୍ତ ଆଦେଶ, ଅନୁଦେଶ, ଉପଦେଶ, ଧର୍ମନୀତି ଏବଂ ଦଣ୍ଡନୀତିଦ୍ୱାରା ଅବଶେଷରେ ହୈମବତୀର ମୁଖର ହାସ୍ୟ, ମନର ସୁଖ ଏବଂ ଯୌବନର ଆବେଗ ନିଷ୍କର୍ଷଣ କରିପାରିଲେ ସ୍ୱାମୀଦେବତା ସମ୍ପୂର୍ଣ୍ଣ କୃତକାର୍ଯ୍ୟ ହୁଅନ୍ତି ।

 

କିନ୍ତୁ ଅନାସକ୍ତ ଲୋକର ପକ୍ଷେ ସଂସାରରେ ବିସ୍ତର ବିଘ୍ନ । ପରେ ପରେ ଫକୀରର ଏକ ପୁତ୍ର, ଏକ କନ୍ୟା ଜନ୍ମଗ୍ରହଣ କରି ସଂସାର ବନ୍ଧନ ବଢ଼ିଗଲା । ପିତାର ତାଡ଼ନାରେ ଏତେବଡ଼ ଗମ୍ଭୀର ପ୍ରକୃତି ଫକୀରକୁ ଅଫିସ୍ କର୍ମ ତ୍ୟାଗ କରିବାକୁ ହେଲା । କିନ୍ତୁ ପୁନର୍ବାର କର୍ମ ଜୁଟିବାର କୌଣସି ପ୍ରକାର ସମ୍ଭାବନା ଦେଖାଗଲା ନାହିଁ ।

 

ସେତେବେଳେ ସେ ମନରେ ଚିନ୍ତା କଲା, ‘‘ବୁଦ୍ଧଦେବଙ୍କ ଭଳି ମୁଁ ସଂସାର ତ୍ୟାଗ କରିବି ।’’ ଏହା ଭାବି ଦିନେ ଗଭୀର ରାତ୍ରିରେ ଘର ଛାଡ଼ି ଚାଲିଗଲା ।

 

(ଦୁଇ)

 

ମଝିରେ ଆଉ ଗୋଟିଏ କଥା କହିବା ଆବଶ୍ୟକ ।

 

ନବଗ୍ରାମବାସୀ ଷଷ୍ଠୀଚରଣର ଏକ ପୁତ୍ର, ନାମ ମାଖନଲାଲ । ବିବାହର ଅନତିବିଳମ୍ୱେ ସନ୍ତାନାଦି ନ ହେବାରୁ ପିତାର ଅନୁରୋଧରେ ଏବଂ ନୂତନତ୍ୱର ପ୍ରଲୋଭନରେ ଆହୁରି ଗୋଟିଏ ବିବାହ କଲା । ଏଇ ବିବାହର ପରେ ଯଥାକ୍ରମେ ତାହାର ଉଭୟ ସ୍ତ୍ରୀର ଗର୍ଭରୁ ସପ୍ତକନ୍ୟା ଏବଂ ଏକମାତ୍ର ପୁତ୍ର ଜନ୍ମଗ୍ରହଣ କଲେ ।

 

ମାଖନ ଅତ୍ୟନ୍ତ ସୌଖୀନପ୍ରିୟ ଓ ଚପଳ ପ୍ରକୃତିର ଲୋକ । କୌଣସି ପ୍ରକାର ଗୁରୁତର କର୍ତ୍ତବ୍ୟଦ୍ୱାରା ଆବଦ୍ଧ ହେବାକୁ ନିତାନ୍ତ ନାରାଜ । ସହଜେ ତ ପିଲାଛୁଆଙ୍କ ଭାର, ତା’ପରେ ଯେତେବେଳେ ଦୁଇ ମଙ୍ଗୁଆଳ ଦୁଇ ମଙ୍ଗରେ ରହି ଟଣାଟଣି କରିବାକୁ ଲାଗିଲେ, ସେତେବେଳେ ନିତାନ୍ତ ଅସହ୍ୟ ହୋଇ ସେ ଦିନେ ଗଭୀର ରାତ୍ରିରେ ଅନ୍ତର୍ଦ୍ଧାନ ହୋଇଗଲା ।

 

ବହୁଦିନ ଧରି ତା’ର ଆଉ ଦେଖାନାହିଁ । କେତେବେଳେ ଅବା ଶୁଣାଯାଏ, ଏକ ବିବାହରେ କିପରି ସୁଖ ମିଳେ, ତା’ର ପରୀକ୍ଷା ସକାଶେ ସେ କାଶୀକୁ ଯାଇ ଗୋପନରେ ଆଉ ଗୋଟିଏ ବିବାହ କରିଅଛି; ଖବର ମିଳେ ହତଭାଗ୍ୟ କିଞ୍ଚିତ ଭାବେ ଶାନ୍ତିଲାଭ କରିଅଛି । କେବଳ ସ୍ୱଦେଶକୁ ଆସିବାପାଇଁ ମଝିରେ ମଝିରେ ମନ ଚଞ୍ଚଳ ହୁଏ, କିନ୍ତୁ ଧରାପଡ଼ିବାର ଭୟରେ ଆସିପାରେ ନାହିଁ ।

 

(ତିନି)

 

କିଛିଦିନ ବୁଲି ବୁଲି ଉଦାସୀନ ଫକୀରଚାନ୍ଦ ନବଗ୍ରାମରେ ଆସି ଉପସ୍ଥିତ । ପଥପାର୍ଶ୍ୱବର୍ତ୍ତୀ ଏକ ବଟବୃକ୍ଷ ତଳେ ବସି ଦୀର୍ଘଶ୍ୱାସ ପକାଇ କହିଲେ, ‘‘ଆହା, ବୈରାଗ୍ୟମେବା ଭୟଂ । ଦାରା, ପୁତ୍ର, ଧନ, ଜନ କେହି କାହାର ନୁହେଁ । କା ତେ କାନ୍ତା କସ୍ତେ ପୁତ୍ରଃ ।’’ ତା’ ସାଥେ ପୁଣି ଏକ ଗାନ ଯୋଗ କରିଦେଲେ–

 

‘‘ଶୁଣରେ ଶୁଣ ଅବୋଧ ମନ

ଶୁଣ୍ ସାଧୁର ଉକ୍ତି, ସେଇ ତ ମୁକ୍ତି

ସେଇ ସୁଯୁକ୍ତି କର ଗ୍ରହଣ ।

 

ଭବର ଶୁକ୍ତି ଭାଙ୍ଗେ ମୁକ୍ତି-ମୁକ୍ତା କର ଅନ୍ୱେଷଣ

ଆରେରେ ଭୋଳା ମନ, ଭୋଳା ମନରେ ।’’

 

ସହସା ଗାନ ବନ୍ଦ ହୋଇଗଲା–‘‘ହଇଗୋ ! ବାବାଜି ଦେଖୁଛି । ବୁଝିକରି ସଂଧାନ ପାଇଛି । ତେବେ ତ ସର୍ବନାଶ ! ଏଥର ତ ସଂସାରର ଅନ୍ଧକୂପକୁ ଟାଣିନେଇଯିବ ।’’

 

ଫକୀର ହଠାତ୍ ନିକଟବର୍ତ୍ତୀ ଏକ ଗୃହରେ ପ୍ରବେଶ କଲା । ବୃଦ୍ଧ ଗୃହସ୍ୱାମୀ ଚୁପଚାପ୍ ବସି ତମାଖୁ ଟାଣୁଥିଲେ । ଫକୀରକୁ ଘରକୁ ଆସିବାର ଦେଖି ପଚାରିଲେ, ‘‘କିଏ, କିଓ ତୁମେ ?’’

 

ଫକୀର–‘‘ବାବା ମୁଁ ସନ୍ନ୍ୟାସୀ ।’’

 

ବୃଦ୍ଧ–ସନ୍ନ୍ୟାସୀ ! ଦେଖି ଦେଖି ବାବା–ଆଲୁଅକୁ ଆସିଲ ।

 

ଏହା କହି ଆଲୁଅ ନିକଟକୁ ଟାଣିନେଇ ଫକୀରର ମୁଖଉପରେ ଝୁଙ୍କିପଡ଼ି ବୁଢ଼ା ମଣିଷ ବହୁତ କଷ୍ଟେ ଯେପରି ପୋଥି ପଢ଼ିଲା ଭଳି ଫକୀରର ମୁଖ ନିରୀକ୍ଷଣ କରି ଗୁଣ୍ ଗୁଣ୍ କରି କହିବାକୁ ଲାଗିଲା ।

 

‘‘ଦେଖୁଛି–ଏଇ ତ ସେଇ ମୋର ମାଖନଲାଲ । ସେଇ ନାକ, ସେଇ ଆଖି, କେବଳ କପାଳଟା ବଦଳିଛି, ଆଉ ସେଇ ଚାନ୍ଦ ମୁଖ ନିଶ-ଦାଢ଼ିରେ ଏକଦମ ଆଚ୍ଛନ୍ନ ହୋଇପଡ଼ିଛି ।’’

 

ବୃଦ୍ଧ ସସ୍ନେହେ ଫକୀରର ଶ୍ମଶ୍ରୁଳ ମୁଖରେ ଥରେ ଦୁଇଥର ହାତ ବୁଲେଇଆଣିଲେ ଏବଂ ପ୍ରକାଶ୍ୟେ କହିଲେ, ‘‘ବାପ ମାଖନ ।’’

 

କହିବା ବାହୁଲ୍ୟ, ବୃଦ୍ଧର ନାମ ଷଷ୍ଠୀଚରଣ ।

 

ଫକୀର–(ସବିସ୍ମୟେ) ମାଖନ ! ମୋର ନାମ ତ ମାଖନ ନୁହେଁ । ପୂର୍ବେ ମୋର ନାମ ଯାହା ଥାଉ, ବର୍ତ୍ତମାନ ମୋର ନାମ ଚିଦାନନ୍ଦ ସ୍ୱାମୀ, ଇଚ୍ଛାହେଲେ ତ ପରମାନନ୍ଦ ବି କହିପାର ।

 

ଷଷ୍ଠୀ–ବାପା, ତୁ ଏଇନେ ନିଜକୁ ଚିଡ଼େଇ କହ କି ପରମାନ୍ନଇ କହ, ତୁ ଯେ ମୋର ମାଖନ, ବାପ ତୋତେ ମୁଁ ଭୁଲିପାରିବି ନାହିଁ । ବାପା, ତୁ କେଉଁ ଦୁଃଖ ଯୋଗୁଁ ଘରସଂସାର ଛାଡ଼ିଗଲୁ ? ତୋର କ’ଣ ଅଭାବ ? ଦୁଇ ସ୍ତ୍ରୀ, ବଡ଼ଟି ଭଲ ନ ଲାଗିଲେ ଛୋଟଟି ତ ଅଛି । ପିଲାଛୁଆଙ୍କର ଦୁଃଖ ତ ନାହିଁ । ଶତ୍ରୁ ମୁଖରେ ପାଉଁଶ ବୋଳି ସାତଟି ଝିଅ, ଗୋଟିଏ ପୁଅ । ଆଉ, ମୁଁ ବୁଢ଼ାବାପା କେତେଦିନ ବା ବଞ୍ଚିବି, ତୋର ସଂସାରହିଁ ତୋର ରହିବ ।

 

ଫକୀର ସଂପୂର୍ଣ୍ଣଭାବେ ଆତଙ୍କିତ ହୋଇ କହିଲା, ‘‘କି ସର୍ବନାଶ ! ଶୁଣିଲେ ଯେ ଭୟ ହୁଏ ।’’

 

ଏତେବେଳକେ ପ୍ରକୃତ ଘଟଣାଟି ବୋଧଗମ୍ୟ ହେଲା । ଭାବିଲେ, ‘‘ମନ୍ଦ କ’ଣ, ଦିନେ ଦୁଇଦିନ ବୃଦ୍ଧର ପୁତ୍ରଭାବେ ଏଠାରେ ଲୁକ୍କାୟିତ ଭାବେ ରୁହାଯାଉ, ତା’ପରେ ସନ୍ଧାନେ ଅକୃତକାର୍ଯ୍ୟ ହୋଇ ପିତା ଚାଲିଗଲେ ଏଠାରୁ ପଳାୟନ କରିବି ।’’

 

ଫକୀରକୁ ନିରୁତ୍ତର ଦେଖି ବୃଦ୍ଧର ମନରେ ଆଉ ସଂଶୟ ରହିଲା ନାହିଁ । କେଷ୍ଟା ଚାରରକୁ ଡାକି କହିଲେ, ‘‘ଆରେ କେଷ୍ଟା, ତୁ ସମସ୍ତଙ୍କୁ ଖବର ଦେଇ ଆସ, ମୋର ମାଖନ ଫେରିଆସିଛି ।

 

(ପାଞ୍ଚ)

 

ଘରଦ୍ୱାର ଲୋକାରଣ୍ୟ । ସାହିର ଅଧିକାଂଶ ଲୋକ କହିଲେ, କେହି କେହି ଅବା ସନ୍ଦେହ ପ୍ରକାଶ କଲେ । କିନ୍ତୁ ଲୋକମାନେ ବିଶ୍ୱାସ କରିବାକୁ ଏତେ ବ୍ୟଗ୍ର ଯେ ସନ୍ଦିଗ୍ଧ ଲୋକର ଉପରେ ସମସ୍ତେ ହାଡ଼େ ହାଡ଼େ ଚିଡ଼ିଗଲେ । ଯେପରି ସେ ଇଚ୍ଛାପୂର୍ବକ କେବଳ ରସଭଙ୍ଗ କରି ଆସିଅଛି ।

ଭୂତକୁ ଅବିଶ୍ୱାସ କରିଲେ ତୋତେ କ୍ଷତି ନାହିଁ, ତା’ ବୋଲି ଯେ ବୃଦ୍ଧ ପିତାର ଗୃହତ୍ୟାଗୀ ପୁତ୍ରକୁ ଅବିଶ୍ୱାସ କରିବା ଯେ ନିତାନ୍ତ ହୃଦୟହୀନତାର ପରିଚାୟକ । ଯାହାହେଉ ସମସ୍ତଙ୍କଠାରୁ ଶୁଣି ସନ୍ଦେହୀ ଦଳ ବନ୍ଦ ହୋଇଗଲେ ।

ଫକୀରର ଅତି ଭୀଷଣ ଅଟଳ ଗାମ୍ଭୀର୍ଯ୍ୟର ପ୍ରତି ତିଳେମାତ୍ର ଭ୍ରୂକ୍ଷେପ ନ କରି ସାହିର ଲୋକମାନେ ତାକୁ ଘେରି ବସି କହିବାକୁ ଲାଗିଲେ, ‘‘ଆରେ ଆରେ ଆମର ସେଇ ମାଖନ ଆଜି ଋଷି ହୋଇଛି, ତପସ୍ୱୀ ପାଲଟିଛି । ଚିରକାଳ ଏଇଠି କଟାଇଲା, ଆଜି ହଠାତ୍ ମହାମୁନି ଜାମଦଗ୍ନି ହୋଇ ବସିଅଛି ।’’

କଥାଟା ଉନ୍ନତଚେତା ଫକୀରକୁ ଅତ୍ୟନ୍ତ ଖରାପ ଲାଗିଲା । କିନ୍ତୁ ନିରୁପାୟେ ତ ସହ୍ୟ କରିବାକୁ ପଡ଼ିବ । ଜଣେ ଉପରେ ପଡ଼ି କହିଲା ଭଳି ପ୍ରଶ୍ନ ପଚାରିଲା, ‘‘ହଇରେ ମାଖନ, ତୁ କଳା ଥିଲୁ, ତୋର ରଙ୍ଗଟା ଏଭଳି ଗୋରା କେମିତି କରିଲୁ ?

ଫକୀର ଉତ୍ତର ଦେଲା, ‘‘ଯୋଗ ଅଭ୍ୟାସ କରି ।’’

ସମସ୍ତେ କହିଲେ, ‘‘ଯୋଗର କି ଆଶ୍ଚର୍ଯ୍ୟ ପ୍ରଭାବ ?’’

ଜଣେ ଉତ୍ତର ଦେଲେ, ‘‘ଆଶ୍ଚର୍ଯ୍ୟ ଆଉ କ’ଣ ? ଶାସ୍ତ୍ରରେ ପରା ଅଛି, ଭୀମ ଯେତେବେଳେ ହନୁମାନର ଲାଞ୍ଜଧରି ଟେକିବାକୁ ଗଲେ କୌଣସି ପ୍ରକାରେ ଉଠାଇପାରିଲେ ନାହିଁ-

ଏଥିରେ ସମସ୍ତେ ସମ୍ମତି ଜଣାଇଲେ । ଏଇ ସମୟରେ ଷଷ୍ଠୀଚରଣ ଆସି ଫକୀରକୁ କହିଲେ, ‘‘ବାବା, ଥରେ ତୋତେ ଘର ଭିତରକୁ ଯିବାକୁ ପଡ଼ିବ ।’’

ଏ ସମ୍ଭାବନାଟା ଫକୀରର ମଥାରେ ଉଦୟ ହୋଇନଥିଲା । ହଠାତ୍ ବଜ୍ରାଘାତ ସଦୃଶ ମସ୍ତିଷ୍କରେ ପ୍ରବେଶ କଲା । ଅନେକ ସମୟ ଚୁପ୍ ରହି, ସାହି ଲୋକଙ୍କର ଅନ୍ୟାୟ ପରିହାସ ପରିପାକ କରି ଅବଶେଷରେ କହିଲା, ‘‘ବାବା, ମୁଁ ସନ୍ନ୍ୟାସୀ ହୋଇଛି, ଅନ୍ତଃପୁରକୁ ଯାଇପାରିବି ନାହିଁ ।’’

ଷଷ୍ଠୀଚରଣ ସାହିର ଲୋକମାନଙ୍କୁ ସମ୍ୱୋଧନ କରି କହିଲେ, ‘‘ତାହେଲେ ଆପଣମାନେ ଟିକିଏ ଏଠାରୁ ଚାଲିଯାଆନ୍ତୁ । ବୋହୂମାନଙ୍କୁ ଏଠାକୁ ନେଇଆସେ । ସେମାନେ ଖୁବ୍ ବ୍ୟାକୁଳ ହେଇଛନ୍ତି ।’’

ସମସ୍ତେ ଚାଲିଗଲେ । ଫକୀର ଚିନ୍ତାକଲା, ‘‘ବର୍ତ୍ତମାନ ଏଠାରୁ ଦୌଡ଼ି ପଳାଇବି ।’’ କିନ୍ତୁ ରାସ୍ତାକୁ ବାହାର ହେଲେ ପଡ଼ାର ଲୋକମାନେ କୁକୁର ଭଳି ତା’ର ପଛରେ ଧାଇଁବେ । ଏଇ କଥା କଳ୍ପନା କରି ତାକୁ ନିସ୍ତବ୍ଧ ଭାବେ ବସିବାକୁ ହେଲା !

ଯେତେବେଳେ ମାଖନଲାଲର ସ୍ତ୍ରୀଦ୍ୱୟ ପ୍ରବେଶ କଲେ ଫକୀର ତେତେବେଳେ ନତଶିର କରି ସେମାନଙ୍କୁ ପ୍ରଣାମ କରି କହିଲା, ‘‘ମା’, ମୁଁ ତୁମ୍ଭମାନଙ୍କର ସନ୍ତାନ ।’’

ଏଇ ସମୟରେ ଫକୀରର ନାସିକା ସମ୍ମୁଖରେ ଏକ ଚୁଡ଼ି ପିନ୍ଧା ହସ୍ତ ଖଡ଼ଗର ସଦୃଶ ଝଙ୍କୃତ ହେଲା ଏବଂ ଏକ କାଂସ୍ୟ ବିନନ୍ଦିତ କଣ୍ଠର ଧ୍ୱନି ଶୁଣାଗଲା ।

‘‘ହଇରେ ପୋଡ଼ା କପାଳିଆ ମିଣିପ, ତୁ କାହାକୁ ମା’ ବୋଲି ଡାକୁଛୁ ?’’

ଏତିକିବେଳେ ଅନ୍ୟ ଏକ କଣ୍ଠର ସ୍ୱର ଦୁଇଗୁଣ ଉଚ୍ଚରେ ଗ୍ରାମ ପ୍ରକମ୍ପିତ କରି ହୁଙ୍କାର ଦେଇଉଠିଲା ।

‘‘ନୟନ ପିତୁଳା ହରାଇ ବସିଛି ! ତୋର ମରଣ ହେଉନି ?’’

ନିଜର ସ୍ତ୍ରୀଠାରୁ ଏଭଳି ପ୍ରଚଳିତ ବଙ୍ଗଳା କଥା ଶୁଣିବାର ଅଭ୍ୟାସ ନ ଥିଲା । ସୁତରାଂ ଏକାନ୍ତ କାତର ହୋଇ ଫକୀର ହାତଯୋଡ଼ି କହିଲା, ‘‘ଆପଣ ଭୁଲ୍ ବୁଝୁଛନ୍ତି ? ମୋତେ ଥରେ ଠଉରେଇ କରି ଦେଖ ।’’

ପ୍ରଥମା ଓ ଦ୍ୱିତୀୟା ପରେ ପରେ କହିଲେ, ‘‘ଢେର ଦେଖିଛୁ, ଦେଖି ଦେଖି ଆଖିରୁ ପାଣି ମରିଯାଇଛି, ଆଜି ନୂଆଜନ୍ମ ନେଇଛ, ତୁମର ଦୁଧଖିଆ ଦାନ୍ତ ଅନେକ ଦିନରୁ ଭାଙ୍ଗିଛି । ତୁମ ବୟସର କ’ଣ ଗଛ ପତର ଅଛିକି ? ତୁମକୁ ଯମ ଭୁଲିଛି ବୋଲି କ’ଣ ଆମେ ଭୁଲିବୁ ?’’

 

ଏହିପରି ଏକତରଫା ଦାମ୍ପତ୍ୟ ଆଳାପ କେତେ ସମୟ ଚାଲିଲା, କୁହାଯାଇପାରିବନି । କାରଣ, ଫକୀର ଏକ ବାରକେ ବାକଶକ୍ତି ରହିତ ହୋଇ ନତ-ମସ୍ତକ । ଏଇ ସମୟରେ ଅତ୍ୟନ୍ତ କୋଳାହଳ ଶବ୍ଦ ଶୁଣି ଏବଂ ପଥରେ ଲୋକ ରୁଣ୍ଡ ହେବାର ଦେଖି ଷଷ୍ଠୀଚରଣ ପ୍ରବେଶ କଲେ । କହିଲେ, ‘‘ଏତେଦିନ ପର୍ଯ୍ୟନ୍ତ ମୋର ଘରେ ନିସ୍ତବ୍ଧ ଥିଲା, ଏକବାର ଟୁଁ ଶବ୍ଦ ବି ନ ଥିଲା । ଆଜି ମନେହେଉଛି, ମୋର ମାଖନ ଫେରିଆସିଛି ।’’

 

ଫକୀର ହାତଯୋଡ଼ି କହିଲା, ‘‘ମହାଶୟ, ଆପଣଙ୍କର ପୁତ୍ରବଧୁମାନଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ ।’’

 

ଷଷ୍ଠୀ–ବାପା, ଅନେକଦିନ ପରେ ଆସିଛି, ତେଣୁ ପ୍ରଥମ ଥର ପାଇଁ ଅତ୍ୟନ୍ତ ଅସହ୍ୟ ବୋଧ ହେଉଛି । ହଁ ମା’, ତୁମେ ବର୍ତ୍ତମାନ ଯାଅ, ବାପା, ମାଖନ ତ ଏଠାରେ ବର୍ତ୍ତମାନ ରହିଲା । ତାକୁ କୌଣସିମତେ ଛାଡ଼ିବି ନାହିଁ ।

 

ଲଳନାଦ୍ୱୟ ବିଦାୟ ହେବା ପରେ ଫକୀର ଷଷ୍ଠୀଚରଣକୁ କହିଲା, ‘‘ମହାଶୟ, ଆପଣଙ୍କ ପୁତ୍ର କ’ଣ ପାଇଁ ଗୃହ ସଂସାର ତ୍ୟାଗ କରିଛନ୍ତି, ତା’ ମୁଁ ସଂପୂର୍ଣ୍ଣ ଅନୁଭବ କରିପାରିଛି । ମହାଶୟ, ମୋର ପ୍ରଣାମ ଗ୍ରହଣ କରନ୍ତୁ–ମୁଁ ଚାଲିଲି ।’’

 

ବୃଦ୍ଧ ଏଭଳି ଉଚ୍ଚ ସ୍ୱରରେ କ୍ରନ୍ଦନ ଆରମ୍ଭ କରିଦେଲେ ଯେ, ସାହିର ଲୋକମାନେ ଭାବିଲେ, ମାଖନ ତା’ର ବାପକୁ ମାରିଛି । ସେମାନେ ହାଁ ହାଁ କରି ଜମା ହୋଇଗଲେ । ସମସ୍ତେ ଆସି ଫକୀରକୁ ଜଣାଇଦେଲେ, ଏଠାରେ ଭଣ୍ଡ ତପସ୍ୱୀଗିରି ଚଳିବ ନାହିଁ । ଭଲ ମଣିଷର ପିଲାଭଳି କାଳ କଟାଇବାକୁ ହେବ । ଜଣେ କହିଲେ, ‘‘ୟେ ତ ପରମହଂସ ନୁହେଁ, ବରଂ ପରମବକ ।’’

 

ଗାମ୍ଭୀର୍ଯ୍ୟ, ଶ୍ମଶ୍ରୁଳ ଏବଂ ଶକ୍ତ ଗଳାବନ୍ଧ ପରିହିତ ଫକୀର ଏଭଳି ସକଳ କୁତ୍ସିତ ବାକ୍ର କଦାପି ଶ୍ରବଣ କରିନଥିଲା । ଯାହାହେଉ, ଲୋକଟା ପଛେ ଏଥର ପଳାଉ । ସାହିର ଲୋକମାନେ ଅତ୍ୟନ୍ତ ସତର୍କ ରହିଲେ । ସ୍ୱୟଂ ଜମିଦାର ଷଷ୍ଠୀଚରଣ ପକ୍ଷ ଅବଲମ୍ୱନ କଲେ ।

 

ଫକୀର ଦେଖିଲା ଏପରି କଡ଼ା ପହରା ଯେ, ମୃତ୍ୟୁ ନ ହେଲେ ଏହି ଘରୁ ବାହାରି ହେବନାହିଁ । ଏକାକୀ ଘରେ ବସି ଗୀତ ଗାଇବାକୁ ଲାଗିଲା ।

 

‘ଶୁଣ ସାଧୁର ଉକ୍ତି କିସ ଯୁକ୍ତି

ସେଇ ସୁଯୁକ୍ତି କର ଗ୍ରହଣ ।’’

 

କହିବା ବାହୁଲ୍ୟ–ଗାନଟାର ଆଧ୍ୟାତ୍ମିକ ଅର୍ଥ ଅନେକାଂଶରେ କ୍ଷୀଣ ହୋଇଅଛି ।

 

ଏହିପରି କୌଣସି ମତେ ଦିନ ଅତିବାହିତ ହେଉଛି । କିନ୍ତୁ ମାଖନର ଆଗମନ ସୁସ୍ୱାଦ ପାଇ ଦୁଇ ସ୍ତ୍ରୀ ସଂପର୍କୀୟ ଶଳା ଶାଳୀ ଆସି ଉପସ୍ଥିତ ହେଲେ ଏବଂ ସେମାନେ ଆସି ପ୍ରଥମେ ଫକୀରର ନିଶଦାଢ଼ି ଧରି ଟାଣିବାକୁ ଲାଗିଲେ । ସେମାନେ କହିଲେ, ଏ ତ ସତକୁ ସତ ନିଶଦାଢ଼ି ନୁହେଁ, ଛଦ୍ମବେଶ ଧାରଣ କରିବା ଲାଗି ଅଠା ଦେଇ ଯୋଡ଼ି ଦେଇଅଛି ।

 

ନାସିକାର ନିମ୍ନବର୍ତ୍ତୀ ଦାଢ଼ି ଧରି ଟଣାଓଟରା କଲେ । ଫକୀର ସଦୃଶ ମହାନ୍ ବ୍ୟକ୍ତିର ମାହାତ୍ମ୍ୟ ରକ୍ଷା କରିବା ଦୁଷ୍କର ହୋଇଉଠେ । ଏହା ବ୍ୟତୀତ କାନର ଉପରେ ଉପଦ୍ରବ–ପ୍ରଥମତଃ କାନ ମୋଡ଼ା । ଦ୍ୱିତୀୟତଃ ଏପରି ସକଳ ଭାଷା ପ୍ରୟୋଗ କରାଯାଉଥିଲା, ଯାହାଦ୍ୱାରା କାନ ନ ମୋଡ଼ିଲେ ମଧ୍ୟ କାନ ଲାଲ ହୋଇଯାଉଥିଲା ।

ଏତଦ୍ ବ୍ୟତୀତ ଫକୀରକୁ ସେମାନେ ଏଭଳି ଗାନ ଫରମାସି କରିବାକୁ ଲାଗିଲେ ଯେ, ଆଧୁନିକ ବଡ଼ ବଡ଼ ନୂତନ ପଣ୍ଡିତଗଣ ଯାହାର ଆଧ୍ୟାତ୍ମିକ ବ୍ୟାଖ୍ୟା କରିବାକୁ ପରାଜୟ ସ୍ୱୀକାର କରିବେ ।

ଆଉ ମଧ୍ୟ ନିଦ୍ରାକାଳରେ ସେମାନେ ଫକୀରର ସ୍ୱଳ୍ପବିଶିଷ୍ଟ ଗଣ୍ଡ ସ୍ଥଳରେ ଚୁନକାଳି ଲଗାଇଦେଲେ ।

ଫକୀର ରାଗାନ୍ନିତ ହୋଇ ଫୁଲି ଫାମ୍ପି, ଝାଙ୍କି ଡକା ପକାଇ କୌଣସି ପ୍ରକାରେ ଉପଦ୍ରବ-କାରୀର ମନରେ ଭୀତି ସଂଚାର କରିପାରିଲା ନାହିଁ । କେବଳ ସର୍ବସାଧାରଣଙ୍କ ନିକଟରେ ଅତ୍ୟଧିକ ହାସ୍ୟାସ୍ପଦ ହେବା ସାର ହେଲା । ଆଉ ମଧ୍ୟ ଏହାପରେ ଅନ୍ତରାଳରୁ ଏକ ମିଷ୍ଟ କଣ୍ଠର ଉଚ୍ଚହାସ୍ୟ ମଧ୍ୟେ ମଧ୍ୟେ କର୍ଣ୍ଣ ଗୋଚର ହୁଏ । ସେ କଣ୍ଠ ଯେପରି ଅତି ପରିଚିତ । ଏଣୁ ମନ ଦ୍ୱିଗୁଣ ଅଧୈର୍ଯ୍ୟ ହୋଇଉଠେ ।

ପରିଚିତ କଣ୍ଠ ପାଠକମାନଙ୍କର ଅପରିଚିତ ନୁହେଁ । ଏତିକି କହିଲେ ଯଥେଷ୍ଟ ହେବ ଯେ, ଷଷ୍ଠୀଚରଣ କୌଣସି ଏକ ସଂପର୍କୀୟ, ହୈମବତୀର ମାମୁଁ ଅଟନ୍ତି । ବିବାହ ପରେ ଶାଶୁଦ୍ୱାରା ନିତାନ୍ତ ନିପୀଡ଼ିତ ହୋଇ ପିତୃ-ମାତୃହୀନା ହୈମବତୀ ମଝିରେ ମଝିରେ କୌଣସି ନା କୌଣସି ବନ୍ଧୁ-ବାନ୍ଧବ ଆତ୍ମୀୟ ଗୃହରେ ଆଶ୍ରୟ ଗ୍ରହଣ କରିଥାଏ । ଅନେକଦିନ ପରେ ସେ ମାମୁଁ ଗୃହକୁ ଆସି ନେପଥ୍ୟରୁ ଏକ ପରମ କୌତୁକାବହ ଅଭିନୟ ନିରୀକ୍ଷଣ କରିଅଛି । ତତକାଳେ ହୈମବତୀର ସ୍ୱାଭାବିକ ରଙ୍ଗପ୍ରିୟତାର ସଙ୍ଗେ ପ୍ରତିହିଂସା-ପ୍ରବୃତ୍ତିର ଉଦ୍ରେକ ହୋଇଥିଲା କି ନାହିଁ ଚରିତ୍ର ତତ୍ତ୍ୱଜ୍ଞ ପଣ୍ଡିତଗଣ ସ୍ଥିର କରିପାରିବେ ।

ଥଟ୍ଟା ସଂପର୍କୀୟ ଲୋକମାନେ ମଝିରେ ମଝିରେ ବିଶ୍ରାମ କରିଥାଆନ୍ତି । କିନ୍ତୁ ସ୍ନେହ ସଂପର୍କୀୟ ଲୋକମାନଙ୍କ ହାତରୁ ପରିତ୍ରାଣ ପାଇବା କଠିନ ।

ସାତଝିଅ ଏବଂ ଏକମାତ୍ର ପୁଅ ତାକୁ ଦଣ୍ଡେମାତ୍ର ଛାଡ଼ନ୍ତି ନାହିଁ । ପିତାର ସ୍ନେହ ଅଧିକାର ସକାଶେ ସେମାନଙ୍କର ମାତା ସେମାନଙ୍କୁ ଅନୁକ୍ଷଣ ନିଯୁକ୍ତି କରି ରଖିଥିଲେ । ଦୁଇ ମାତା ମଧ୍ୟରେ ପରଶ୍ରୀକାତରତା ଏବଂ ଈର୍ଷା ଥିଲା । ଉଭୟଙ୍କର ଚେଷ୍ଟା ଯେପରି ନିଜର ସନ୍ତାନ ଅଧିକ ଆଦର ପାଉ । ଉଭୟେ ନିଜ ନିଜ ସନ୍ତାନମାନଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ । ଦୁଇ ଦଳ ମିଶି ପିତାର ଗଳା ଜାବୁଡ଼ି ଧରିବା, କୋଳରେ ବସିବା, ମୁଖ ଚୁମ୍ୱନ କରିବା ପ୍ରଭୃତି ପ୍ରବଳ ସ୍ନେହାତିଶଯ୍ୟ କାର୍ଯ୍ୟଦ୍ୱାରା ପରସ୍ପରକୁ ଜିତିବାର ଚେଷ୍ଟା କରିବାକୁ ଲାଗିଲେ ।

କହିବା ବାହୁଲ୍ୟ, ଫକୀର ବିଚାରା ଅତ୍ୟନ୍ତ ନିର୍ଲିପ୍ତ ସ୍ୱଭାବର । ଶିଶୁଗଣ ଭକ୍ତି କରିବା ଜାଣନ୍ତି ନାହିଁ । ସେମାନେ ସାଧୁତ୍ୱର ନିକଟରେ ଅଭିଭୂତ ହେବା ଶିଖିନାହାନ୍ତି । ଏଥିପାଇଁ ଫକୀର ଶିଶୁ ଜାତିର ପ୍ରତି ତିଳେମାତ୍ର ଅନୁରକ୍ତ ନ ଥିଲେ । ସେମାନଙ୍କୁ କୀଟ-ପତଙ୍ଗ ତୁଲ୍ୟ ଶରୀରଠାରୁ ଦୂରରେ ରଖିବାକୁ ଇଚ୍ଛାପ୍ରକାଶ କରନ୍ତି । ବର୍ତ୍ତମାନ ସେ ସଦାସର୍ବଦା ଶିଶୁ-ପଙ୍ଗପାଳଙ୍କଦ୍ୱାରା ଆଚ୍ଛନ୍ନ । ସେମାନଙ୍କ ମଧ୍ୟରେ ବୟସର ବିସ୍ତାର ତାରତମ୍ୟ ଥିଲା ଏବଂ ତା’ ସହିତ ସମସ୍ତେ ବୟଃପ୍ରାପ୍ତ ସଭ୍ୟ ଜନୋଚିତ ବ୍ୟବହାର କରନ୍ତି ନାହିଁ । ଶୁଦ୍ଧ ଶୁଚି ଫକୀରର ଚକ୍ଷୁରେ ଅନେକ ସମୟରେ ଅଶ୍ରୁର ସଂଚାର ହୁଏ, କିନ୍ତୁ ତାହା ଆନନ୍ଦାଶ୍ରୁ ନୁହେଁ ।

ପରର ପିଲାମାନେ ଯେତେବେଳେ ନାନା ସ୍ୱରରେ ତାକୁ ‘‘ବାପା’’, ‘‘ବାପା’’ ବୋଲି ଡାକି ଆଦର କରନ୍ତି, ତେତେବେଳେ ସାଙ୍ଘାତିକ ପାଶବ ଶକ୍ତି ପ୍ରୟୋଗ କରିବାର ଏକାନ୍ତ ଇଚ୍ଛାହୁଏ-। କିନ୍ତୁ ଭୟରେ କରିପାରେ ନାହିଁ । ମୁଖ, ଚକ୍ଷୁ ବିକୃତ କରି ମୌନଭାବେ ବସି ରହେ-

 

(ସାତ)

 

ଅବଶେଷେ ଫକୀର ମହା ବ୍ୟସ୍ତହୋଇ କହିବାକୁ ଲାଗିଲା, ‘‘ମୁଁ ଯିବି ଦେଖି ମୋତେ କିଏ ଅଟକ କରି ରଖିପାରିବ ?’’

 

ସେତିକିବେଳେ ଗ୍ରାମର ଲୋକେ ଜଣେ ଓକିଲ ଆଣି ଉପସ୍ଥିତ କରାଇଲେ । ଓକିଲ ଆସି କହିଲେ, ‘‘ଜାଣନ୍ତି, ଆପଣଙ୍କର ଦୁଇ ସ୍ତ୍ରୀ ?’’

 

ଫକୀର–ଆଜ୍ଞା, ଏଠାକୁ ଆସି ପ୍ରଥମେ ଜାଣିଲି ।

 

ଓକିଲ–ପୁଣି ଆପଣଙ୍କର ସପ୍ତ କନ୍ୟା, ଏକମାତ୍ର ପୁତ୍ର । ସେମାନଙ୍କ ମଧ୍ୟରୁ ଦୁଇଟି କନ୍ୟା ବିବାହଯୋଗ୍ୟା ।

 

ଫକୀର–ଆଜ୍ଞା ଆପଣ ମୋଠାରୁ ଢେର ବେଶି ଜାଣନ୍ତି–ଦେଖିପାରୁଛି ।

 

ଓକିଲ–ଆପଣଙ୍କର ଏଇ ବୃହତ୍ ପରିବାରର ଭରଣପୋଷଣର ଭାର ଆପଣ ଯଦି ନ ନିଅନ୍ତି, ତେବେ ଆପଣଙ୍କର ଅନାଥିନୀ ସ୍ତ୍ରୀ ଦ୍ୱୟ ଅଦାଲତରେ ଆଶ୍ରୟ ଗ୍ରହଣ କରିବେ । ପୂର୍ବରୁ ଏହା ଜଣାଇଦେଉଛି ।

 

ଫକୀର ସବୁଠାରୁ ବେଶି ଅଦାଲତକୁ ଭୟ କରେ । ତାକୁ ଜଣାଥିଲା, ଓକିଲ ଜେରା କରିବା ସମୟରେ ମହାପୁରୁଷମାନଙ୍କର ମାନ-ମର୍ଯ୍ୟାଦା-ଗାମ୍ଭୀର୍ଯ୍ୟ ପ୍ରତି ଖାତିର ରଖନ୍ତି ନାହିଁ । ପ୍ରକାଶ୍ୟରେ ଅପମାନ କରନ୍ତି ଏବଂ ସମ୍ୱାଦପତ୍ରରେ ତାହାର ରିପୋର୍ଟ ପ୍ରକାଶିତ ହୁଏ । ଫକୀର ଅଶ୍ରୁସିକ୍ତ ଚକ୍ଷୁରେ ଓକିଲକୁ ବିସ୍ତାରିତ ଆତ୍ମପରିଚୟ ଦେବାକୁ ଚେଷ୍ଟା କଲେ; ଓକିଲ ତାହାର ଚାତୁରୀର, ତା’ର ଉପସ୍ଥିତ ବୁଦ୍ଧିର, ତା’ର ମିଥ୍ୟା ଗଳ୍ପ ରଚନାର ଅସାଧାରଣ କ୍ଷମତାର ଭୂୟୋଭୂୟଃ ପ୍ରଶଂସା କରିବାକୁ ଲାଗିଲେ । ଏହା ଶ୍ରବଣ କରି ଫକୀର ସ୍ୱହସ୍ତପଦ ଦଂଶନ କରିବାକୁ ଇଚ୍ଛାପ୍ରକାଶ କଲେ ।

 

ଷଷ୍ଠୀଚରଣ ଫକୀରକୁ ପୁନଶ୍ଚ ପଳାୟନୋଦ୍ୟତ ହେବା ଦେଖି ଶୋକରେ ଅଧୀର ହୋଇପଡ଼ିଲେ । ସାହିର ଲୋକେ ତାକୁ ଚାରିଦିଗରେ ଘେରିଯାଇ ଅଜସ୍ର ଗାଳିଦେଲେ । ଓକିଲ ଆଇନଗତ ଏଭଳି ଶିକ୍ଷା ଦେଲେ ଯେ, ତା’ର ମୁଖରୁ ଆଉ କଥା ବାହାରିଲା ନାହିଁ ।

 

ଆହୁରି ମଧ୍ୟ ଯେତେବେଳେ ଆଠଜଣ ବାଳକ-ବାଳିକା ଗାଢ଼ ସ୍ନେହବଶତଃ ତାକୁ ଚତୁର୍ଦ୍ଦିଗରେ ଆଲିଙ୍ଗନ କରି, ଧରି ତାହାର ଶ୍ୱାସରୋଧ କରିବାର ଉପକ୍ରମ କଲେ, ସେତିକିବେଳେ ଅନ୍ତରାଳସ୍ଥିତ ହୈମବତୀ ହସିବେ କି କାନ୍ଦିବେ, ଭାବିପାରିଲେ ନାହିଁ ।

 

ପକୀର ଅନ୍ୟ ଉପାୟ ନ ଦେଖି ଇତି ମଧ୍ୟରେ ନିଜର ପିତାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖି ସମସ୍ତ ଅବସ୍ଥା ଜଣାଇଥିଲେ । ସେଇ ପତ୍ର ପାଇ ଫକୀରର ପିତା ହରିଚରଣ ବାବୁ ଆସି ଉପସ୍ଥିତ ।

 

ସାହିର ଲୋକ, ଜମିଦାର ଏବଂ ଓକିଲ କୌଣସିମତେ ଦଖଲ ଛାଡ଼ନ୍ତି ନାହିଁ । ଏ ଲୋକଟି ଯେ ଫକୀର ନୁହେଁ, ମାଖନ, ଏଥିପାଇଁ ସହସ୍ର ସଂଖ୍ୟକ ଅକାଟ୍ୟ ଯୁକ୍ତି ଓ ପ୍ରମାଣ ପ୍ରୟୋଗ କଲେ–ଏମିତିକି ଯେଉଁ ଧାଈ ମାଖନକୁ ମଣିଷ କରିଛି, ସେଇ ବୁଢ଼ୀକୁ ଆଣି ହାଜର କଲେ । ସେ କମ୍ପିତ ହସ୍ତରେ ଫକୀରର ଚିବୁକ ଟେକି ଧରି, ମୁଖ ନିରୀକ୍ଷଣ କରି ତାହାର ଶ୍ମଶ୍ରୁ ଉପରେ ଦରବିଗଳିତ ଧାରାରେ ଅଶ୍ରୁପାତ କରିବାକୁ ଲାଗିଲା ।

 

ସେତିକିବେଳେ ଓଢ଼ଣା ଟାଣି ଦୁଇ ସ୍ତ୍ରୀ ଉପସ୍ଥିତ ହେଲେ । ସାହିର ଲୋକମାନେ ଏଣେତେଣେ ଘର ବାହାରକୁ ଚାଲିଗଲେ । କେବଳ ଦୁଇ ପିତା, ଫକୀର ଏବଂ ଶିଶୁଗୁଡ଼ିକ ଘରେ ରହିଲେ ।

 

ସ୍ତ୍ରୀ ଦ୍ୱୟ ହାତ ହଲେଇ ହଲେଇ ଫକୀରକୁ ପଚାରିଲେ, ‘‘କେଉଁଆଡ଼େ ଯିବ–ଯମର କେଉଁ ଦୁଆରକୁ ଯିବା ମନହେଉଛି ?’’

 

ଫକୀର ତାହା ନିର୍ଦ୍ଦିଷ୍ଟ କରି କହିନପାରି ନିରୁତ୍ତର ହେଲା । କିନ୍ତୁ ମନେହେଉଛି, ଯମର କୌଣସି ବିଶେଷ ଦ୍ୱାର ପ୍ରତି ତା’ର ପକ୍ଷପାତ ନୀତି ଥିବାର ଜଣାଗଲା ନାହିଁ । ଆପାତତଃ ଯେକୌଣସି ଗୋଟିଏ ଦ୍ୱାର ପ୍ରାପ୍ତ ହେଲେ ସେ ବଞ୍ଚି ରହିବ । କେବଳ ଥରେ ବାହାରକୁ ବାହାରିଲେ ହେଲା ।

 

ସେତିକିବେଳେ ଅନ୍ୟ ଏକ ରମଣୀ ମୂର୍ତ୍ତି ଗୃହରେ ପ୍ରବେଶ କରି ଫକୀରକୁ ପ୍ରଣାମ କଲେ । ଫକୀର ପ୍ରଥମେ ଅବାକ୍, ତା’ପରେ ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ କହିଲେ, ‘‘ଏଇ ଯେ ହୈମବତୀ !’’

 

ସ୍ତ୍ରୀକୁ ଦେଖି ଏତେ ପ୍ରେମ, ସ୍ନେହ କଦାପି ଇତିପୂର୍ବେ ପ୍ରକାଶିତ ହୋଇନଥିଲା । ମନେହେଲା, ମୂର୍ତ୍ତିମତୀ ମୁକ୍ତି ସ୍ୱୟଂ ଆସି ଉପସ୍ଥିତ ।

 

ଅନ୍ୟ ଏକ ବ୍ୟକ୍ତି ମୁଖ ଉପରେ ଶାଲ୍ ଢାଙ୍କିଦେଇ ଅନ୍ତରାଳରେ ରହି ଦେଖୁଥିଲେ । ତାହାର ନାମ ମାଖନଲାଲ୍ । ଏକ ଅପରିଚିତ ନିରୀହ ବ୍ୟକ୍ତିକୁ ନିଜ ପଦରେ ଅଭିଷିକ୍ତ ହେବାର ଦେଖି ସେ ଏତେକ୍ଷଣ ପରମ ସୁଖାନୁଭବ କରୁଥିଲେ । ଅବଶେଷେ ହୈମବତୀ ଉପସ୍ଥିତ ଦେଖି ବୁଝିପାରିଲେ, ଉକ୍ତ ନିରପରାଧ ବ୍ୟକ୍ତି ତାହାର ନିଜର ଭଗ୍ନୀପତି; ସେତେବେଳେ ଦୟାପରତନ୍ତ୍ର ହୋଇ ଗୃହରେ ପ୍ରବେଶ କରି କହିଲେ, ‘‘ନା, ନିଜର ଲୋକକୁ ଏପରି ବିପଦରେ ପକାଇବା ମହାପାତକ ।’’

 

ଦୁଇ ସ୍ତ୍ରୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ‘‘ଏ ମୋର ଦାଢ଼ି, ଏ ମୋର କଳସୀ-।’’

 

ମାଖନଲାଲର ଏଇ ଅସାଧାରଣ ମହତ୍ତ୍ୱ ଓ ବୀରତ୍ୱରେ ସାହିର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

★★★

 

କ୍ୟାପଟେନ୍ ସାହେବ

 

ସ୍କୁଲକୁ ଯିବା, କୁଇନାଇନ୍ ଖାଇବା, ମାଛତେଲ ଖାଇବା ଜଗତସିଂହର କମ୍ ଅପ୍ରିୟ ନ ଥିଲା । ସେ ଜଣେ ଅକର୍ମାବାରବୁଲା ଜୱାନ, କେତେବେଳେ ତ ବିରି ବାଡ଼ିକୁ ପଳାଇ ଯାଉଥିଲା । ଆଉ ବିରି ସହିତ ଖାଉଥିଲା ଜଗୁଆଳିଠାରୁ ଗାଳି-ଗୁଲଜ । କେବେ କେବେ ନଦୀ ପାଟରେ ବୁଲୁଥିଲା ଏବଂ ଝରାମାନଙ୍କର ହୁଲିରେ ବସି ସେପାରୀର ପଲ୍ଲୀକୁ ପଳାଉଥିଲା । ଗାଳି ଖାଇବା ତାକୁ ଭଲ ଲାଗୁଥିଲା । ଗାଳିଖାଇବା ଅବସରକୁ ସେ ହାତରୁ ଛାଡ଼ୁନଥିଲା । କିଏ ଘୋଡ଼ାରେ ଯାଉଥିବା ସମୟରେ ତାଙ୍କ ପଛରେ ତାଳି ମାରିବା, କାହାକୁ ପଛପଟୁ ଆଖି ବୁଝି ନିଜ ଆଡ଼କୁ ଟାଣିବା, ବୁଢ଼ାମାନଙ୍କ ଚାଲିକୁ ନକଲ କରିବା–ଏଗୁଡ଼ିକ ଥିଲା ତା’ର ମନୋରଞ୍ଜନର ବିଷୟ । ଅଳସୁଆଟା ତ । କାମ କରୁନଥିଲା । ଯେତେସବୁ ଖରାପ କାମ ଅଛି ସେ ଥିଲା ତା’ର ଦାସ । ଆଉ ଚଗଲାମି ଛାଡ଼ିଦେଲେ ଭାତ ତା’ର ହଜମ ହେଉନଥିଲା । ଜଗତସିଂହକୁ ଯେତେବେଳେ ସମୟ ମିଳୁଥିଲା, ଘରୁ ଟଙ୍କା ନେଇ ଚମ୍ପଟ କରୁଥିଲା । ନଗଦରାମ୍ ନ ମିଳିଲେ କଂସା-ବାସନ, ଲୁଗାପଟା ଉଠେଇ ନବାକୁ କୁଣ୍ଠିତ ହୁଏନାହିଁ ସେ । ଘରେ ଯେତେ ଶିଶି, ବୋତଲ ଥିଲା ସବୁ ନେଇ ଭଙ୍ଗାରୁଜା ଜିନିଷ ବିକା ହେଉଥିବା ବଜାରରେ ପହଞ୍ଚେଇ ଦେଉଥିଲା । ବହୁତ ଦିନରୁ ପଡ଼ିଥିବା ପୁରୁଣା ଜିନିଷ ବି ଗୋଟିଏ ହେଲେ ରହିଲା ନାହିଁ । ଏହି କଳାରେ ସେ ଏପରି ଦକ୍ଷ ଓ ନିପୁଣ ଥିଲା ଯେ, ତା’ର ଚତୁରତା ଓ ପଟୁତାଲାଗି ସେ ହେଉଥିଲା ଆଶ୍ଚର୍ଯ୍ୟ । ଦିନେ ସେ ବାହାରପଟୁ ନିଶୁଣିରେ ଘର ଭିତରକୁ ପଶିଲା । ଘରୁ ଚଟ୍ ଚଟ୍ ଗୋଟେ ପିତଳ ଥାଳି ନେଇ ବାହାରିଆସିଲା । ଘର ଲୋକମାନେ ଟିକିଏ ହେଲେ ବି ଶବ୍ଦ ଶୁଣିଲେ ନାହିଁ ।

 

ତାହାର ପିତା ଠାକୁର ଭକ୍ତସିଂହ ନିଜ ଇଲାକାର ଡାକମୁନିସୀ । ତାହାର ଦୌଡ଼ ଧାପଡ଼ରେ ପାରଙ୍ଗ ମତାଲାଗି ଅଫିସର ତାକୁ ଘରୋଇ କାମରେ ମଗ୍ନ ରଖୁଥିଲେ । କିନ୍ତୁ ଭକ୍ତସିଂହ ଯେଉଁ ଆଶାନେଇ ଏଠାକୁ ଆସିଥିଲା ବଦଳି ହୋଇ ତା’ର ସେ ଆଶା ପୂରଣ ହେଲାନାହିଁ । ବରଂ ଏହା କ୍ଷତି ହେଲା ଯେ, ମଫସଲରେ ଯେଉଁ ଶାକ-ଶବଜୀ, ଜାଳେଣୀ କାଠ ମାଗଣା ମିଳୁଥିଲା ତାହା ଏଠାରେ ପୂରା ବନ୍ଦ । ଏଟା ବଡ଼ ପୁରୁଣା ଟାଉଟରି ଜାଗା । ଏଠାରେ ଚଳିବା ମୁସ୍କିଲ୍ । ଏପରି ଅବସ୍ଥାରେ ଘରେ ଜଗତସିଂହ ହାତ ସଫେଇରେ ଦେହ ଚାଉଁ ଚାଉଁ କରୁଥିଲା । ସେ କେତେଥର ତାକୁ ନିର୍ଦ୍ଦୟ ଭାବରେ ପିଟିଛି । ଜଗତସିଂହ ଏଡ଼େ ବଳୁଆ ଯୁବକ ହୋଇ ମଧ୍ୟ ନୀରବରେ ସବୁ ସହିଯାଉଥିଲା । ଯଦି ସେ ଥରେ ମାତ୍ର ବାପାର ହାତଟାକୁ ଧରିନିଅନ୍ତା ତେବେ ହଲଚଲ ହେବାକୁ (ଜୀ) ଚୁଁ ନ ଥିଲା ଭକ୍ତସିଂହର । ମାତ୍ର ଜଗତସିଂହ ଏଡ଼େ ଉଦ୍ଧତ ନ ଥିଲା । ମାଡ଼-ପିଟି, ଧମକ କେହି ହେଲେ ତା’ ଉପରେ ପ୍ରଭାବ ପକେଇପାରିଲେ ନାହିଁ ।

 

ଜଗତସିଂହ ଯେତେବେଳେ ଘରେ ପାଦ ପକାଉଥିଲା–ଚାରିଆଡ଼ୁ ଶୁଣୁଥିଲା କାଉଁ ଭାଉଁ ଶବ୍ଦ । ମା ଦୂର୍ ଦୂର୍ କହି ଦୌଡ଼ି ଆସୁଥିଲା । ଭଉଣୀମାନେ ଗାଳି ଦେଉଥିଲେ । ଜଣାଯାଏ ସତେଯେମିତି ଘରେ ଗୋଟେ ଷଣ୍ଢ ପଶିଲା । ବିଚରା ପଛକୁ ପାଦ ପକେଇ ପଳାଉଥିଲା । କେବେ କେବେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଉପବାସ ବି ରହୁଥିଲା । ତା’ ଛାଇ ମାଡ଼ିଲେ ଘର ଲୋକଙ୍କ ନାହି ଡେଉଁଥିଲା । ଏ ସବୁ ଗାଳି ତା’ର ଦେହସୁହା ହୋଇଗଲାଣି । ଭୋକଜ୍ୱାଳାରେ ସେ ମଲାପରି ହୋଇଯାଉଥିଲା । ଯେଉଁଠାରେ ନିଦ ଆସୁଥିଲା ଶୋଇଯାଉଥିଲା । ଯାହା ପାଏ ତାହା ଖାଇଦେବାରେ ଘୃଣା ବୋଧ କରୁନଥିଲା ।

 

ଯେତେବେଳେ ଘରବାଲାଙ୍କୁ ତା’ର ଚୋରି କଳାର ଗୁପ୍ତ ସାଧନାର ଫନ୍ଦି ଜଣାପଡ଼ିଲା ସେମାନେ ତାଠାରୁ ଚାରିଗୁଣ ଚତୁର ହୋଇଗଲେ । ଏପରିକି ପୂରା ମାସେ ପର୍ଯ୍ୟନ୍ତ ତା’ର ହାତ ଚଳିଲା ନାହିଁ । ତା’ପରେ ସେ ଜଣେ ଗଞ୍ଜେଇଆର ଟଙ୍କାରେ ହାତ ପକେଇଲା । ଗଞ୍ଜେଇବାଲା ଅଗ୍ନିବାଣ ବର୍ଷଣ କରିବାକୁ ଲାଗିଲା । ମୋଦକଦାର ଅଶ୍ଳୀଳ ଭାଷା ପ୍ରୟୋଗ କଲା । ବିଚରା ବାହାରକୁ ବାହାରିବା ମୁସ୍କିଲ୍ ହୋଇଗଲା । ସେ ଏଣିକି ରାତିଦିନ ପଡ଼ୁଥିଲା ସମସ୍ତଙ୍କ ବିଷ ଦୃଷ୍ଟିରେ । ମାତ୍ର ପାଉନଥିଲା କା’ଠାରୁ ଆଘାତ ।

 

ଶେଷରେ ଦିନେ ବିଲେଇ କପାଳକୁ ଶିକା ଛିଣ୍ଡିଲା । ଭକ୍ତସିଂହ ଦ୍ୱିପ୍ରହରକୁ ଡାକଘରକୁ ଗଲା । ଗୋଟିଏ ବୀମା ରେଜିଷ୍ଟ୍ରି ପକେଟରେ ଥୋଇଲା । କିଏ ଜାଣିଥିଲା କେଉଁ ରନର୍ ବା ଡାକବାଲା ସଇତାନି କରିଥିବ; କିନ୍ତୁ ଘରକୁ ଆଣି ତା’ର ମାଟିଆ ଲମ୍ୱା କୋଟ୍‍ରୁ ଲଫାଫା ବାହାର କରିବାକୁ ତା’ର ମନେ ନ ଥିଲା । ଜଗତସିଂହର ଦୃଷ୍ଟି ସେଥିରେ ପଡ଼ିଥିଲା । ପଇସା ଲୋଭରେ ସେ ପକେଟ ଅଣ୍ଡାଳିଲା । ମିଳିଲା ଗୋଟାଏ ଲଫାଫା । ତା’ ଉପରେ ଲାଗିଥିଲା କେତେ ଅଣାର ଟିକେଟ୍ । ସେ କେତେଥର ଟିକେଟ୍ ଚୋରାଇ ଅଧା ଦାମରେ ବିକିଥିଲା । ଶୀଘ୍ର ଲଫାଫା ନେଇ ପଳେଇଗଲା । ଯଦି ସେଥିରେ ନୋଟ୍ ଥିବାର ତାକୁ ଜଣାଥାନ୍ତା ତେବେ ସେ ଛୁଇଁ ନ ଥାନ୍ତା ସେ ଲଫାଫା । ମାତ୍ର ଯେତେବେଳେ ସେ ଲଫାଫା ଚିରିଛି, ଦେଖିଲା ନୋଟ୍ ଗୋଛା । ସେ ଏବେ ପଡ଼ିଲା ବଡ଼ ସଂକଟରେ । ତା’ର ଦୁଷ୍କୃତ ପାଇଁ ନିଜକୁ ଧିକ୍କାର କଲା ସେ । ତା’ର ଦଶା ଜଣେ ଶିକାରୀ ପରି ହେଲା, ଯେ କି ପକ୍ଷୀକୁ ଶରବଦ୍ଧ କରୁ କରୁ ଜଣେ ଲୋକ ହେଲା ଶର ବିଦ୍ଧ । ତା’ର ମନରେ ଆସିଲା ଅନୁତାପ । ମୁଖରେ ଖେଳିଗଲା ଲଜ୍ଜାର କାଳିମା । କିନ୍ତୁ ଏହି ଦଣ୍ଡ ସହିବାକୁ ଶକ୍ତି ନ ଥିଲା ତା’ର । ସେ ଲଫାଫାରେ ନୋଟ୍ ରଖିଦେଇ ଚାଲିଗଲା ବାହାରକୁ ।

 

ଖରାଦିନ । ଦ୍ୱିପ୍ରହର । ଘରସାରା ନିଦ୍ରାରେ ଶାୟିତ । ମାତ୍ର ଜଗତ ଚକ୍ଷୁରେ ନ ଥିଲା ନିଦ୍ରା । ଆଜି ତା’ର ଦୁଷ୍କୃତର ହେବ ମୀମାଂଶା । ଏଥିରେ ସନ୍ଦେହ ନାହିଁ । ଆଉ ଘରେ ରହିବା ତା’ର ଉଚିତ ନୁହେଁ । ପାଂଚ ଦଶ ଦିନ ପାଇଁ କେଉଁଠାରେ ଲୁଚି ରହିବା ଉଚିତ୍ । ତେବେ ଯାଇ ଲୋକଙ୍କ ରାଗ ଶାନ୍ତ ହେବ । ମାତ୍ର ଦୂରକୁ ନ ଗଲେ ନ ଚଳେ । ସାହିପଡ଼ିଶାରେ କିଛିଦିନ ପାଇଁ କରିପାରିବ ନାହିଁ, ସେ ଅଜ୍ଞାନ ବନବାସ । କାରଣ କେହି ନା କେହି ତାକୁ ଧରା ପକେଇଦେବ ଓ ସେ ହେବ ବନ୍ଧା । ହେଲେ ଦୂରକୁ ଯିବାପାଇଁ ତ ପାଖରେ ପଇସା ଦରକାର । କାହିଁକି, ଲଫାଫାରୁ ଗୋଟେ ନୋଟ୍ ନେଇ ଗଲେ କଅଣ ଚଳିବ ନାହିଁ ? ଏହା ତ ନିଶ୍ଚୟ ଜଣାପଡ଼ିବ ଯେ ଲଫାଫା ଚିରିଛି ସେ ନିଜେ । ତା’ହେଲେ ଲଫାଫାରୁ ଖଣ୍ଡେ ନୋଟ୍ ନେଇଗଲେ କ୍ଷତି କଅଣ ? ବାପାଙ୍କ ପାଖରେ ତ ପଇସା ଅଛି । ବାଧ୍ୟହୋଇ ପୂରଣ କରିଦେବେ ଯେ । ଏହା ଭାବି ସେ ଦଶ ଟଙ୍କିଆ ନୋଟ୍ ଖଣ୍ଡେ ହସ୍ତଗତ କଲା । ମାତ୍ର ଇତ୍ୟବସରରେ ତା’ର ମନରେ ପ୍ରାଦୁର୍ଭାବ ହେଲା ଏକ ନୂଆ କଳ୍ପନା । ‘ଯଦି ସେ ଏହି ଟଙ୍କା ନେଇ ଦୂର ସହରରେ ଦୋକାନ ଖଣ୍ଡେ ଦିଅନ୍ତା ତେବେ ମଜା ତ ହୁଅନ୍ତା ।’ ପୁଣି ତାକୁ କାହିଁକି ଗୋଟେ ଗୋଟେ ପଇସାଲାଗି ଚୋରି କରିବାକୁ ପଡ଼ିବ ? କିଛିଦିନ ପରେ ଯେବେ ସେ ବହୁତ ଟଙ୍କା ନେଇ ଫେରିବ, ତେବେ ଲୋକେ କେତେ ଆଶ୍ଚର୍ଯ୍ୟ ନ ହେବେ ?

 

ସେ ଲଫାଫାକୁ ପୁଣି ଖୋଲିଲା । ସେଥିରେ ସର୍ବମୋଟ ଥିଲା ଦୁଇଶହ ଟଙ୍କାର ନୋଟ୍-। ଦୁଇଶହ ଟଙ୍କାରେ ଦୁଧ ଦୋକାନ ଭଳି ଚଳିବ । ମିଠେଇ ଦୋକାନରୁ ପାଇବ କଅଣ ? ଏଥିରେ କେତେ ଆଡ଼୍ଡ଼ାରେ ନ ରହିବ ? ବେଶ୍ ଖୁସିରେ ଉଡ଼େଇବାକୁ ଲାଗିଲା ଗଂଜେଇ ।

 

ଗୋଟେ ଗୋଟେ ଚିଲମରେ ରଖିଦେଲା ଦଶ ଦଶ ଟଙ୍କିଆ ନୋଟ୍ । ନିଶା ତ ହେବ ନାହିଁ, ମଜା ଆସିବ କେଉଁଠୁ ? ଏହି ଆନନ୍ଦ କଳ୍ପନାରେ ସେ ଏପରି ମଗ୍ନ ହୋଇଗଲା ଯେ ତା’ର ମନ ରହିଲା ନାହିଁ ତା’ ଅଧିନରେ । ଯେପରିକି ବାୟୁ ପ୍ରବାହରେ କାହାର ପାଦ ଖସିଯାଏ ଆଉ ଲହରୀରେ ଯାଏ ଭାସି ।

 

(ଦୁଇ)

 

ବମ୍ୱେର ମିଲେଟାରୀ ପଡ଼ିଆରେ ବାଜିଉଠିଲା ବ୍ୟାଣ୍ଡ । ରାଜପୁତମାନେ ସୈନିକ ବେଶରେ ହେଲେ ସଜ୍ଜିତ । ପଡ଼ିଆ ବୀରଙ୍କ କୁହାଟରେ ହେଲା ମୁଖରିତ । ଯେପରି ପବନ ବାଦଲଗୁଡ଼ିକୁ ବିଭିନ୍ନ ରୂପରେ ରୂପାୟିତ କରି ନଷ୍ଟ କରେ ସେହିପରି ସେନାନାୟକ ସୈନିକମାନଙ୍କୁ ନୂଆ ନୂଆ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଦୋଷ ଦେଖିଲେ ଦେଉଥିଲେ କଠୋର ଦଣ୍ଡ ।

 

ପ୍ୟାରେଡ଼ ଶେଷ ହେବା ପରେ ଜଣେ ସୁସୁକାୟ ଯୁବକ ନାୟକଙ୍କ ଆଗରେ ଆସି ଛିଡ଼ା ହୋଇଗଲା । ନାୟକ ପଚାରିଲେ ତୁମର ନାମ ? ସୈନିକ ଜଣକ ମିଲେଟାରୀ କାୟିଦାରେ ସାଲ୍ୟୁଟ୍ ଦେଇ କହିଲା–‘ଜଗତ୍ ସିଂ ।’

 

‘‘କଅଣ ଚାହୁଁଛ ?’’

 

‘ଫଉଜରେ ମୋତେ ଭର୍ତ୍ତି କରନ୍ତୁ ।’

 

‘ମରିବାକୁ ତ ଡରିବ ନାହିଁ ?’

 

‘ବିଲ୍‍କୁଲ୍ ନୁହେଁ–ରାଜପୁତ ମୁଁ ।’

 

‘ବହୁତ କଠୋର ପରିଶ୍ରମ କରିବାକୁ ପଡ଼ିବ ।’

 

‘ସେଥିପାଇଁ କାପୁରୁଷ ନୁହେଁ ।’

 

କ୍ୟାପଟେନ୍ ସାହେବ ଦେଖିଲେ, ଯୁବକର ନିର୍ଭୀକ ଜବାବ, ମନ ତା’ର ଚଞ୍ଚଳ, ସାହସ, ଦାମ୍ଭୀକତା । ଶୀଘ୍ର ସୈନ୍ୟରେ ନେଇଗଲେ । ତୃତୀୟ ଦିନ ସେନାବାହିନୀକୁ ହେଲା ଡକରା ।

 

ମାତ୍ର ଜାହାଜ ଯେତିକି ଯେତିକି ଆଗକୁ ଆଗକୁ ଚାଲିଲା ଜଗତର ଛାତି ସେତିକି ସେତିକି ଦବି ଯାଉଥିଲା । ଯେତେବେଳେ ଦେଖାଯାଉଥିଲା ସ୍ଥଳପଥ, ସେ ଜାହାଜର ଡେକ୍ ଉପରେ ଛିଡ଼ାହୋଇ ସେ ଆଡ଼କୁ ଚାହୁଁଥିଲା ଏକାଗ୍ର ଚିତ୍ତରେ । ଯେତେବେଳେ ସେହି ଭୂମି କ୍ରମେ କ୍ରମେ ଦୃଷ୍ଟି ପଥାରୂଢ଼ ହେଲା ସେ ଗୋଟିଏ ଶୀତଳ ଶ୍ୱାସ ନେଇ ମୁହଁରେ ହାତଦେଇ କାନ୍ଦିବାକୁ ଲାଗିଲା । ଆଜି ଜୀବନରେ ପ୍ରଥମଥର ପାଇଁ ତାକୁ ଆତ୍ମୀୟଙ୍କ ସ୍ମରଣ ହେଲା । ତା’ର ସେ ଛୋଟ ବୁଟ ଦୋକାନ, ଗଞ୍ଜେଇ ଦୋକାନ, ଭ୍ରମଣର ଝୁଙ୍କ, ସେହି ସୁହୃଦ ମିତ୍ରଙ୍କ ପ୍ରେମପୂର୍ଣ୍ଣ ଚକ୍ଷୁରୁ ସେ ରହିଲା ଦୂରରେ । କିଏ ଜାଣେ, ପୁଣି ସେମାନଙ୍କ ସହିତ ଭେଟ ହେବ କି ନାହିଁ । ଥରେ ସେ ଏପରି ବ୍ୟସ୍ତ ହେଲା ଯେ ମନେହେଲା ଡେଇଁପଡ଼ିବ ସମୁଦ୍ରର ଅସୀମ ନୀଳ ବକ୍ଷକୁ ।

 

(ତିନି)

 

ଜଗତ ସିଂହ ଶିବିରରେ ରହିବା ତିନିମାସ ବିତିଗଲା । ଭଳିକି ଭଳି ନବୀନତା କିଛିଦିନ ତାକୁ ମୁଗ୍ଧ କରି ରଖିଲା । ମାତ୍ର ପୁରୁଣା ଢଙ୍ଗ ପୁଣି ହେଲା ଜାଗ୍ରତ । ଏବେ କେତେବେଳେ ତାକୁ ସ୍ନେହମୟୀ ଜନନୀ ମନେପଡ଼ିଲା–ଯେକି ପିତାଙ୍କ କ୍ରୋଧ, ଭଉଣୀମାନଙ୍କ ଧିକ୍କାର ଏବଂ ସ୍ୱଜନଙ୍କ ତିରଷ୍କାରରେ ମଧ୍ୟ ତାକୁ ରକ୍ଷା କରୁଥିଲା । ତାକୁ ତାହା ସେହିଦିନ ବିହ୍ୱଳ କଲା, ଯେଉଁଦିନ ସେ ପଡ଼ିଲା ବେମାରରେ । ବଞ୍ଚିବାର ଆଶା ନ ଥିଲା ତା’ର ।

କାହିଁ, ବାପାଙ୍କୁ ତ ତାଲାଗି ଚିନ୍ତା ନ ଥିଲା ? ଭଉଣୀକୁ ମଧ୍ୟ । କେବଳ ଥିଲା ମା’ । ଯେକି ଦିନରାତି ମୁଣ୍ଡକୁ ତା’ର କୋଳରେ ରଖି ମଧୁର-ସ୍ନେହମୟ ବଚନରେ ତା’ର ପୀଡ଼ା ହରଣ କରୁଥିଲା । ସେହି କେତେଦିନରେ ସେ ନିର୍ଜନ ରାତ୍ରିରେ ଦେଖୁଥିଲା ସେହି କ୍ରନ୍ଦନରତା ଦେବୀଙ୍କୁ । ସେ ନିଜେ ରୋଗରେ ପୀଡ଼ିତା । ମାତ୍ର ସେ ତା’ର ସେବା ଶୁଶ୍ରୂଷାରେ ନିଜର ବ୍ୟର୍ଥକୁ ଏପରି ହଜେଇ ଦେଉଥିଲା, ଜଣାଯାଉଥିଲା ସତେଯେମିତି ତାକୁ କଷ୍ଟ ହେଉନାହିଁ । କଅଣ ତାହାକୁ ପୁଣି ମାତାଙ୍କୁ ଦର୍ଶନ ହେବ ? ସେ ଏହି କ୍ଷୋଭ ଓ ନୈରାଶ୍ୟରେ ସମୁଦ୍ରତଟରେ ଚାଲିଯାଉଥିଲା ଜଡ଼ପରି । ଆଉ ସମୁଦ୍ରର ସୀମାହୀନ ଜଳପ୍ରବାହକୁ ଦେଖୁଥିଲା ମନ୍ତ୍ରମୁଗ୍ଧ ପରି । କେତେଦିନ ହେଲା ଘରକୁ ଖଣ୍ଡେ ଚିଠି ଦେବାକୁ ତା’ର ଇଚ୍ଛାହେଲାଣି । ମାତ୍ର ଲଜ୍ଜା ଓ ଗ୍ଳାନି ଯୋଗୁଁ ସେ ଦ୍ୱିଧା ବୋଧ କରୁଥିଲା । ଅବଶେଷରେ ତା’ର ଦ୍ୱିଧା ରହିଲା ନାହିଁ । ସେ ଘରକୁ ଚିଠି ଲେଖିଲା । ନିଜ ଦୋଷ ପାଇଁ କ୍ଷମା ମାଗିଲା । ଚିଠିଟି ମୂଳରୁ ଶେଷ ପର୍ଯ୍ୟନ୍ତ ଭକ୍ତିରେ ପୂର୍ଣ୍ଣ । ଶେଷରେ ମା’ ପାଖକୁ ଲେଖିଲା କେତେଗୁଡ଼ିଏ ସାନ୍ତ୍ୱନା ମୂଳକ ଶବ୍ଦ,–‘ମା’ ! ମୁଁ ବଡ଼ ଦୁଷ୍ଟାମୀ କରିଛି । ତୁ ମୋ ଉପରେ ରାଗ କରିଛୁ । ସତେ ଲୋ, ମୁଁ ଦୋଷ ପାଇଁ ଲଜ୍ଜିତ । ତୋତେ ମୁଁ ଭରସା ଦେଇ କହୁଛି, ଯଦି ମୁଁ ବଂଚିରହେ କିଛି ନା କିଛି ଆଦର୍ଶ କାମ ଦେଖାଇବି । ସେତେବେଳେ ମୋତେ ତୋ ପୁଅ ବୋଲି ଡାକିବାକୁ ତୁ କୁଣ୍ଠିତ ହେବୁନାହିଁ । ମୋତେ ଆଶୀର୍ବାଦ କର । ମୁଁ ମୋର ପ୍ରତିଜ୍ଞା ପାଳନ କରେ ।

ଏହି ଚିଠି ଲେଖି ସେ ଡାକ ବାକ୍ସରେ ପକାଇଲା । ସେହିଦିନଠାରୁ ସେ ଚାହିଁ ରହିଲା ଉତ୍ତର ପ୍ରତୀକ୍ଷାରେ । ଏକମାସ ବିତିଗଲା । ମାତ୍ର ଉତ୍ତର ଆସିଲା ନାହିଁ । ଏଣୁ ତା’ର ମନହେଲା ବ୍ୟାକୁଳିତ । ଉତ୍ତର କାହିଁକି ଆସିଲା ନାହିଁ । ମା’ ତ ଜ୍ୱରରେ ପଡ଼ିନି ? ଅବଶ୍ୟ ରାଗରେ ବାପା ଉତ୍ତର ଦେଇନପାରନ୍ତି । ଆଉ ବିପତ୍ତି ତ ପଡ଼ିନି ! କ୍ୟାମ୍ପର ଏକ ବୃକ୍ଷ ତଳେ କେତେକ ସିପାହୀ ରଖି ଯାଇଥିଲେ ଶାଳ ଗ୍ରାମର ଗୋଟିଏ ମୂର୍ତ୍ତି । କୌଣସି ଅନୁରକ୍ତ ସୈନିକ ତା’ ଉପରେ ପାଣି ଚଢ଼ଉଥିଲା । ଜଗତସିଂହ ତାକୁ ରହସ୍ୟ କରେ । ମାତ୍ର ଆଜି ସେ ଭଗ୍ନ ହୃଦୟରେ ସେହି ପ୍ରତିମା ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିଲା । ଆଉ ବହୁତ ସମୟ ମୁଣ୍ଡ ନୁଆଁଇ ବସି ରହିଲା ସେଠାରେ-। ସେ ଏପରି ଧ୍ୟାନ ଅବସ୍ଥାରେ ବସିଥିଲା, ଇତ୍ୟବସରରେ ଜଣେ ତାହାର ନାମଧରି ଡାକିଲା-। ଅଫିସ୍‍ର ଚପରାସି ସେ । ଆଉ ତା’ ପାଖକୁ ଆଣିଥିଲା ତା’ର ଚିଠି । ଜଗତସିଂହ ହାତକୁ ଚିଠି ଦେଲା ବେଳକୁ ଅଜଣା ଭୟରେ ତା’ର ଦେହ ଶିହରି ଉଠୁଥାଏ । ଈଶ୍ୱରଙ୍କୁ ଥରେ ଧ୍ୟାନ କରି ଚିଠି ଖୋଲିଲା । ନୀରବରେ ପଡ଼ିଲା । ଲେଖାଥିଲା–ଅନ୍ୟର ରେଜେଷ୍ଟ୍ରି ଚିଠି ଖୋଲିଥିବା ଅପରାଧରେ ତୁମର ବାପାଙ୍କୁ ପାଞ୍ଚବର୍ଷ ସଜା ହୋଇଛି । ତୁମର ମାତା ଏହି ଶୋକରେ ମରଣାପନ୍ନ-। ଛୁଟି ମିଳିଲେ ଘରକୁ ଚାଲିଆସ ।

ଜଗତସିଂହ କ୍ୟାପଟେନ୍ ସାହେବଙ୍କ ପାଖକୁ ଯାଇ କହିଲା– ‘‘ହଜୁର, ମୋର ମା’ ଜ୍ୱରରେ ପୀଡ଼ିତ । ମୋତେ ଛୁଟି ଦିଅନ୍ତୁ’’ । କ୍ୟାପଟେନ ନାଲିଆଖି ଦେଖାଇ କହିଲେ–‘‘ବର୍ତ୍ତମାନ ଛୁଟି ମଳିବ ନାହିଁ’’ ।

‘ତାହେଲେ ମୋର ଇସ୍ତଫା ନିଅନ୍ତୁ’ ।

‘ବର୍ତ୍ତମାନ ଇସ୍ତଫା ବି ଗ୍ରହଣ କରାଯିବ ନାହିଁ’ ।

‘ମୁଁ ଏଠାରେ ଆଉ ଏକ କ୍ଷଣ ରହିପାରିବି ନାହିଁ’ ।

‘ରହିବାକୁ ପଡ଼ିବ । ତୁମକୁ ଶୀଘ୍ର ଲାଭ ମିଳିଯିବ’ ।

‘କଅଣ ଯୁଦ୍ଧ ବନ୍ଦ ହୋଇଗଲା ! ଆହାଃ, ମୁଁ କଅଣ ଏଇଲେ ଘରକୁ ଯିବିନାହିଁ ? ତା’ହେଲେ ଆମେ ଏଠାରୁ କେବେ ଯିବୁ ?’

‘ଖୁବ୍‍ଶୀଘ୍ର, ଦୁଇ ଚାରିଦିନ ଭିତରେ’ ।

 

(୪)

 

୪ବର୍ଷ ବିତିଗଲା । କ୍ୟାପଟେନ୍ ଜଗତସିଂହ ପରି ଯୋଦ୍ଧା ସେହି ସୈନ୍ୟବାହିନୀ ଭିତରେ ନ ଥିଲେ । ବିପଦ ସମୟରେ ତା’ର ସାହସ ଅଧିକ ବଢ଼ୁଥିଲା । ସାହସୀ ଯୋଦ୍ଧାଙ୍କ ମଧ୍ୟରେ ତା’ର ନାମ ଥିଲା ପ୍ରଥମ । ପାଟିଗୋଳ କରିବାରେ ଓ ଧାଇଁବାରେ ତା’ର ନାମ ଆଗ ପଡ଼ୁଥିଲା । ସେ ଥିଲା ସୁବିଚାରକ । କେବଳ ଏତିକି ନୁହେଁ, ସେ ଥିଲା ନମ୍ର, ଗମ୍ଭୀର, ପ୍ରସନ୍ନ । ତା’ର ଏ ଗୁଣ ଲାଗି ଉପରିସ୍ଥ କର୍ମଚାରୀ ଓ ସହକାରୀ କର୍ମଚାରୀମାନେ ତାକୁ ଭୂରି ଭୂରି ପ୍ରଶଂସା କରୁଥିଲେ । ସେ ବର୍ତ୍ତମାନ ନବ ଜୀବନ ପାଇଛି । ତା’ ଉପରେ ଅଫିସରମାନଙ୍କର ଏତେ ବିଶ୍ୱାସ ଆସିଯାଇଛି ଯେ ପ୍ରତ୍ୟେକ ବିଷୟରେ ଏଣିକି ସମସ୍ତେ ତା’ ସହିତ ପରାମର୍ଶ କରନ୍ତି । ଯାହାକୁ ପଚାରନ୍ତୁ ସେ ବୀର ଜଗତସିଂହର ସାହସ ଓ ଚତୁରତା ଶୁଣାଇଦେବ–କିପରି ସେ ଜର୍ମାନର ମାଗାଜିନରେ ନିଆଁ ଲଗେଇଦେଲା, କିପରି ନିଜ କ୍ୟାପଟେନକୁ ମେସିନଗନ୍‍କୁ ମୁଖରୁ ଉଦ୍ଧାର କଲା ଓ କିପରି ଜଣେ ଅଧସ୍ତନ କର୍ମଚାରୀକୁ କାନ୍ଧରେ ପକାଇ ନେଇଆସିଲା । ସତେଯେମିତି ଜୀବନ ପ୍ରତି ତା’ର ମମତା ନଥିଲା । ସେ ଆପେ ଆପେ ବରଣ କରୁଥିଲା ମରଣକୁ ।

 

ରାତିରେ ଯେତେବେଳେ ସମୟ ମିଳେ ଜଗତସିଂହ ତମ୍ୱୁରେ ଏକାକୀ ବସି ଘର କଥା ଭାବୁଥାଏ । ଦୁଃଖରେ ଦୁଇଚାରି ଟୋପା ଲୁହ ଝରିପଡ଼େ ତା’ର ଅଜାଣତରେ । ପ୍ରତି ମାସରେ ଦରମାର ବେଶୀ ଅଂଶ ଘରକୁ ପଠାଇଦିଏ । ମା’ ପାଖକୁ ବହୁତ ଚିଠି ଦିଏ, ଚିଠି ଦେବାର ଡେରିହେଲେ ଦୁଃଖିତ ହୁଏ । ସବୁଠାରୁ ତାକୁ ବଡ଼ ଚିନ୍ତା ତା’ର ମା’, ବାପଙ୍କ ପାଇଁ । ଯେ କି ତା’ର ଦୁଷ୍ଟାମି ଲାଗି ଆଜି କାରାବାସରେ । ହାୟ ! ସତେ କଅଣ ସେ ଦିନ ଆସିବ ! ସେ ତାଙ୍କ ଚରଣ ତଳେ ମୁଣ୍ଡନୁଆଁଇଁ ନିଜଦୋଷ ପାଇଁ କ୍ଷମା ମାଗିବ । ଆଉ ବାପା ତାକୁ ହସି ହସି ଆଶୀର୍ବାଦ କରିବେ !

 

(୫)

 

ଚାରିବର୍ଷ ତିନିମାସ ଅତିବାହିତ ହୋଇଗଲା । ସନ୍ଧ୍ୟା ସମୟ, ନୈନୀ ଜେଲ୍‍ଦ୍ୱାରରେ ଭୀଷଣ ଭୀଡ଼ । କେତେକ କଏଦୀଙ୍କ ମିଆଦ ପୂର୍ଣ୍ଣ ହୋଇଯାଇଛି, ତାଙ୍କୁ ସଙ୍ଖୋଳି ନେବାପାଇଁ ଘରୁ ଲୋକ ଆସିଛନ୍ତି । ମାତ୍ର ଭକ୍ତସିଂହ ନିଜର ସେହି ଜୀର୍ଣ୍ଣ କୋଠରିରେ ମୁଣ୍ଡ ପୋତି ମଉନ ହୋଇ ବସି ରହିଛି । ତାହାର କଟି କ୍ଷୀଣ ହୋଇଯାଇଛି । ଦେହରେ କେବଳ ପଡ଼ିରହିଛି ଅସ୍ଥି-ପଞ୍ଜରା । ତାହାକୁ ଦେଖିଲେ ଜଣାଯାଉଥିଲା କୌଣସି କାରିଗର ଜଣେ ଅକାଳ-ପୀଡ଼ିତ ମନୁଷ୍ୟର ମୂର୍ତ୍ତି ଗଢ଼ି ରଖିଦେଇଛି । ତା’ର ମିଆଦ ମଧ୍ୟ ପୂରିଯାଇଛି । କିନ୍ତୁ ତା’ ଘରୁ କେହି ଆସିନାହାନ୍ତି । କିଏ ଆସିବ ? କିଏ ବା ଅଛି ତା’ର ?

 

ଜଣେ ବୁଢ଼ା ଅଥଚ ହୃଷ୍ଟ-ପୁଷ୍ଟ କଏଦୀ ବସି ତା’ର କାନ୍ଧ ହଲେଇ କହିଲା, କହ ଭଗତ ! ଘରୁ କିଏ ଆସିଲା ?

 

ଭକ୍ତସିଂହ ଥରିଲା କଣ୍ଠରେ କହିଲା, ‘ଘରେ କିଏ ଅଛି ?’

 

‘ଘରକୁ ତ ଯିବୁ’ ?

 

‘ମୋର ଘରେ କିଏ ଅଛି ଭାଇ’ ?

 

‘ତା’ ହେଲେ ଏଠାରେ କ’ଣ ପଡ଼ି ରହିବୁ ?’

 

‘ଯଦି ଏ ଲୋକମାନେ ତଡ଼ି ନ ଦେବେ, ତେବେ ଏଠାରେ ପଡ଼ି ରହିବି ।’

 

ଆଜି ଚାରିବର୍ଷ ପରେ ଭକ୍ତସିଂହକୁ ନିଜର ପ୍ରପୀଡ଼ିତ–ନିର୍ବାସିତ ପୁତ୍ରର କଥା ମନେପଡ଼ିଲା । ଯାହା ପାଇଁ ଜୀବନ ସର୍ବନାଶ, ଘର ହେଲା ବରବାଦ୍, ତା’ର ସ୍ମୃତି ତାକୁ ଥିଲା ଅସହ୍ୟ । କିନ୍ତୁ ଆଜି ସେ ନୈରାଶ୍ୟ ଓ ଦୁଃଖର ଅଥଳ ସାଗରରେ ବୁଡ଼ି ସେ ଘୂରିବୁଲୁଥିଲା ପାଗଳ ହୋଇ । ଜାଣେନା, ସେ ବିଚରାର ଦଶା କଅଣ ହେଲା ! ସ୍ୱଭାବ ତା’ର ଖରାପ ହେଲେ ବି ସେ ତ ତା’ର ପୁଅ ! ଘର ଖାନଦାନୀର ତ ନାମ ଅଛି ? ମରିଗଲେ ବି ଚାରିଟୋପା ଅଶ୍ରୁ ତ ଗଡ଼ାଇବ ? ଦୁଇଟୋପା ପାଣି ତ ଦେବ ? ଆହା, ଥରେହେଲେ ତାକୁ ସ୍ନେହ କରିନାହିଁ । ଯଦି ଝଗଡ଼ା କରୁଥିଲା ତେବେ ଯମଦୂତ ପରି ତା’ର ତଣ୍ଟି ଝୁଣିପକାଉଥିଲି । ଦିନେ ସେ ରୋଷେଇ ଘରେ ଗୋଡ଼ ନ ଧୋଇ ପଶିଯିବାରୁ ତାକୁ ବାନ୍ଧି ଉପରେ ଝୁଲେଇ ଦେଇଥିଲି । ବଡ଼ ପାଟିରେ କଥା କହିବାରୁ କେତେଥର ତାକୁ ଥାପଡ଼ ଦେଇଛି । ପୁତ୍ର ସଦୃଶ ରତ୍ନ ପାଇ ମୁଁ ତାକୁ ଆଦର କରୁନଥିଲି-। ଏହା ହେଇଛି ତା’ର ଦଣ୍ଡ । ଯେଉଁଠାରେ ସ୍ନେହର ବନ୍ଧନ ହାଲୁକା, ସେଠାରେ ପରିବାରର ରକ୍ଷା କିପରି ହୋଇପାରିବ ?

 

(୬)

 

ସକାଳ ହେଲା । ଆଶାର ରବି ଉଦୟ ହେଲେ । ଆଜି ତା’ର ରଶ୍ମୀ କେତେ କୋମଳ ମଧୁର ! ବାୟୁ କିପରି ସୁଖଦାୟକ ! ଆକାଶ କି ମନୋହର ! ବୃକ୍ଷ କେତେ ରଙ୍ଗ ବିରଙ୍ଗ ଆଉ ଶ୍ୟାମଳ ! ପକ୍ଷୀମାନଙ୍କର କଳରବ କି ମଧୁର ! ସାରା ପ୍ରକୃତି ଆକାଶ ରଙ୍ଗରେ ରଙ୍ଗାୟିତ । ମାତ୍ର ଭକ୍ତସିଂହ ପକ୍ଷେ ଚତୁର୍ଦ୍ଦିଗ ତମସାଚ୍ଛନ୍ନ ।

 

ଜେଲ୍ ଅଫିସର ଆସିଲେ । କଏଦୀମାନଙ୍କ ଧାଡ଼ିରେ ଛିଡ଼ାହେଲେ । ଅଫିସର ଜଣକ ପରେ ଜଣକର ନାମ ଡାକି ମୁକ୍ତିର ପରୱାନା ଦେଲେ । କଦୀମାନଙ୍କର ଚେହେରା ନବ ଆଶାରେ ଥିଲା ପ୍ରଫୁଲ୍ଲିତ । ଯାହାର ନାମ ଡକାହେଉଥିଲା, ସେ ହସି ହସି ଅଫିସରଙ୍କ ପାଖକୁ ଦୌଡ଼ି ଯାଉଥିଲା । ସହାସ୍ୟ ବଦନରେ ଆଣୁଥିଲା ତା’ର ମୁକ୍ତିର ପରୱାନା । ମୁଣ୍ଡ ନୁଆଁଇ ଜଣାଉଥିଲା ସଲାମ । ଆଉ ବିପଦ ସମୟର ବନ୍ଧୁଙ୍କ ଗଳାରେ ଗଳା ଲଗେଇ ବାହାରକୁ ବାହାରିଆସୁଥିଲା ସ୍ୱାଧୀନତା-ପ୍ରେମୀ ବିହଙ୍ଗ ପରି ।

 

ତାହାର ଘରଲୋକମାନେ ଦୌଡ଼ିଆସି ତାକୁ ଆଲିଙ୍ଗନ କରୁଥିଲେ । ଆନନ୍ଦରେ ଅଧୀର ହୋଇ କିଏ ପଇସା ବିଞ୍ଚି ଦେଉଥିଲା, କିଏ ମିଠେଇ ବାଣ୍ଟୁଥିଲା । ଆଉ କିଏ ଜେଲ୍ କର୍ମଚାରୀମାନଙ୍କୁ ପୁରସ୍କାର ଦେଉଥିଲା । ଆଜି ନରକର କ୍ରୂର ପ୍ରତିମା ହୋଇଯାଇଛି ବିନମ୍ରତାର ଦେବତା ।

 

ଶେଷରେ ଭକ୍ତସିଂହ ପାଳି ପଡ଼ିଲା । ସେ ମୁଣ୍ଡ ପୋତି ମୃଦୁ ଗତିରେ ଜେଲରଙ୍କ ପାଖକୁ ଗଲା ଏବଂ ଉଦାସୀନ ହୋଇ ପରୱାନା ନେଇ ଜେଲ୍‍ ଦ୍ୱାର ଆଡ଼କୁ ଅଗ୍ରସର ହେଲା । ଜଣାଯାଉଥିଲା ସତେଯେପରି ତା’ର ସମ୍ମୁଖରେ କେଉଁ ସମୁଦ୍ର ଲହରୀ ଖେଳୁଛି । ଜେଲ୍ ଫାଟକରୁ ବାହାରି ସେ ଭୂମି ଉପରେ ବସିଗଲା । କେଉଁଆଡ଼େ ଯିବ ସେ ?

 

ହଠାତ୍ ସେ ଜଣେ ସୈନିକ ଅଫିସରଙ୍କୁ ଘୋଡ଼ାରେ ବସି ଜେଲଆଡ଼କୁ ଆସୁଥିବାର ଦେଖିଲା । ଦେହରେ ଥିଲା ତାଙ୍କ ଖାକି ଲମ୍ୱା କୋଟ୍, ମୁଣ୍ଡରେ ଥିଲା ସୈନିକ ଅଫିସରଙ୍କ ଟୋପି । ବେପରଓ୍ୱା ଭାବେ ଘୋଡ଼ାରେ ବସିଥିଲେ ସେ । ତାଙ୍କ ପଛରେ ଆସୁଥିଲା ଗୋଟାଏ ଟଫିନ୍ । ଜେଲ୍ ସିପାହୀ ଅଫିସରଙ୍କୁ ଦେଖି ବନ୍ଧୁକ ନୁଆଁଇଲା । ଲାଇନ୍‍ରେ ଛିଡ଼ାହୋଇ ସାଲ୍ୟୁଟ୍ ଦେଲା ।

 

ଭକ୍ତସିଂହ ମନକୁମନ କହିଲା, ସେ ଏକ ଭାଗ୍ୟବାନ୍ । ଯାହାର ପାଇଁ ଆସିଛି ଟଫିନ୍ । ମାତ୍ର ମୁଁ ଅଭାଗା । ଯାହାର କୌଣସି ଠିକଣା ନାହିଁ ।

 

ଫଉଜ ଅଫିସର ଜଣକ ଏଆଡ଼େ ସେଆଡ଼େ ଚାହିଁ ଘୋଡ଼ା ଉପରୁ ଓହ୍ଲାଇ ସିଧାସଳଖ ଭକ୍ତସିଂହ ସମ୍ମୁଖକୁ ଆସି ଛିଡ଼ାହେଲେ । ଭକ୍ତସିଂହ ତାଙ୍କୁ ଏକାଗ୍ର ଚିତ୍ତରେ ଦେଖିଲା । ହଠାତ୍ ଚମକିଉଠି କହିଲା, ଆରେ ବେଟା ଜଗତସିଂହ ତ । ଜଗତସିଂହ କାନ୍ଦି କାନ୍ଦି ପଡ଼ିଗଲା ସେହି ଜରାଜୀର୍ଣ୍ଣ ବୁଢ଼ାର ଚରଣ ତଳେ ।

★★★

 

ପ୍ରାୟଶ୍ଚିତ

 

ଯଦି କାବେରୀ ବିଲେଇ ସାରା ଘରେ କାହାକୁ ଭଲପାଏ ତ ରାମୁର ସ୍ତ୍ରୀକୁ । ଆଉ ରାମୁର ସ୍ତ୍ରୀ ସାରାଘରେ ଯେବେ କାହାକୁ ଘୃଣା କରେ ତେବେ କାବେରୀ ବିଲେଇକୁ । ରାମୁର ସ୍ତ୍ରୀ ଦୁଇମାସ ହେଲା ପହିଲି କରି ଆସିଛି ତା’ ଶ୍ୱଶୁର ଘରକୁ । ପତିର ପ୍ରେମିକା ଓ ଶାଶୁର ଗେହ୍ଲୀବୋହୂ–ଚଉଦ ବର୍ଷର ବାଳିକା ସେ । ଭଣ୍ଡାର ଘରର ଚାବି ଝୁଲିଲା ତା’ ପଣତ କାନିରେ । ଚାକରବାକରଙ୍କ ଉପରେ ଚାଲିଲା ତା’ର ହୁକୁମ । ରାମୁର ସ୍ତ୍ରୀ ଘରେ ହେଲା ସର୍ବେସର୍ବା । ଶାଶୁଘରେ ଗଡ଼େଇଲା ମାଳୀ–ଲାଗିଗଲା ନିତିଦିନ ପୂଜାପାଠରେ ।

 

ଠହରୀ ଚଉଦ ବର୍ଷର ବାଳିକା । କେତେବେଳେ ଭଣ୍ଡାର ଘର ଖୋଲା ହୋଇଛି ତ, କେତେବେଳେ ଘରେ ବସୁ ବସୁ ଶୋଇପଡ଼ିଛି । କାବେରୀ ବିଲେଇକୁ ବର୍ତ୍ତମାନ ମିଳିଗଲା ସୁଯୋଗ । ଘିଅଦୁଧ ସହିତ ଜଡ଼ିଗଲା ସେ । ରାମୁ ସ୍ତ୍ରୀର ଜୀବନ ବିପଦରେ । ମାତ୍ର କାବେରୀ–ବିଲେଇର ଛକାପଞ୍ଜା । ରାମୁ ସ୍ତ୍ରୀ ଠେକିରେ ଘିଅ ରଖୁ ରଖୁ ଢୁଳେଇପଡ଼ିଲା, ଏଣେ ସାଇତା ଘିଅ କାବେରୀ ପେଟରେ । ରାମୁ ସ୍ତ୍ରୀ ଏଣେ ଦୁଧ ଢାଙ୍କିଦେଇ ମିସରନୀକୁ ଜିନିଷ ଦେବାକୁ ଗଲା । ଏଣେ ଦୁଧ ସରେଇ ଖାଲି । ଯଦି ଏ କଥା ଏତିକିରେ ରହିଥାନ୍ତା ତେବେ ଚିନ୍ତା ନଥିଲା । କାବେରୀ ରାମୁ ସ୍ତ୍ରୀଠରେ ଏପରି ଧରାପଡ଼ିଯାଏ ଯେ, ରାମୁ ବୋହୂର ଖାଇବା, ପିଇବା ମୁସ୍କିଲ ହୋଇଯାଏ । ରାମୁପାଇଁ ଘରେ କଂସାରେ ରାବେଡ଼ୀ ରଖାହୋଇଥିଲା । ମାତ୍ର ରାମୁ ଆସିଲା ବେଳକୁ କଂସା ପରିଷ୍କାର । ବଜାରରୁ ଆସିଲା ମଲାଇ, କିନ୍ତୁ ରାମୁ ସ୍ତ୍ରୀ ପାନ ଭାଙ୍ଗୁ ଭାଙ୍ଗୁ ମଲାଇ ଅଦୃଶ୍ୟ । ରାମୁ ବୋଉ ଠିକ୍ କରିନେଲା ଯେ ଆଜିଠାରୁ ସେ ଘରେ ରହିବ । ନୋହିଲେ କାବେରୀ ବିଲେଇ । ପରସ୍ପର ଭିତରେ ଚାଲିଲା ଯିଦ୍ । ଦୁହେଁ ହେଲେ ସାବଧାନ । କାବେରୀକୁ ଧରିବାପାଇଁ ଆସିଗଲା ଯନ୍ତା । ସେଥିରେ ଦୁଧ, ଲହୁଣୀ, ମୂଷା ଏବଂ ବିଲେଇକୁ ଭଲ ଲାଗିବା ଭଳି ସୁସ୍ୱାସୁ ଖାଦ୍ୟ ରଖାଗଲା, ମାତ୍ର ବିଲେଇ ସେ ଆଡ଼କୁ ଚାହିଁଲା ବି ନାହିଁ । କାବେରୀ ବଡ଼ ସତର୍କତାରେ ଚଳୁଥାଏ । ଆଜିପର୍ଯ୍ୟନ୍ତ କେବଳ ମାତ୍ର ସେ ଡରୁଥିଲା ରାମୁର ସ୍ତ୍ରୀକୁ । ଏଣିକି ରାମୁ ସ୍ତ୍ରୀ ସହିତ ଜମେଇଲା ଦୋସ୍ତ । ମାତ୍ର ଏପରି ଚତୁରତା ସହ ଚଳୁଥାଏ ଯେ, ରାମୁର ବୋହୂ ତା’ ଉପରେ ହାତ ଲଗେଇପାରିଲା ନାହିଁ ।

 

କାବେରୀର ସାହସ ବଢ଼ିଯିବାରୁ ରାମୁ ବୋହୂର ଘରେ ରହିବା ମୁସ୍କିଲ ହୋଇଗଲା । ତାକୁ ମିଳୁଥିଲା ଶାଶୁର ମିଠା କଡ଼ା ଗାଳି ଗୁଲଜ । ସ୍ୱାମୀ ଦେବତାକୁ ମିଳୁଥିଲା ଶୁଖିଲା ଖାଦ୍ୟ ।

 

ଦିନେ ରାମୁବୋହୂ ରାମୁ ପାଇଁ କ୍ଷିରି ରାନ୍ଧିଲା । ପେସ୍ତା ବାଦାମ, ମଖନ, ବିଭିନ୍ନ ପ୍ରକାର ମସଲା ଦୁଧରେ ଆଉଟାଗଲା ।

 

ଢାଙ୍କୁଣୀ ଦେଇ କ୍ଷିରିପୂର୍ଣ୍ଣ ସରେଇକୁ ଘରେ ଏପରି ଜାଗାରେ ରଖାଗଲା, ଯେଉଁଠାକୁ କି ବିଲେଇ ଯାଇପାରିବ ନାହିଁ । ଏହାପରେ ରାମୁ ସ୍ତ୍ରୀ ପାନ ଭାଙ୍ଗିବାରେ ଲାଗିଗଲା ।

 

ଏଆଡ଼େ ବିଲେଇ ଆସିଲା ଘରକୁ । ଭାଡ଼ିତଳେ ଥାଇ ସେ ଉପର ସରେଇ ଆଡ଼କୁ ଚାହିଁଲା । ସୁଙ୍ଘିଲା । ଭଲ ମାଲ୍ ଅଛି । ଭାଡ଼ିର ଉଚ୍ଚତା ଅନୁମାନ କଲା, ରାମୁର ବୋହୂ ପାନ ଭାଙ୍ଗିବାରେ ଲାଗିଛି । ପାନ ଭାଙ୍ଗି ଶାଶୁକୁ ଦେବାକୁ ଚାଲିଗଲା । ଏଆଡ଼େ କାବେରୀ ମାରିଲା କୁଦା । ଗୋଡ଼ ବାଜିଲା ସରେଇ ଫୁଙ୍ଗରେ ଏବଂ ସରେଇ ଏକାବେଳ ଚଟାଣରେ ।

 

ରାମୁ ବୋହୂର କାନରେ ଶବ୍ଦ ବାଜିଲା, ଶାଶୁ ସାମନାରେ ପାନ ପକେଇଦେଇ ସେ ଦୌଡ଼ିଆସିଲା । କଅଣ ଦେଖିଲା ? ଫୁଲର ଚାଙ୍ଗୁଡ଼ି ଛିନିଛତର । କ୍ଷିରି ଚଟାଣରେ । ବିଲେଇ ମନପ୍ରାଣ ଦେଇ କ୍ଷିରି ଖାଇବାରେ ବ୍ୟସ୍ତ । ରାମୁର ସ୍ତ୍ରୀକୁ କାବେରୀ ଦେଖି ଛରେ ଚାରିଅଙ୍କ (ଛୁ) । ରାମୁ ସ୍ତ୍ରୀ ରାଗରେ ରକ୍ତ ଚାଉଳ ଚୋବାଇଲା, ‘ମୂଳୁ ମାଇଲେ ଯିବ ସରି ଦେବଙ୍କ ସହ କିମ୍ପା କଳି-?’ ରାମୁବୋହୂ କାବେରୀକୁ ହତ୍ୟା କରିବାପାଇଁ ଅଣ୍ଟା ଭିଡ଼ିଲା । ରାତିସାରା ତା’ର ଆଖିକୁ ନିଦ ନାହିଁ । କିପରି ସମୟରେ ଆକ୍ରମଣ କଲେ କାବେରୀ ଜୀବନରେ ବଞ୍ଚିବ ନାହିଁ । ଏଇ କଥା ଭାବୁ ଭାବୁ ଶୋଇପଡ଼ିଲା । ସକାଳ ହେଲା । ସେ ଦେଖିଲା କାବେରୀ କାନ୍ଥ ଉପରେ ବସି ତାକୁ ଟେରେଇ ଚାହିଁଛି ।

 

ରାମୁ ସ୍ତ୍ରୀ କେତେ କଥା ଭାବିଲା । ଟିକିଏ ହସିଉଠିଲା । ରାମୁ ସ୍ତ୍ରୀ ଚାଲିଯିବାର ଦେଖି କାବେରୀ ଚୁପ୍ କରି ପଳେଇଗଲା । ରାମୁ ସ୍ତ୍ରୀ ଦୁଆରବନ୍ଧଠାରେ ଗିନାଏ ଦୁଧ ରଖିଦେଇ ଚାଲିଗଲା । ହାତରେ ପିଢ଼ାଟାଏ ନେଇଆସିଲା । ଦେଖିଲା କାବେରୀ ଦୁଧ ସହିତ ଜଡ଼ିଯାଇଛି । ସୁଯୋଗ ଆସିଲା ହାତକୁ । ସବୁ ବଳ ଲଗେଇ ସେ କାବେରୀ ଉପରକୁ ପିଢ଼ାଟା ଫିଙ୍ଗିଦେଲା । କାବେରୀ ହଲଚଲ ହୋଇପାରିଲା ନାହିଁ, ରଡ଼ି କଲା ନାହିଁ, ଚିତ୍କାର କଲାନାହିଁ । କାମ୍ ଏକବାରେ ଲେଉଟିପଡ଼ିଲା ।

 

ଶବ୍ଦ ଯେପରି ହୋଇଛି–ମହରୀ ଝାଡ଼ୁ ଛାଡ଼ି କରି, ମିସାରାନୀ ରୋଷେଇ ଛାଡ଼ି ଏବଂ ଶାଶୁ ପୂଜାପାଠ ଛାଡ଼ି ଘଟଣା ସ୍ଥଳରେ ପହଞ୍ଚିଗଲେ । ରାମୁ ସ୍ତ୍ରୀ ମୁଣ୍ଡପୋତି ଅପରାଧିନୀ ପରି କେବଳ ଛିଡ଼ା ହୋଇ କଥା ଶୁଣୁଥିଲା ।

 

ମହରୀ କହିଲା– ରାମ ! ରାମ୍ ! ବିଲେଇ ତ ମରିଗଲା, ମା’ ! ବିଲେଇକୁ ତ ବୋହୂ ମାରିଦେଲା । ଏ ତ ମହାପାପ ହେଲା । ମିସ୍‍ ରାନୀ କହିଲା– ‘ମା’ ! ବିଲେଇ ହତ୍ୟା ନରହତ୍ୟା ସଙ୍ଗେ ସମାନ । ଆମେ ତ ରୋଷେଇ କରିବା ନାହିଁ–ଯେତେଦିନ ପର୍ଯ୍ୟନ୍ତ ବୋହୂ ମୁଣ୍ଡରେ ପାପଥିବ’ ।

 

ଶାଶୁ ବୁଢ଼ୀ କହିଲେ, ‘‘ହଁ ଲୋ ! ସତ କହୁଛୁ ତ । ଯେତେଦିନ ପର୍ଯ୍ୟନ୍ତ ପାପ ନ ଯାଇଛି ସେତେଦିନ ପର୍ଯ୍ୟନ୍ତ କେହି ପାଣି ପିଇପାରିବେ ନାହିଁ କି ଖାଇବି ପାରିବେ ନାହିଁ । ବୋହୂ, ଏ କଅଣ କଲୁ’’ ?

 

ମହରୀ କହିଲା– ‘‘ପୁଣି କଅଣ ହୁଅନ୍ତା ମ ! କହିବୁ ଯଦି ପଣ୍ଡିତଜୀଙ୍କୁ ଡକାଇଆଣିବି’’ ।

 

ଶାଶୁର ଦେହରେ ଜୀବନ ପଶିଲା । କହିଲା– ‘‘ଆରେ ! ସତେ ତ । ଶୀଘ୍ର ଦୌଡ଼ିଯାଇ ପଣ୍ଡିତଜୀଙ୍କୁ ଡକାଇଆଣ ।’’

 

ବିଲେଇ ହତ୍ୟା ଖବର ବିଜୁଳି ବେଗରେ ସାହି ପଡ଼ିଶାରେ ଖେଳିଗଲା । ପଡ଼ିଶା ସ୍ତ୍ରୀମାନଙ୍କର ରାମୁର ଘରେ ଜମାଟ ବାନ୍ଧିଗଲା । ଚାରିଆଡ଼ୁ ପ୍ରଶ୍ନର ଝଡ଼ଉଠିଲା । ରାମୁ ସ୍ତ୍ରୀ କେବଳ ମୁଣ୍ଡ ପୋତି ବସି ରହିଲା ।

 

ପଣ୍ଡିତ ପରମସୁଖକୁ ଯେତେବେଳେ ଏହି ଖବର ମିଳିଲା–ସେହି ସମୟରେ ସେ ପୂଜାପାଠରେ ବସିଥିଲା । କାନରେ ଖବର ବାଜୁଣୁ ସେ ଉଠିପଡ଼ିଲେ । ପଣ୍ଡିତିଆଣୀକୁ କଅଣ ହସି ହସି କହିଲେ–ରାନ୍ଧିବ ନାହିଁ । ଲାଲଘାସୀ ରାମୁର ସ୍ତ୍ରୀ ବିଲେଇ ମାରିଛି । ପ୍ରାୟଶ୍ଚିତ ହେବ । ଚକଟା ନେଇ ଫେରିବି ।

 

ପଣ୍ଡିତ ପରମସୁଖ ଚତୁର୍ବେଦୀ ବୁଢ଼ା ଆଉ ମୋଟା ଲୋକ ଥିଲେ । ଉଚ୍ଚତା ଚାରିଫୁଟ୍, ଦଶଇଞ୍ଚ । ପେଟର ମୋଟେଇ ଅଠାବନ ଇଞ୍ଚ । ପୃଥୁଳ ଚେହେରା । ଲମ୍ୱା ନିଶ । ଗୋରା ତକତକ ଚେହେରା । ଚୁଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ୱା । ଶୁଣାଯାଏ ମଥୁରାରେ ପାଞ୍ଚସେର ଓଜନର ଖାଦ୍ୟ ଖାଇବା ଭଳି ପଣ୍ଡିତଙ୍କୁ ଯଦି ଖୋଜାଯାଏ ତେବେ ପଣ୍ଡିତ ପରମସୁଖଙ୍କ ନାମ ସେହି ତାଲିକାରେ ପ୍ରଥମ ସ୍ଥାନ ଦିଆଯାଉଥିଲା ।

 

ପଣ୍ଡିତ ପରମସୁଖ ପହଞ୍ଚିଲେ । କୋରମ ପୂରା ହୋଇଗଲା । ପଞ୍ଚାୟତ ବସିଲା । ଶାଶୁ ମହାଶୟା, ମିସରାନୀ, କିଷୁନୁ ମା’, ଛନ୍ନୁର ଜେଜୀ ଏବଂ ପଣ୍ଡିତ ପରମସୁଖ । ଅନ୍ୟାନ୍ୟ ସ୍ତ୍ରୀମାନେ ବୋହୂକୁ ସହାନୁଭୂତି ଦେଖାଉଥିଲେ ।

 

କିଷୁନୁ ମା’ ପଚାରିଲା– ପଣ୍ଡିତ ମହାଶୟ ! ବିଲେଇକୁ ହତ୍ୟା କଲେ କି ନରକ ମିଳେ-? ପଣ୍ଡିତ ପରମସୁଖ ପୋଥୀ ଲେଉଟାଇ କହିଲେ ବିଲେଇ ହତ୍ୟା କେବଳ ତ ନରକ ନାମ ବୁଝାଏ ନାହିଁ । ଏଥିରୁ ଜଣାଯାଉଛି ଯେତେବେଳେ ବିଲେଇକୁ ହତ୍ୟା କରାଗଲା ସେତେବେଳେ ନରକ ଦୋଷ ଲାଗୁଛି ।

 

‘ଏଇତ ସକାଳ ସାତ’ । ମିସରାନୀ କହିଲା ।

 

ପଣ୍ଡିତ ପରମସୁଖ ପୋଥୀର ପତ୍ର ଆଡ଼େଇଲେ । ଅକ୍ଷର ଉପରେ ଆଙ୍ଗୁଳି ଚଳାଇଲେ-। କପାଳରେ ହାତମାରିଲେ । କପାଳ କୁଞ୍ଚିତ ହୋଇଉଠିଲା । ମୁଣ୍ଡକୁ ବୁଦ୍ଧି ଆସିଗଲା । ନାକ ସଙ୍କୁଚିତ ହେଲା । ସ୍ୱର ଗମ୍ଭୀର । ହରେକୃଷ୍ଣ ! ହରେକୃଷ୍ଣ ! ଖୁବ୍ ଖରାପ ହେଲା । ପ୍ରାତଃ କାଳ-। ବ୍ରାହ୍ମ ମୁହୂର୍ତ୍ତରେ ବିଲେଇ ହତ୍ୟା ! ଘୋର କୁମ୍ଭୀପାକ ନରକର ଦୋଷ ଡାକିଲା ରାମୁ ମା’-। ଏ ତ ଭୀଷଣ ପାପ ।

 

ରାମୁ ମା’ର ଆଖିରୁ ଲୁହ ଝରିଲା । ‘ତାହେଲେ ପଣ୍ଡିତ ମହାଶୟ, ବର୍ତ୍ତମାନ କଅଣ କରାଯିବ ଆପଣ କହନ୍ତୁ’ ।

 

ପଣ୍ଡିତ ପରମସୁଖ ମୁରୁକି ହସି କହିଲେ ‘‘ରାମୁ ମା’ ! ପୁରୋହିତ ଥିବାପର୍ଯ୍ୟନ୍ତ ଚିନ୍ତା କରିବାର କାରଣ କଅଣ ଅଛି ? ଶାସ୍ତ୍ରରେ ପ୍ରାୟଶ୍ଚିତର ନିୟମ ଅଛି । ତେଣୁ ପ୍ରାୟଶ୍ଚିତ ଦ୍ୱାରା ସବୁ କିଛି ଠିକ୍ ହୋଇଯବ ଯେ’’ ।

 

ରାମୁ ମା’ କହିଲା ‘‘ପଣ୍ଡିତ ମହାଶୟ ! ଏଇଥିପାଇଁ ତ ଆପଣଙ୍କୁ ଡକାଇଲି । ବର୍ତ୍ତମାନ କହନ୍ତୁ ଏବେ କଅଣ କରାଯିବ ।’’

 

କଅଣ କରାଯିବ ? ଏଠାରେ ସୁନାର ବିଲେଇ ତିଆରି କରି ବୋହୂଦ୍ୱାରା ଦାନ କରାଯିବ । ଯେତେଦିନ ପର୍ଯ୍ୟନ୍ତ ସୁନା ବିଲେଇ ଦାନ ଦିଆନଯିବ ସେତେଦିନ ପର୍ଯ୍ୟନ୍ତ ଘର ଅପବିତ୍ର ରହିବ । ହଁ ଖାଲି ବିଲେଇ ଦାନ ଦେଇଦେଲେ କଅଣ, ଏକୋଇଶ ଦିନର ପାଠ ଶେଷ ହୋଇଯିବ ?

 

ଛନ୍ନୁର ଜେଜୀ କହିଲା–ହଁ, ଆଉ କଅଣ ? ପଣ୍ଡିତ ମହାଶୟ ତ ଠିକ୍ କହୁଛନ୍ତି । ସୁନା ବିଲେଇ ବର୍ତ୍ତମାନ ଦାନ ଦିଆଯିବ । ତା’ପରେ ପାଠ ଶେଷ ।

ରାମୁ ମା’ କହିଲା ‘‘ତେବେ ପଣ୍ଡିତ ମହାଶୟ ! କେତେ ତୋଳା ସୁନାର ବିଲେଇ ତିଆର କରାଯିବ ।

ପଣ୍ଡିତ ପରମସୁଖ ହସିଲେ । ନିଜ ପେଟରେ ହାତ ବୁଲେଇ କହିଲେ, ବିଲେଇ କେତେ ତୋଳାର ତିଆର ହେବ ? ଆହେ ରାମୁ ବାବୁ ଶାସ୍ତ୍ରରେ ତ ଲେଖା ଅଛି ଯେ ବିଲେଇ ଓଜନର ସୁନାରେ କହିଲେଇ ତିଆର କରାଯିବ । କିନ୍ତୁ ବର୍ତ୍ତମାନ କଳିଯୁଗ । ଧର୍ମ-କର୍ମର ପ୍ରାୟ ଲୁଚିଯାଇଛି-। ଶାସ୍ତ୍ର ପାଠକୁ ଲୋକଙ୍କର ଖାତିରି ନାହିଁ । ତେଣୁ ରାମୁ ମା’ ! ବିଲେଇ ଓଜନର ସୁନା ବିଲେଇ କଅଣ ତିଆରି କରିବ । କାହିଁକିନା, ବିଲେଇଟା କୋଡ଼ିଏ–ଏକୋଇଶ ସେରରୁ କଅଣ କମ୍ ହେବ-? ହଁ, କମ୍ ସେ କମ୍ ଏକୋଇଶ ତୋଳାର ବିଲେଇ ତିଆର କରି ଦାନ କରେଇ ଦିଅ-। ଏହା ବାଦେ ତ ନିଜ ନିଜର ଖୁସି କଥା ।

ରାମୁର ମା’ ତାଟକା ହୋଇ ପଣ୍ଡିତ ପରମସୁଖଙ୍କ ମୁହଁକୁ ଚାହିଁ ରହିଲା । କହିଲା–ଆରେ ବାପରେ ! ଏକୋଇଶ ତୋଳା ସୁନା ! ପଣ୍ଡିତ ମହାଶୟ ! ଏହା ଖୁବ୍ ବେଶୀ ହୋଇଗଲା । ଏକ ତୋଳାରେ କଅଣ କାମ ଚଳିବ ନାହିଁ ?’’

ପଣ୍ଡିତ ପରମସୁଖ ହସିଉଠି କହିଲେ–‘‘ରାମୁ ମା’ ! ଏକ ତୋଳା ସୁନାର ବିଲେଇ । ଆରେ ! ଟଙ୍କାର ଲୋଭ ତ ବୋହୂ ଅପେକ୍ଷା ବେଶୀ ବଢ଼ିଯାଇଛି । ବୋହୂ ମୁଣ୍ଡରେ ଏତେ ବଡ଼ ପାପ । ଏଥିରେ ଏତେ ଲୋଭ କରିବା ଉଚିତ ନୁହେଁ ରାମୁ ମା’ !’’

ଓଜନ ଆରମ୍ଭ ହେଲା । ମାମଲା ଏଗାର ତୋଳାରେ ଛିଡ଼ିଲା । ଏହାପରେ ପୂଜାପାଠ କଥା ଆସିଲା । ପଣ୍ଡିତ ପରମ ସୁଖ କହିଲେ ‘ଏଥିରେ ଅଡ଼ୁଆ କଅଣ ଅଛି ? ମୁଁ କଅଣ ଦିନିକିଆ ହୋଇଛି ? ରାମୁ ମା’ ! ମୁଁ ପାଠ କରିଦେବି । ପୂଜା ସାମଗ୍ରୀ ମୋ ଘରକୁ ପଠାଇଦେବ ।

‘‘ପୂଜା ଜିନିଷ କେତେ ଲାଗିବ’’ ।

ଆରେ ! ଖୁବ୍ କମ୍ ଜିନିଷରେ ମୁଁ ପୂଜା କରିଦେବି । ଦାନପାଇଁ ପ୍ରାୟ ଦଶମହଣ ଗହମ, ଏକ ମହଣ ଡାଲି, ମହଣେ ତେଲ, ପାଞ୍ଚ ମହଣ ଯବ, ପାଞ୍ଚ ମହଣ ବୁଟ, ଚାରିସେର ଘିଅ, ଏବଂ ମହଣେ ଲୁଣ ଲାଗିବ । ବାଶ୍ ଏତିକିରେ କାମ ଚଳିଯିବ ।

‘‘ବାପା ଲୋ ! ଏତେ ଜିନିଷ ପଣ୍ଡିତ ମହାଶୟ ! ଏଥିରେ ତ ଶହେ ଦେଢ଼ଶହ ଟଙ୍କା ଖର୍ଚ୍ଚ ହୋଇଯିବ’’ । ରାମୁର ମା’ ବିକଳ ହୋଇ କହିଲା ।

‘‘ପୁଣି ଏଥୁରୁ ତ କମ୍ ହେଲେ ଚଳିବନି । ରାମୁ ମା’ ! ବିଲେଇ ପାତକ କେତେବଡ଼ ପାପ ! ଖର୍ଚ୍ଚକୁ ଦେଖିବା ପୂର୍ବରୁ ବୋହୂର ପାପକୁ ଦେଖ । ଏ ତ ପ୍ରାୟଶ୍ଚିତ କଥା । ରହସ୍ୟ କଥା ହେଇଛି କି ? ଯାହାର ଯେପରି ଇମାନ୍, ତାକୁ ସେପରି ପ୍ରାୟଶ୍ଚିତ କରିବାକୁ ପଡ଼ିବ । ତୁମେ ସେପରି ତ ଅକ୍ଷମ ନୁହଁ । ଦେଢ଼ଶହ ଟଙ୍କା ତ ତୁମ ପକ୍ଷେ କିଛି ନୁହେଁ’’ ।

ପଣ୍ଡିତ ପରମସୁଖଙ୍କ କଥାରେ ପଞ୍ଚାୟତ ମେମ୍ୱରମାନେ ରାଜି ହୋଇଗଲେ । କିସୁନୁ ମା’ କହିଲା, ‘‘ପଣ୍ଡିତେ ଠିକ୍ କହୁଛନ୍ତି । ବିଲେଇ ହତ୍ୟା ତ ସେପରି କିଛି ଛୋଟ ପାପ ନୁହେଁ । ବଡ଼ ପାପ ପାଇଁ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବ’’ ।

 

ଛନ୍ନୁର ଜେଜୀ କହିଲା– ନୁହେଁ ଆଉ କଅଣ ? ଦାନ-ପୁଣ୍ୟ ଦ୍ୱାରା ପାପ ଖଣ୍ଡନ ହୁଏ । ଦାନ-ପୁଣ୍ୟରେ ମୁଲେଇ ନାହିଁ ।’’

 

ମିସରାନୀ କହିଲା ‘‘ମା’ ! ତୁମେ କେତେବଡ଼ ଲୋକ, ଏଇ ଖର୍ଚ୍ଚ କଅଣ ତୁମକୁ ବଳେଇଯିବ ?

 

ରାମୁ ମା’ ଚତୁଃପାର୍ଶ୍ୱକୁ ଚାହିଁଲା । ସବୁ ସଭ୍ୟ ପଣ୍ଡିତଙ୍କ କଥାରେ ରାଜି । ପଣ୍ଡିତ ପରମସୁଖ ମୁରୁକି ହସୁଥିଲେ । କହିଲେ ‘‘ରାମୁ ମା’ ! ଗୋଟିଏ ଆଡ଼େ ବୋହୂ ଉପରେ କୁମ୍ଭୀପାକ ନରକର ଦୋଷ । ଅନ୍ୟଆଡ଼େ ତୁମ ଉପରେ କିଛି ଖର୍ଚ୍ଚ । ତେଣୁ ଏଥିରେ ନାରାଜ ହୁଅନା ।’’

 

ଟିକିଏ ନରମ ଗଳାରେ ରାମୁ ମା’ କହିଲା–‘‘ବର୍ତ୍ତମାନ ଯେପରି ନଚେଇବ, ସେପରି ତ ନାଚିବାକୁ ପଡ଼ିବ’’ ।

 

ପଣ୍ଡିତ ପରମସୁଖ ଟିକିଏ ଚିଡ଼ିଯାଇ କହିଲେ ‘‘ରାମୁ ମା’ ! ଏ ତ ନିଜ ଖୁସିର କଥା । ଯଦି ତୁମକୁ ଏହା ବଳଉଛି, ନ କର । ମୁଁ ଚାଲିଯାଉଛି ।’’ ଏତିକି କହି ପଣ୍ଡିତେ ପୋଥି-ପତ୍ର ସଜାଇଲେ ।

 

‘‘ହେ ପଣ୍ଡିତ ମହାଶୟ ! ରାମୁ ମାକୁ କିଛି ବଳେଇଯାଉନି । ବିଚାରୀକୁ କେତେ ଦୁଃଖ । ବିରକ୍ତ ହୁଅନ୍ତୁ ନାହିଁ’’ । ମିସରାନୀ, ଛନ୍ନୁର ଜେଜେ ମା’ ଏକ ସ୍ୱରରେ କହିଲେ ।

 

ରାମୁ ମା’ ପଣ୍ଡିତଙ୍କ ଗୋଡ଼ ଧରିପକାଇଲା । ପଣ୍ଡିତଜୀ ବର୍ତ୍ତମାନ ଚକାମାଣ୍ଡୁ ପକାଇ ବସିଗଲେ ।

 

‘‘ଆଉ କଅଣ ହେବ ।’’

 

ଏକୋଇଶ ଦିନ ପାଠ ପାଇଁ ଏକୋଇଶ ଟଙ୍କା ଏବଂ ଏକୋଇଶ ଦିନ ପର୍ଯ୍ୟନ୍ତ ଦୁଇବଖତ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଭୋଜନ କରେଇବାକୁ ପଡ଼ିବ । ଟିକିଏ ରହି ପଣ୍ଡିତ ପରମସୁଖ କହିଲେ ‘‘ହଁ, ଏକୋଇଶ ଦିନର ଚିନ୍ତା କରିବ ନାହିଁ । ମୁଁ ଏକା ଦୁଇବେଳା ଭୋଜନ କରିଦେବି । ଆଉ ମୋର ଏକୁଟିଆ ଭୋଜନରେ ପାଞ୍ଚଜଣ ଖାଇବାର ଫଳ ମିଳିଯିବ ।

 

‘‘ପଣ୍ଡିତ ମହାଶୟ ଠିକ୍ କହୁଛନ୍ତି । ପଣ୍ଡିତଙ୍କ ପେଟକୁ ଦେଖ’’ । ମିସରାନୀ ଟିକିଏ ମୁରୁକି ହସି ପଣ୍ଡିତଙ୍କୁ ବିଦ୍ରୂପ କଲା । ଆଚ୍ଛା ରାମୁ ମା’ ! ପ୍ରାୟଶ୍ଚିତର ବନ୍ଦୋବସ୍ତ ପାଇଁ ଏଗାର ତୋଳା ସୁନା ଆଣ । ମୁଁ ଏଥିରେ ବିଲେଇ ଗଢ଼େଇ ଫେରିବା ପର୍ଯ୍ୟନ୍ତ ପୂଜାର ଜିନିଷ ଯୋଗାଡ଼ କରି ରଖ । ଆଉ ଦେଖ ପୂଜାପାଇଁ.... ।’’

 

ପଣ୍ଡିତଙ୍କ କଥା ଶେଷ ହୋଇନି । ମହରୀ ଧଇଁସଇଁ ହୋଇ ଘର ଭିତରକୁ ପଶିଆସିଲା-। ସବୁଲୋକ ଚମକିଉଠିଲେ । ରାମୁ ମା’ ବ୍ୟସ୍ତହୋଇ କହିଲା–‘‘ଆଲୋ କଅଣ ହେଲା-?’’

 

ମହରୀ ଥରିଲା କଣ୍ଠରେ କହିଲା–ମାଲୋ ! ବିଲେଇ ତ ଉଠି କରି ପଳେଇଲାଣି ।

★★★

 

ଓକିଲ ସାହେବଙ୍କ ଗାଈ

 

ଯେତେବେଳେ ଦୁଧସେର ଆଠଅଣା ହୋଇଗଲା ସେତେବେଳ ପର୍ଯ୍ୟନ୍ତ ଏହା ଜଣାନଥିଲା ଯେ, ସେଥିରେ ପାଣି ମିଶୁଛି ନା ନାହିଁ । ଶିବନାଥ ଦାସ ଭାବିବାକୁ ଲାଗିଲେ । ଓକିଲ ସାହେବଙ୍କ ଓକିଲାତି ଭଲ ନଥିଲା ତ ଖରାପ ବି ନଥିଲା । ଯେପରି ଆର୍ଯ୍ୟ ସମାଜ ଖାଣ୍ଟି ହିନ୍ଦୁ ନଥିଲେ ମଧ୍ୟ ମୁସଲମାନ ବି ନଥିଲେ । ତିନି ଚାରିଶହ ଟଙ୍କା ମାସକୁ ମିଳୁଥିଲା । ରାତିରେ ଦିନର ରୋଜଗାର ଡାଏରୀରେ ଲେଖି ଭାବିବାକୁ ଲାଗିଲେ ।

 

ସକାଳୁ ଉଠି ଚା ପିଇଲେ ନାହିଁ । ଜିତନ ସିଂ ମଇଁଷି ପାଇଁ ନଡ଼ା ଦାନା ଭିଜଉଥିଲା । ଓକିଲ ସାହେବଙ୍କୁ ଦେଖିଲା ମାତ୍ରେ ହାତ ଉଠେଇଲା । ହାତରେ ଚକଟା ଭୁଷି ଲାଗିଥିଲା । ଯେଉଁଥିରୁ କି ଜଣାଯାଉଥିଲା ଯେ ସତେଅବା ହାତୀ ଶୁଣ୍ଢରେ ମୋତିର ମାଳା ଝୁଲୁଛି । କହିଲା ‘‘ଜୟ ରାମଚନ୍ଦ୍ର କି ।’’ ଆଜି ଏଡ଼େ ବଡ଼ି ସକାଳୁ କାହିଁକି ଓକିଲ ସାହେବ ? ଓକିଲ ସାହେବ ତା’ର କଥା ଶୁଣିଲେ ନାହିଁ–ଯେପରି ଇଂରେଜ ସରକାର ଭାରତ ଲୋକଙ୍କ କଥା ଶୁଣୁନଥିଲା । ପଚାରିଲେ ‘‘ଆଜିକାଲି ଭୁଷି ଦର କଅଣ ?’’

 

ଓକିଲ ତ ସାକ୍ଷୀ କଥା ଜାଣନ୍ତି, କାନୁନ କଥା ଜାଣନ୍ତି, କଚେରି କଥା କହନ୍ତି, ଓକିଲାତି କଥା କହନ୍ତି । ତେବେ ତ ଯାଇ ସବୁ ଠିକ୍ ଜଣାପଡ଼େ । ଓକିଲଙ୍କ ମୁହଁରୁ ଭୁଷି କଥା କିଛି ସ୍ୱାଭାବିକ ଜଣାଯାଉନାହିଁ । ‘ଓକିଲ’ ଓ ଭୁଷି ଏ ଦୁଇ ଶବ୍ଦରୁ ଏପରି ଜଣାଯାଉଛି ଯେପରି କୌଣସି କୋମଳାଙ୍ଗୀ ଗାୟୀକାର ମୁଖରୁ ଆଲ୍ଲା ଶବ୍ଦ । ସକାଳୁ ହଠାତ୍ ଓକିଲ ସାହେବଙ୍କ ମୁଖରୁ ଭୁଷି କଥା ଏପରି ଜଣାଯାଉଥିଲା ଯେପରି ମାଘମାସରେ କୋଇଲିର ସ୍ୱର ।

 

ଠାକୁର ଜୀତନ ସିଂ ବୁଝିଲା କୌଣସି ‘ଭୁଷି ମକଦମା ହୋଇପାରେ’ । ଯେତେବେଳେ ପାଣିନଳା ପର୍ଯ୍ୟନ୍ତ ମକଦମା ହୋଇପାରୁଛି ତାହେଲେ ଭୁଷିତ ସେପରି କିଛି ଦାତବ୍ୟ ଜିନିଷ ନୁହେଁ-। କହିଲା ‘ମୋର ଏଠାକୁ ତ ଗାଁରୁ ଆସୁଛି’ । ତଥାପି ଶୁଣୁଛି ଟଙ୍କାରେ ଆଠ ନଅସେର ବିକ୍ରି ହେଉଛି । କଅଣ କୌଣସି ମକଦମାର ଭୁଷି ସହିତ ସମ୍ୱନ୍ଧ ଅଛି କି ? ଓକିଲ ସାହେବ କହିଲେ ‘‘ନାଁ ମକଦମା ନୁହେଁ ଯେ, ମୁଁ ଗାଈ କିଣିବା କଥା ଭାବୁଛି ।’’

 

ଓକିଲ ସାହେବଙ୍କ କଥା ଶୁଣି ଠାକୁର ସାହେବ ଏପରି ଖୁସି ହୋଇଥିଲେ । ଯେପରି ସୂତା ଦେଖିଲେ ମହାତ୍ମା ଗାନ୍ଧି ଖୁସି ହେଉଥିଲେ । ସେ ହାତ ପକେଟରୁ କାଢ଼ିଆଣିଲା ଆଉ ସିଧା ହୋଇ ଛିଡ଼ା ହୋଇଗଲା । ସତେଯେପରି ଜବାହାରଲାଲ୍ ନେହେରୁ ଦର୍ଶନ ଦେବାକୁ ସ୍ୱୟଂ ଉପବିଷ୍ଟ । ତାପରେ କହିଲା, ‘‘ବଡ଼ଭାଇ ବିଚାର କରିଛନ୍ତି ।’’ ବାସ୍ ଖରିଦ କରିନିଅନ୍ତୁ । ବଢ଼ା ହୋଇଥିବା ଭାତଥାଳି, ଶ୍ୱଶୁର ଘର ନିମନ୍ତ୍ରଣ, ମାଡ଼ ପିଟି ହେଉଥିବା ଜାଗା, ଏ ସବୁରୁ ପଳେଇଯିବାରେ ଆଉ ଧର୍ମ କାମରେ ବହୁତ ଭାବିବା ଆଦୌ ଉଚିତ ନୁହେଁ । ଗୋ-ପାଳନ ତ ଧର୍ମ ଅଟେ । ଏହା ଘରର ଶ୍ରୀ ଅଟେ । ଯାହାର ଘରେ ଗୋଟିଏ ଗାଈ ବନ୍ଧାହୋଇଛି ସେ ଘରହିଁ ସ୍ୱର୍ଗ ।

 

‘ଦୁଧ, ଦହି ଖୋଜିବାକୁ ପଡ଼ିବ ନାହିଁ । ଗୋବର ବିନା ଶୁଭ କାର୍ଯ୍ୟ ହୋଇପାରିବ ନାହିଁ-। ଏସବୁ ପାଇଁ ଘର ଘର ଦୌଡ଼ିବାକୁ ପଡ଼ିବ ନାହିଁ । ଆଉ ଗୋଟିଏ କଥା, କିଛି ଖରାପ ଭାବିବେ ନାହିଁ ।

ଯଦି ସମୟ ଅସମୟରେ କାହାର ବୈକୁଣ୍ଠ ବାସ ହୋଇଗଲା ତେବେ ଗୋଦାନ ପାଇଁ କେଉଁଆଡ଼େ ଖୋଜିବୁଲିବେ ? ଧର୍ମ ଏବଂ ଲାଭର ଏପରି ମିଳନ ଗାଈଠାରେ ନାହିଁ ତ ଗଙ୍ଗା ସ୍ନାନରେ ଅଛି । ଯେଉଁଠାରେ ପ୍ରତ୍ୟେକ ବୁଡ଼ରେ ସ୍ୱାସ୍ଥ୍ୟ ପରିବର୍ତ୍ତନ ହୁଏ, ଆଉ ପାପ ମଧ୍ୟ ନାଶ ହୁଏ ।

 

ଜୀତନ ସିଂ ଗୋପାଳନ–ସଭାର ଉପଦେଷ୍ଟା ନଥିଲେ କି ମନ୍ତ୍ରୀ ବି ନଥିଲେ । ତଥାପି ମଧ୍ୟ ତାଙ୍କର କ୍ଷୁଦ୍ର ଭାଷଣ ଥିଲା ପ୍ରଭାବୋତପାଦକ । ଗାଈ କେବଳ ଦୁଧ ଦିଏନାହିଁ, ଆଉ ତ କେବଳ ମଲାଇ-ଲହୁଣୀର ଉତ୍ପନ୍ନକାରିଣୀ ନୁହେଁ । ଧର୍ମ ଅର୍ଜନର ମାଲିକାଣୀ ମଧ୍ୟ । ଏଇ କଥା ତାଙ୍କର ଓକିଲିଆ ଛାତିରେ ବସା ବାନ୍ଧିଗଲା । ତାଙ୍କର ମନ ମଧ୍ୟରେ ଧର୍ମର ସମ୍ୱନ୍ଧ ଏପରି ଜାଗିଉଠୁଛି, ଯେପରି ଡାକ୍ତର ଓ ବୈଦ୍ୟଙ୍କ ମଧ୍ୟରେ । ସେ ବୋଧେ କେବେ କଲେଜରେ ରଘୁବଂଶ ପଢ଼ିଥିଲେ । ତାଙ୍କ ଆଗରେ ନନ୍ଦିନୀର ଛବି ନାଚିଉଠିଲା । ସତେଯେପରି ନନ୍ଦିନୀ ବନରୁ ଫେରୁଛି-। ଲଲାଟରେ ଅଛି ଓଲଟି ରେଖା, ଆଉ ନବ କିଶଳୟ ପରି ତା’ର ଶରୀର କୋମଳ ।

 

ତାଙ୍କ ଆଗରେ ଆଜି ଗାଈ–ଗାଈ ପରି ଦିଶିଯାଉଥିଲା । ଯେପରି କାୟଦେ ଆଜାମଙ୍କ ଆଗରେ ପାକିସ୍ଥାନ ଥିଲା ପାକିସ୍ଥାନ । ସେ ଘରକୁ ଫେରିଲେ । ମହକିଲମାନେ ଅପେକ୍ଷାରେ ବସିଥିଲେ । ସେମାନଙ୍କ କାଗଜପତ୍ର ଦେଖିଲେ । ଏଗାରଟା ବାଜିବା ପରେ ଭୋଜନ କରି କଚେରିକୁ ଗଲେ । ରାସ୍ତାରେ ରିକ୍ସାରେ ବସି ମନ ମଧ୍ୟରେ ରଚି ଯାଉଥିଲେ ନବ ନବ ଯୋଜନା । ଏହିଠାରେ ଖତ ପକାଯିବ । ଏହି ଘରେ ଭୁଷି ରଖାଯିବ । ଏତିକି ଦୁଧ ପ୍ରତିଦନ ଖିଆଯିବ । ଏତିକି ଦୁଧରେ ମଲାଇ କରାଯିବ ଇତ୍ୟାଦି ଇତ୍ୟାଦି । ଭାରତ ସରକାରଙ୍କର ଯୁଦ୍ଧୋତ୍ତର ଯୋଜନା ପରି ମାନସପଟରେ ଗାଈ ରଖିବାର ଯୋଜନା ଚିତ୍ରରେଖା ଆଙ୍କି ସେ ପହଞ୍ଚିଲେ କଚେରିରେ । ଦୁଇଟା ମକଦମାରେ ସେ ଜେରା କଲେ । ଏହାପରେ ଆସି ନିଜ ଚଉକିରେ ବସିଲେ । ଆଉ ଗୋଟିଏ ମକଦମାରେ ତାଙ୍କର ଜେରା କରିବାର ଥିଲା । କିନ୍ତୁ ସେଥିରେ କିଛି ବିଳମ୍ୱ ଥିଲା । ସେ ପୁଣି ଗାଈ ବିଷୟରେ ଭାବନାଚକ୍ରରେ ଲାଗିଗଲେ । ‘ବର୍ଷକ ପାଇଁ ଏକାବେଳେ ଭୁଷି ଆଣିଲେ ଭଲହେବ । ପ୍ରତିଦିନ ଦୁଇ ଦୁଇ ସେର ସାହି ପଡ଼ିଶା ଲୋକଙ୍କୁ ବାଣ୍ଟିବି । ତା’ହେଲେ ଲୋକ ସିନା ଜାଣିବେ ଯେ ଓକିଲ ସାହେବ ସତରେ ଭଲ ଗାଈଟାଏ କିଣିଛନ୍ତି । ଇତ୍ୟବସରରେ ତାଙ୍କ ମହକିଲ ଆସିଲା । ଓକିଲ ସାହେବ ଜେରା କରିବାକୁ ଚାଲିଗଲେ ।

 

ଓକିଲ ସାହେବ ଜେରା କରିବାକୁ ଯାଉଥିଲେ । ଏଣେ ମନ ଗହନରେ ତାଙ୍କର ଗାଈ ଚରୁଥିଲା ପଡ଼ିଆରେ । ଥରେ ତାଙ୍କୁ ଏପରି ଜଣାଗଲା ଯେ ତାଙ୍କ ସମ୍ମୁଖରେ ପ୍ରତିଦ୍ୱନ୍ଦୀ ଓକିଲ ଗାଈଭଳି ଦିଶୁଛନ୍ତି । ଆଉ ତାଙ୍କୁ ମାରିବାପାଇଁ ଶିଙ୍ଗ ହଲଉଛି । ସେ ଗାଈର ବେକ ସାଉଁଳିବା ପାଇଁ ଓକିଲ ସାହେବଙ୍କ ପିଠିରେ ଧୀରେ ଧୀରେ ହାତ ରଖିଦେଇଛନ୍ତି–ଇତ୍ୟବସରରେ ହଠାତ୍ ସଚେତ ହୋଇଗଲେ । ଅନ୍ୟ ଓକିଲ ଜଣକ ବିସ୍ମିତ ହୋଇଗଲେ । ଏଣେ ମୁନିସୀ ସାହେବ କହିଲେ ‘‘ଓକିଲ ସାହେବ କଅଣ କୁସ୍ତି ଲଢ଼ିବା ପାଇଁ ଚାହୁଁଛନ୍ତି । ସଂଧ୍ୟାକୁ ଶିବନାଥ ଦାସ ଯେତେବେଳେ ଜଳଖିଆ କରିବାକୁ ବସିଲେ–ନିଜର ସ୍ତ୍ରୀକୁ ଡକାଇଲେ । ସ୍ତ୍ରୀ ଆସିବା ପରେ କହିବାକୁ ଆରମ୍ଭ କଲେ, ଆଜିକାଲି ଦୁଧ ଭଲ ମିଳୁ ନାହିଁ ।

 

ରଜନୀ କହିଲେ ‘‘ଏଇ ଦୁଧବାଲାଙ୍କୁ ଯଦି ଦୁଧ ସେରକୁ ଟଙ୍କେ ଦିଆଯିଏ, ତେବେ ବି ଏମାନେ ପାଣି ନ ମିଶେଇଲେ ବଞ୍ଚିପାରିବେ ନାହିଁ ।

 

ଓକିଲ ସାହେବ ଉତ୍ସାହିତ ହୋଇ କହିଲେ, ଏଇଥିପାଇଁ ତ ମୁଁ ଗାଈ ମୂଲ କରିବାକୁ ଠିକ୍ କରିଛି । ଆଜି ଭିତରେ ଆଣିବାକୁ ଭାବିଛି । ଗୋଟାଏ ଜାଗାରେ ଠିକ୍ କରିସାରିଛି । ସାଢ଼େ ତିନିଶହ ଟଙ୍କାକୁ । ସାତସେର ଦୁଧ ଦେଉଛି । ଆମେ ଦୁଧ ଖାଇବା । ପିଲାଛୁଆମାନେ ମନଇଚ୍ଛା ଖାଇବେ । ଖାଣ୍ଟି କ୍ଷୀର ମଲାଇ ହେବ । ଦହି ବସା ଯିବ ।

 

ରଜନୀ କହିଲେ– ‘‘ତୁମେ ଆସିଲେ କିଛି ନା କିଛି ପାଗଳାମୀ ବଢ଼ିଯାଉଛି । ଆଚ୍ଛା ଗାଈ ବନ୍ଧାଯିବ କେଉଁଠି ?’’

 

ଶିବନାଥ ଦାସ କହିଲେ ‘‘ତଳେ ଏତେଗୁଡ଼ାଏ ଜାଗା ଅଛି । ଗାଈ କଅଣ କେଉଁ ଉଡ଼ାଜାହାଜ ହୋଇଛି ଯେ ଦୁଇମାଣ ଜମି ଦରକାର ହେବ ?’’

 

ଶିବନାଥ ଦାସ-ଓକିଲ, ଆଉ ରଜନୀ ତାଙ୍କର ସ୍ତ୍ରୀ–ଓକିଲିଆଣୀ ତର୍କରେ ହାରିଯିବା ତାଙ୍କ ଜାତକରେ ନାହିଁ । କହିଲେ ଘରସାରା ମଇଳା ହୋଇଯିବ । ଖତ ଦୁଆର-ଘର ଚାରିଆଡ଼େ ଲାଗିବ ।

 

ଶିବନାଥ ଦାସ କହିଲେ ଗାଈ ପବିତ୍ର ଜୀବ ଅଟେ । ସେ ରହିଲେ ଘର କଅଣ ମଇଳା ହୁଏ । ଲୋକମାନେ ଗୋବରରେ ଘର ଲିପୁଛନ୍ତି । ସୋଭିଏତ୍ ରୁଷ ଡାକ୍ତର ଗୋବରାଫ୍ ଗୋବରର ବିଶ୍ଳେଷର କରିଛନ୍ତି । ସେ ରୁଷର ବିଜ୍ଞାନ ଏକାଡେମୀରେ ଗୋଟିଏ ଭାଷଣରେ ଉଲ୍ଲେଖ କରି କହିଛନ୍ତି ଯେ ଏକ ଆଉନ୍‍ସ ଗୋବର ଖାଇଲେ ମାନ୍ଦାଗ୍ନି ନାଶ ହୁଏ । ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ଆଉ ବାଳ କଳା ଓ କୁଞ୍ଚୁକୁଞ୍ଚିଆ ହୁଏ । ଆଉ ସେ ବତାଇଛନ୍ତି ଯେ ହଲିଉଡ଼ର ସିନେମା ଅଭିନେତ୍ରୀମାନେ କାଳୀଗାଈର ଗୋବର ଖାଆନ୍ତି । ଯଦ୍ୱାରା କି ସେମାନଙ୍କର ବାର୍ଦ୍ଧକ୍ୟ ହେଉନାହିଁ । ଆଉ ସେ ମଧ୍ୟ ପ୍ରମାଣ କରିଅଛନ୍ତି ଯେ ଗୋବର ଜୀବାଣୁ ନାଶକ । ଜର୍ମାନ ରୁଷରେ ଜୀବାଣୁ ବୃଦ୍ଧି କରିବାପାଇଁ ଯେଉଁ ଚେଷ୍ଟା କରିଥିଲା ତାହା ଗୋବରଦ୍ୱାରା ହିଁ ନାଶ କରାଯାଇଥିଲା ।’’

 

ରଜନୀ କହିଲେ– ‘‘ତୁମେ ତାହେଲେ ନିଜ ବଖରାରେ ବାନ୍ଧ । ସେଠାକୁ ଭିନ୍ନଭିନ୍ନ ମହକିଲ ଆସୁଛନ୍ତି । ତେଣୁ କୌଣସିପ୍ରକାର ବିଷାକ୍ତ ଜୀବାଣୁ ବଞ୍ଚିବେ ନାହିଁ । ମୁଁ ଘରେ ବା ଅନ୍ୟକେଉଁଠି ବନ୍ଧେଇ ଦେବିନାହିଁ । ଘରସାରା ମଇଳାହେଲେ ମୋତେ ଫୁରୁଷତ ନାହିଁ, ତାକୁ ସଫା କରିବାକୁ । ଗୋଟିଏ ବୋଲି ଚାକର ଅଛି ଯେ, ତାକୁ କାମରୁ ବି ଛୁଟି ମିଳୁନି । ଫିନାଇଲ ତ ଜୀବାଣୁ ନାଶକ । ତେଣୁ ସବୁ ଘର ସେଥିରେ ଲିପାଯିବ । ପୁଣି ସେଣ୍ଟ ଆଉ ଅତରର ଆବଶ୍ୟକତା’ କଅଣ ଅଛି ? ରୁମାଲକୁ ତା’ହେଲେ ଫିନାଇଲରେ କାହିଁକି ସଫା କରନ୍ତି ନାହିଁ ?’’

 

ଶିବନାଥ ଦାସ ଓକିଲମାନଙ୍କ ସହିତ ତର୍କ କରିବାରେ ଥିଲେ ଅଭ୍ୟସ୍ତ । ମାତ୍ର ସ୍ତ୍ରୀଙ୍କଠାରୁ ହାରୁଥିଲେ । ଯେପରି ମହାତ୍ମାଗାନ୍ଧୀ ସମସ୍ତଙ୍କଠାରେ ଜୟଲାଭ କରୁଥିଲେ । ଏପରିକି ଫିଲ୍ଡ଼ ମାର୍ସାଲ ଲର୍ଡ଼ ମୱାବେଲଙ୍କୁ ମଧ୍ୟ ପରାସ୍ତ କରିଥିଲେ । ମାତ୍ର ଜିନାଙ୍କ ଆଗରେ ତାଙ୍କ ଭେଦ ଚଳିଲା ନାହିଁ । କହିଲେ ‘‘କିନ୍ତୁ ଲାଭ କେତେ ହେବ ଜାଣ ତ ?’’ ବଢ଼ିଆ ଏକ ନମ୍ୱର ଦୁଧ’’ ରଜନୀଙ୍କ ଆଗରେ ଏ ଯୁକ୍ତି ଏପରି ଜଣାଯାଉଥିଲା, ଯେପରି ରାଜ୍ୟପାଳଙ୍କ ହାତରେ କଲରା ତରକାରୀ । ସେ କହିଲେ, ‘‘ମୁଁ ବୁଝିଥିଲି ଶିକ୍ଷାର ପ୍ରଭାବ ତୁମ ଉପରେ କିଛି ପଡ଼ିଥିବ । କିନ୍ତୁ ତୁମର ସମସ୍ତ ପଢ଼ା ଏପରି ବେକାର ହୋଇଗଲା ଯେପରି ପରମାଣୁ ବୋମା ଆଗରେ ଜାପାନୀ ସେନା । ଯେଉଁ ଯୁଗରେ ହର୍ଲିକ୍‍ସ ଦୁଧ ମିଳୁଛି, ଆଉ ଏଣ୍ଡଗୋଟର୍ ଦୁଧ ଆସୁଛି, ଏଲେନ୍‍ବରୀ ଦୁଧ ମିଳୁଛି, କିଟା ମିଲକ୍ ପ୍ରତ୍ୟେକ ଦୋକାନରେ ବିକ୍ରି ହେଉଛି, ସେହି ଯୁଗରେ ଗାଈ ରଖିବା ସେପରି ଜଣାଯାଉଛି ଯେପରି ସ୍ନେହପ୍ରଭା ପ୍ରଧାନର ସୁକୋମଳ ବେକରେ ଦେଢ଼ପା ସୁନାର ହଂସୁଲି । ସବୁଠୁ ବଡ଼କଥା ହେଉଛି ଏହି ଦୁଧକୁ ତିଆରି କରିବାରେ ହାତର ସମ୍ୱନ୍ଧ ରହୁନାହିଁ । ତିଆରି କରିବାବାଲା ଦୂରରେ ଛିଡ଼ା ହୋଇଥିବ, ଏଆଡ଼େ ଦୁଧ ତିଆରି ଶେଷ ହୋଇଯିବ ।’’

 

ଓକିଲ ସାହେବ କିଛି କହିବାକୁ ଚାହୁଁଥିଲେ । ବାଧାଦେଇ ରଜନୀ କହିଲେ, ‘‘ଯଦି ତୁମର ଖରିଦ୍ କରିବା ପାଇଁ ପଇସା ବଳଉଛି ତେବେ ଗୋଟାଏ କାର୍ କିଣ । ସାଢ଼େ ତିନିଶହ ଟଙ୍କାରେ ଗାଈ କିଣିବାପାଇଁ କହୁଛ ତ । ମୁଁ ଶୁଣୁଛି କଲିକତାରେ ସରକାରଙ୍କ ତରଫରୁ ଦେଢ଼ଶହ ଟଙ୍କାରେ ଜିପ୍‍ କାର୍ ମିଳୁଛି । ସେଥିରୁ ଗୋଟେ ନେଇଆସ । କାର୍‍ର ଭାଉ ବହୁତ ବଢ଼ିଗଲାଣି । ଗାଈ ରଖିଲେ ଲୋକମାନେ କଅଣ କହିବେ ? ଓକିଲ ସାହେବ ଗାଈ ରଖିଛନ୍ତି । ଗାଈ-ମଇଁଷି ତ ଗଉଡ଼ ରଖେ । କାର୍ ରଖିଲେ ଯେକୌଣସି ଲୋକ ମୁଖରୁ ଶୁଣିବାକୁ ପାଇବ ଓକିଲ ସାହେବଙ୍କର ଗୋଟେ କାର୍ ଅଛି । କାରରେ କଚେରିକୁ ଗଲେ ବହୁତ ଖାତିର ଅଛି । କାର୍-ବସା ଓକିଲ ଆଉ ରିକ୍ସା-ବସା ଓକିଲ ଏତିକି ତଫାତ୍ ଯେପରି ଉଦୟ-ଶଙ୍କରଙ୍କର ନାଚରେ ଏବଂ ଗାଁ ଧୋବାର ନାଚରେ । ଗାଈ ଉପରେ ବସି ତୁମେ କେଉଁଆଡ଼େ ଯାଇପାରିବ କି ? କାରରେ ସହର ସାରା ତ ବୁଲିବ । ମୁଁ ମଧ୍ୟ ସେଥିରେ ବସି ବୁଲିପାରିବି ।’’

 

‘‘ସହରକୁ ଯଦି କିଏ ବଡ଼ ନେତା ଆସିବେ ତେବେ ତ ସେ ତୁମଠାରୁ ଗାଈ ମାଗିକରି ନେବେ ନାହିଁ । କାଗଜରେ ଛପା ହେବ ଯେ ପଣ୍ଡିତ ଜବାହାରଲାଲ ନେହେରୁ ଆସିଥିଲେ । ଷ୍ଟେସନରୁ ଅମୁକ ଓକିଲଙ୍କ କାରରେ ଆସିଥିଲେ । ଏହା ନ ହେଲେ ସୁଦ୍ଧା–ଏହା ତ ଛାପା ହୋଇପାରିବ ଯେ ଅମୁକ ଓକିଲଙ୍କ କାରରେ ଅମୁକ ଅମୁକ ସମ୍ୱାଦପତ୍ରର ସମ୍ୱାଦ-ଦାତା ମନ୍ତ୍ରୀଙ୍କ କାର୍ ପଛେ ପଛେ ଯାଉଥିଲେ । ଏହିପରି ଦେଶ ସେବା ମଧ୍ୟ ହେବ । ଗାଈ କଥା ଛାଡ଼ । କାର୍ ମଗାଇବା ବନ୍ଦୋବସ୍ତ କର’’ । ସେତେବେଳେ ଓକିଲ ସାହେବ ଭାବିଲେ ଯେ କାର୍ ମଗାଇବି କି ଗାଈ ।

Image